କନକ ବ୍ୟୁରୋ : ଓଡ଼ିଶାରେ ନୂଆ ସରକାର ଆସିବା ପରେ ରାଜ୍ୟରେ ମଧୁବାବୁ ପେନସନ ଯୋଜନାରେ ୮୦ ବର୍ଷରୁ ଅଧିକ ଓ ୮୦ ପ୍ରତିଶତରୁ ଅଧିକ  ଦିବ୍ୟାଙ୍ଗଙ୍କ ଭତ୍ତା ୩୫ଶହକୁ ବୃଦ୍ଧି କରିଛନ୍ତି । ସରକାରଙ୍କ ଏହି ଯୋଜନାରୁ ଗଞ୍ଜାମ ଖଲ୍ଲିକୋଟ ବ୍ଲକର ଅନେକ ଯୋଗ୍ୟ ହିତାଧିକାରୀ ବାଦ ପଡ଼ିଛନ୍ତି।  

Advertisment

ଲଙ୍ଗଳେଶ୍ବର ପଞ୍ଚାୟତ ଭେଜିପୁଟ ଗାଁର ଗୋବିନ୍ଦ ସ୍ବାଇଁ। ଭତ୍ତା ୧୨ଶହ ଟଙ୍କା ମିଳୁଛି। ଭତ୍ତା ୩୫ଶହ ଟଙ୍କା କରିବା ପାଇଁ ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ ଏଯାଏଁ ଭତ୍ତା ବଢ଼ିନି।

ମଥୁରା ଗାଁର ମିଟୁ ମହାରଣା, ଜଣେ ଦିବ୍ୟାଙ୍ଗ। ଆଖିକୁ ଜମା ଦେଖାଯାଉନି। ଅଭିଯୋଗ ପରେ ବି ଭତ୍ତାକୁ ବଢ଼ାଯାଉନାହିଁ । ଭେଜିପୁଟ ଗାଁର କଲରା ସୁବୁଦ୍ଧି ମଧ୍ୟ ଏଯାଏଁ ୩୫ଶହ ଟଙ୍କା ଭତ୍ତା ପାଇପାରିନାହାନ୍ତି । ୧ହଜାର ଟଙ୍କା ଭତ୍ତା ପାଉଛନ୍ତି। 

ଗଞ୍ଜାମ ଖଲ୍ଲିକୋଟ ବ୍ଲକର ୨୯ଟି ପଞ୍ଚାୟତରେ ୯୯ ଜଣ ୮୦ ବର୍ଷରୁ ଅଧିକ ହିତାଧିକାରୀ ଏବଂ ୧୮୮ ଜଣ ଦିବ୍ୟାଙ୍ଗଙ୍କୁ ୩୫ଶହ ଟଙ୍କା ଦିଆଯାଇଛି। ଅନ୍ୟ ହିତାଧିକାରୀଙ୍କୁ ଖୁବଶୀଘ୍ର ବର୍ଦ୍ଧିତ ଭତ୍ତା ଦିଆଯିବ ବୋଲି କୁହାଯାଇଛି। ହେଲେ ୨ମାସ ବିତିଲାଣି, ଭତ୍ତା ପାଇଁ ବ୍ଲକକୁ ଦୌଡ଼ି ଦୌଡ଼ି ଥକି ଗଲେଣି । ତଥାପି ହିତାଧିକାରୀଙ୍କ ଅଭିଯୋଗକୁ ଗୁରୁତ୍ବ ଦିଆଯାଉନଥିବା ଅଭିଯୋଗ ହୋଇଛି। 

ଖଲ୍ଲିକୋଟ ବିଡିଓ କହିଛନ୍ତି ବଳକା ହିତାଧିକାରୀଙ୍କ ତାଲିକା ଜିଲ୍ଲାପାଳଙ୍କୁ ଦିଆଯାଇଛି । ଅନୁମୋଦନ ହୋଇ ଆସିଲେ ଭତ୍ତା ପ୍ରଦାନ କରାଯିବ।