କନକ ବ୍ୟୁରୋ: ଯାହାଙ୍କୁ ବୋଲର ଦେଖିଲେ ହୁଅନ୍ତି ଛାନିଆ, ଯାହାଙ୍କ ବ୍ୟାଟିଂ ଦେଖିଲେ ରଣନୀତି କରନ୍ତି ବିପକ୍ଷ ଦଳ । ସେ ହେଉଛନ୍ତି ବୀରେନ୍ଦ୍ର ସେହୱାଗ...ମୁଲତାନର ସୁଲତାନ । ବିଶ୍ୱ କ୍ରିକେଟରେ ନୀର୍ଭିକ ତଥା ଦୁର୍ଦ୍ଧର୍ଷ ବ୍ୟାଟର ଭାବେ ଯେଉଁ ଅଳ୍ପ କିଛି ଖେଳାଳି ଜଣାଶୁଣା ସେମାନଙ୍କ ମଧ୍ୟରେ ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହୱାଗଙ୍କ ନାଁ ପ୍ରଥମେ ସାମ୍ନାକୁ ଆସେ । ଦିନିକିଆ ହେଉ କି ଟେଷ୍ଟ ଅବା ଟି-୨୦, ପ୍ରତି ମ୍ୟାଚରେ ସେହୱାଗଙ୍କ ବ୍ୟାଟିଂ ଶୈଳୀରେ କେହି କେବେ ପରିବର୍ତ୍ତନ ଦେଖିନାହାନ୍ତି । ମ୍ୟାଚର ପ୍ରଥମ ବଲରୁ ହିଁ ବଡ ସଟ୍ ଖେଳିଥାନ୍ତି ସେହୱାଗ, ଆଉ ଏହି ଅନ୍ଦାଜ ପାଇଁ କୋଟି କୋଟି କ୍ରିକେଟପ୍ରେମୀ ସେହୱାଗଙ୍କ ଫ୍ୟାନ୍ । ସେହୱାଗ ବ୍ୟାଟ୍ ଧରି ମୈଦାନକୁ ଆସିଲେ ବୋଲରଙ୍କ ମନରେ ଛନକା ପଶିଥାଏ । କେମିତି ଓଭର ସରିବ ଓ ସେହୱାଗ ଷ୍ଟ୍ରାଇକକୁ ନ ଆସିବେ ସେଥିପାଇଁ ଚାଲେ ପ୍ଲାନିଂ ।
ତେବେ ଆଜି ଏମିତି ଏକ ମ୍ୟାଚ କଥା କହିବୁ ଯାହା ପ୍ରତିଟି ଭାରତୀୟଙ୍କ ପାଇଁ ଆଜି ବି ସ୍ମରଣୀୟ ହୋଇ ରହିଛି । ଯେଉଁ ମ୍ୟାଚରେ ପାକିସ୍ତାନ ବୋଲରଙ୍କ ନିଦ ହଜାଇ ଦେଇଥିଲେ ସେହୱାଗ । ଦୁଇ ଦିନ ଗୋଡେଇ ତୋଡେଇ ପାକିସ୍ତାନ ବୋଲରଙ୍କୁ ନିର୍ଦ୍ଧୁମ ପିଟିଥିଲି । ଆଉ ପ୍ରଥମ ଭାରତୀୟ ଭାବେ ଟେଷ୍ଟ କ୍ରିକେଟରେ ତ୍ରିଶତକ ହାସଲ କରି ବିଶ୍ୱ ରେକର୍ଡ କରିଥିଲେ । ସେହୱାଗ ଏହି ରେକର୍ଡ ଆଜିର ଦିନରେ ହିଁ କରିଥିଲେ ।
୨୦୦୪ରେ ପାକିସ୍ତାନ ଗସ୍ତରେ ଯାଇଥିବା ଟିମ୍ ଇଣ୍ଡିଆ ମୁଲତାନରେ ଖେଳିଥିଲା ପ୍ରଥମ ମ୍ୟାଚ୍ । ଓପନିଂ କରିବାକୁ ଆସିଥିବା ସେହୱାଗଙ୍କ ଦୁର୍ଦ୍ଧର୍ଷ ବ୍ୟାଟିଂ ସେଦିନ ପୂରା ବିଶ୍ୱ ଦେଖିଥିଲା । ପାକିସ୍ତାନର ପ୍ରତିଟି ବୋଲରଙ୍କୁ ନିର୍ଦ୍ଧୁମ ଛେଚିଥିଲେ ସେହୱାଗ । ଟେଷ୍ଟ ମ୍ୟାଚରେ ଦେଖିବାକୁ ମିଳିଥିଲା ଟି-୨୦ ଝଲକ । ପ୍ରଥମ ଦିନରେ ହିଁ ୨୨୮ ରନ କରି ଅପରାଜିତ ଥିଲେ ସେହୱାଗ । ତେବେ ମ୍ୟାଚର ଦ୍ୱିତୀୟ ଦିନରେ ସେହୱାଗଙ୍କ ପାଇଁ ଆସିଥିଲା ଅବିସ୍ମରଣୀୟ ମୁହୂର୍ତ୍ତ, ଯାହା ଭାରତୀୟ କ୍ରିକେଟ ଇତିହାସରେ ସବୁଦିନ ପାଇଁ ଲିପିବଦ୍ଧ ହୋଇ ରହିଥିଲା । ବୀରେନ୍ଦ୍ର ସେହୱାଗ ଏହି ମ୍ୟାଚରେ ୩୦୯ର ଦମଦାର ଇଂନିସ ଖେଳିଥିଲେ । ଆଉ ସେହୱାଗଙ୍କ ରେକର୍ଡ ବହିରେ ଯୋଡି ହୋଇଥିଲା ଆଉ ଏକ ନୂଆ ଅଧ୍ୟାୟ । ନଜଫଗଡର ନୱାବ ବିଶ୍ୱ କ୍ରିକେଟରଙ୍କ ନଜରରେ ସାଜି ସାରିଥିଲେ ମୁଲତାନର ସୁଲତାନ । ସେହଓ୍ୱାଗଙ୍କ ଦମଦାର ବ୍ୟାଟିଂ ଫଳରେ ଭାରତ ଏହି ମ୍ୟାଚକୁ ଗୋଟିଏ ଇଂନିସ ଓ ୫୨ ରନରେ ଜିତି ନେଇଥିଲେ ।
ଅନ୍ତର୍ଜାତୀୟ କ୍ରିକେଟରେ ୧୭ ହଜାରରୁ ଅଧିକ ରନ୍ କରିଥିବା ସେହୱାଗ ୨୦୧୫ ମସିହାରେ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଥିଲେ । ପାକିସ୍ତାନ ବିପକ୍ଷରେ ଦିନିକିଆ ଡେବ୍ୟୁ କରିଥିବା ସେହୱାଗ ପାକିସ୍ତାନ ବିପକ୍ଷରେ ହିଁ ଶେଷ ଦିନିକିଆ ମ୍ୟାଚ୍ ଖେଳିଥିଲେ । ନିଜର ବିସ୍ଫୋରକ ବ୍ୟାଟିଂ ଶୈଳୀ ପାଇଁ ଭାରତୀୟ ଟିମର ଏହି ୭ ନମ୍ବର ଖେଳାଳି ପରବର୍ତ୍ତୀ ସମୟରେ ଟିମ୍ ଇଣ୍ଡିଆର ଭରସାଯୋଗ୍ୟ ଓପନର ପାଲଟିଥିଲେ । ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଭାରତୀୟ କ୍ରିକେଟ ଟିମରେ ଯେଉଁ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ତାହା ଏବେ ଅପୂରଣୀୟ ହୋଇ ରହିଛି ।