କନକ ବ୍ୟୁରୋ: ଅଣ୍ଡା ଉତ୍ପାଦନରେ କେବେ ସ୍ୱାବଲମ୍ୱୀ ହେବ ଓଡ଼ିଶା ? ବିଭିନ୍ନ ସରକାରୀ ଯୋଜନା ଓ ସହାୟତା ସତ୍ତ୍ୱେ ଏବେବି ଲକ୍ଷ୍ୟଠୁ ପ୍ରାୟ ୨୦ ଲକ୍ଷ ଅଣ୍ଡା ପଛରେ ରହିଛି ରାଜ୍ୟ । ନିର୍ଭର କରିବାକୁ ପଡ଼ୁଛି ଆନ୍ଧ୍ର ଓ ତେଲେଙ୍ଗାନା ଉପରେ । ଆଜି(ଶୁକ୍ରବାର) ବିଶ୍ୱ ଅଣ୍ଡା ଦିବସରେ ଏହାକୁ ନେଇ ଉଦବେଗ ପ୍ରକାଶ ପାଇଥିବା ବେଳେ, ଆଗାମୀ ୫ ବର୍ଷ ଭିତରେ ବାର୍ଷିକ ୫ଶହ କୋଟି ଅଣ୍ଡା ଉତ୍ପାଦନ ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ମନ୍ତ୍ରୀ । 
 

Advertisment
  • ଓଡ଼ିଶାକୁ ଏବେ ବି ଅବୁଝା ଅଣ୍ଡାର ଫଣ୍ଡା ! 
  • ଜଣଙ୍କୁ ବର୍ଷକୁ ଖାଇବା ଦରକାର ୧୮୦ ଅଣ୍ଡା
  • ହେଲେ ରାଜ୍ୟର ମୁଣ୍ଡପିଛା ଉତ୍ପାଦନ ମାତ୍ର ୮୦ 
  • ଅଣ୍ଡା ପାଇଁ ଓଡ଼ିଶାକୁ ପଡ଼ିଶା ଭରସା !
  • କେବେ ଦୂରେଇବ ନିଅଣ୍ଟିଆ ସ୍ଥିତି ? 

ସୁଆଦିଆ, ଶସ୍ତାରେ ମିଳୁଥିବା ଆମିଷ, ପୁଷ୍ଟିସାରରେ ଭରପୂର ଖାଦ୍ୟ ଅଣ୍ଡା । ତେବେ ଚିନ୍ତାର ବିଷୟ, ରାଜ୍ୟରେ ଅଣ୍ଡା ଉତ୍ପାଦନ ବଢ଼ୁଥିଲେ ବି, ଏଯାଏଁ ସ୍ୱାବଲମ୍ୱୀ ହୋଇପାରିନି ଓଡ଼ିଶା । ୨୦୨୪-୨୫ ବର୍ଷରେ ରାଜ୍ୟରେ ଉତ୍ପାଦିତ ହୋଇଛି ୪୨୮ କୋଟି ୫୧ ଲକ୍ଷ ଅଣ୍ଡା । ଦିନକୁ ପ୍ରାୟ ୧ କୋଟି ୧୭ ଲକ୍ଷ ଅଣ୍ଡା ଉତ୍ପାଦନ ହେଉଛି । ହେଲେ ଆବଶ୍ୟକତା ରହିଛି ଦୈନିକ ୧ କୋଟି ୩୮ ଲକ୍ଷ ଅଣ୍ଡା । ଅର୍ଥାତ୍ ଏବେବି ନିଅଣ୍ଟ ପଡ଼ୁଛି ବର୍ଷକୁ ପ୍ରାୟ ୨୧ ଲକ୍ଷ ଅଣ୍ଡା । ଚାହିଦା ମେଣ୍ଟାଇବାକୁ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରିଆସୁଛି ଓଡ଼ିଶା । ଏବେବି ଆନ୍ଧ୍ର ଓ ତେଲେଙ୍ଗାନାରୁ ବର୍ଷକୁ ଆସୁଛି ୧୩୫ କୋଟିରୁ ଅଧିକ ଅଣ୍ଡା । ଅଣ୍ଡା ଉତ୍ପାଦନରେ ଜାତୀୟ ହାରଠୁ ଆମେ ବହୁ ପଛରେ ଅଛୁ ବୋଲି କହି ଉଦବେଗ ପ୍ରକାଶ କରିଛନ୍ତି ଓୟୁଏଟି କୁଳପତି । 
 
ଅଣ୍ଡାଦିଆ କୁକୁଡ଼ା ଫାର୍ମ ପାଇଁ ସବସିଡି, ଷ୍ଟାମ୍ପ୍ ଡ୍ୟୁଟି ଛାଡ଼ । ସରକାରଙ୍କ ବିଭିନ୍ନ ଯୋଜନା ଓ ପ୍ରୋତ୍ସାହନ ସତ୍ତ୍ୱେ ନିଜକୁ ସ୍ବାବଲମ୍ୱୀ କରିପାରିନି ରାଜ୍ୟ । ତେବେ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ମନ୍ତ୍ରୀ କହିଛନ୍ତି, ଏଦିଗରେ ସରକାରୀ ସ୍ତରରେ ବଡ଼ ଯୋଜନା କରାଯାଉଛି । ୨୦୨୯ ସୁଦ୍ଧା ବାର୍ଷିକ ୫ଶହ କୋଟି ଅଣ୍ଡା ଉତ୍ପାଦନ ପାଇଁ ଲକ୍ଷ୍ୟ ରହିଛି ।ଅଣ୍ଡା ଉତ୍ପାଦନରେ ଓଡ଼ିଶା ଦେଶରେ ଦଶମ ସ୍ଥାନରେ ଥିବା ବେଳେ, ଗତ ୫ ବର୍ଷରେ ରାଜ୍ୟରେ ଅଣ୍ଡାଦର ପ୍ରାୟ ୪ ଟଙ୍କା ବଢ଼ିଛି ।