ଲିଖେ ଯୋ ଖତ୍ ତୁଝେ ୱୋ ତେରେ ୟାଦ୍ ମେଁ
ହଜାରୋଁ ରଙ୍ଗ୍ କେ ନଜାରେ ବନଗଏ …
/filters:format(webp)/kanak/media/media_files/2025/08/28/khat-2025-08-28-11-00-36.jpg)
କନକ ବ୍ୟୁରୋ : ବଲିଉଡର ଏହି ଲୋକପ୍ରିୟ ସଂଗୀତଟି ଯେତେବେଳେ ମନକୁ ଆସେ ସେତେବେଳେ Old School Vibe ଯେମିତି ତାଜା ହୋଇଯାଏ । ପୁରୁଣା ସମୟରେ ପ୍ରେମ ଆଉ ଚିଠିକୁ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ବୋଲି କୁହାଯାଉଥିଲା । ବର୍ତ୍ତମାନ ସିନା ମୋବାଇଲରେ ଗୋଟିଏ ମେସେଜ୍ ଆସିଲେ ପ୍ରେମିକ , ପ୍ରେମିକାଙ୍କ ମୁହଁରେ ମୁଚୁକୁନ୍ଦା ହସ ଖେଳିଯାଉଛି ହେଲେ ସେତେବେଳର ଗୋଟିଏ ଚିଠି ପାଇଲେ ପ୍ରେମୀଯୁଗଳ ସେହି ପ୍ରେମପତ୍ରକୁ ବହୁମୂଲ୍ୟ ବସ୍ତୁ ପରି ସାଇତି ରଖୁଥିଲେ । ସତେ ଯେପରି ସୁନା .. । ଆଉ ଲଙ୍ଗ୍ ଡିଷ୍ଟାନ୍ସ ରିଲେସନସିପ୍ ହେଲେ ତ କଥା ଅଲଗା । ବର୍ଷ ବର୍ଷ ଧରି ଭଲ ପାଉଥିବା ମଣିଷଟିକୁ ନ ଦେଖି ହୃଦୟ କାନ୍ଦୁଥିବ କିନ୍ତୁ ତା’ର ଗୋଟିଏ ହାତଲେଖା ଚିଠି ପଢ଼ି ସବୁ ଯେମିତି ଛୁ ମନ୍ତର.. ପାଖରେ ନଥାଇ ବି ମନର ମଣିଷକୁ ଅନୁଭବ କରିବାର ସେ ଭାବନା ଜଣେ ସଚ୍ଚା ପ୍ରେମିକ , ପ୍ରେମିକା ହିଁ କହିପାରିବ ।
/filters:format(webp)/kanak/media/media_files/2025/08/28/ex-army-officers-2025-08-28-11-01-06.jpg)
ସୋସିଆଲ୍ ମିଡିଆରେ ସେମିତି ହିଁ ଏକ ପୁରୁଣା ସମୟର ଚିଠି ଭାଇରାଲ୍ ହେଉଛି । ଜଣେ ପୂର୍ବତନ ସେନା ଅଧିକାରୀ ଗୋଟିଏ ପୁରୁଣା ହାତ ଲେଖା ଚିଠି ଇନଷ୍ଟାରେ ସେୟାର୍ କରିଛନ୍ତି । ଏହି ଚିଠିଟି ତାଙ୍କୁ ସେତେବେଳର ପ୍ରେମିକା ପଠାଇଥିଲେ । କ୍ୟାପଟେନ୍ ଧର୍ମବୀର ସିଂ ୨୦୦୧ ମସିହାର ଗୋଟିଏ ଚିଠି ସେୟାର୍ କରିଛନ୍ତି ଯେଉଁଥିରେ ସେ କ୍ୟାପ୍ସନରେ ଲେଖିଛନ୍ତି ଯେ ଚେନ୍ନାଇରେ ଟ୍ରେନିଙ୍ଗ୍ ନେବା ସମୟର ଏହି ଚିଠିଟି ମୋର ପ୍ରେମିକା ପଠାଇଥିଲେ । ମୁଁ ନଭେମ୍ବରରେ ଟ୍ରେନିଂ ନେବାକୁ ଚେନ୍ନାଇ ଯାଇଥିଲି ଏବଂ ଡିସେମ୍ବରରେ ଏହି ଚିଠିଟି ମୋ ଠାକୁରାଣୀ ମୋ ପାଖକୁ ପଠାଇଥିଲେ । ଆଜିକାଲିର ସମୟରେ ଯେଉଁଠି ପ୍ରେମିକ ତାଙ୍କ ପ୍ରେମିକାଙ୍କୁ ବାବୁ , ସୋନା କହି ଡାକୁଛନ୍ତି ସେତେବେଳେ କ୍ୟାପଟେନ୍ ତାଙ୍କ ପ୍ରେମିକାଙ୍କୁ ଠାକୁରାଣୀ ବୋଲି ଡାକୁଥିଲେ । ଏହିଥିରୁ ହିଁ ଜଣାପଡ଼େ ଜଣେ ପୁରୁଷ ସଚ୍ଚା ପ୍ରେମରେ ପଡ଼ିଲେ ତା’ ପ୍ରେମିକାକୁ ଦେବୀର ମାନ୍ୟତା ମଧ୍ୟ ଦେଇଦିଏ । ଆଜିର ବ୍ରେକଅପ୍ ଜମାନାରେ କ୍ୟାପଟେନ୍ ତାଙ୍କ ଠାକୁରାଣୀଙ୍କୁ ଧର୍ମପତ୍ନୀର ମର୍ଯ୍ୟାଦା ଦେବା ସୋସିଆଲ୍ ମିଡିଆ ୟୁଜରଙ୍କୁ ଯେମିତି ଖୁସ୍ କରିଦେଇଛି ।
ସେତେବେଳେ ପ୍ରେମିକାଙ୍କ ଚିଠି ଆସିଲେ ସିନିୟର୍ ଅଫିସରମାନେ ଜୁନିୟରଙ୍କୁ ପୁସ୍ ଅପ୍ ମାରିବାକୁ କହୁଥିଲେ ଏବଂ ଚିଠି ପଢ଼ିବାକୁ ଦେଉଥିଲେ । କିନ୍ତୁ କ୍ୟାପଟେନଙ୍କ ଚିଠି ଯେହେତୁ ୫ ରୁ ୬ ପୃଷ୍ଠାର ଥିଲା ଏବଂ ଅକ୍ଷର ପ୍ରିଣ୍ଟ୍ ଭଳି ହୋଇଥିବା ଯୋଗୁଁ ସିନିଅର୍ ମଧ୍ୟ ତାଙ୍କୁ ଚିଠି ଦେବାକୁ ୫୦୦ ପୁସ୍ ଅପ୍ ମାରିବାକୁ କହିଥିଲେ । ଠାକୁରାଣୀଙ୍କ ଚିଠି ଆଉ ସେଥିରେ ଟିକେ ବି ହେଳା କେମିତି କରିଥା’ନ୍ତେ କ୍ୟାପଟେନ୍ । ସଙ୍ଗେ ସଙ୍ଗେ ମାରିଲେ ୫୦୦ ପୁସ୍ ଅପ୍ ଆଉ ସାଙ୍ଗରେ ନେଇଗଲେ ପ୍ରେମିକାଙ୍କ ଚିଠି । ଆଜିର ସମୟରେ କ୍ୟାପଟେନ୍ ସେନାରୁ ଅବସର ନେଇଛନ୍ତି ଏବଂ ସାଙ୍ଗରେ ଏବେ ବି ଠାକୁରାଣୀଙ୍କ ସହ ରହୁଛନ୍ତି । ସେତେବେଳର ଠାକୁରାଣୀ ଏବେ ତାଙ୍କର ପାଟ୍ଟରାଣୀ ଅର୍ଥାତ୍ ଧର୍ମପତ୍ନୀ ହୋଇ ସାଙ୍ଗରେ ରହୁଛନ୍ତି । ତେବେ ଏହି ଭିଡିଓଟି ପୋଷ୍ଟ୍ ହେବା ପରେ ଏପର୍ଯ୍ୟନ୍ତ ୧.୪ ମିଲିୟନ୍ ୟୁଜର ଏହାକୁ ଦେଖି ଖୁସିବ୍ୟକ୍ତ କରିଛନ୍ତି ଏବଂ ଦୁହିଁଙ୍କ ପ୍ରେମକୁ କାହାର ନଜର ନଲାଗୁ ବୋଲି ମଧ୍ୟ କହିଛନ୍ତି ।