Ye Mere Watan Photograph: (Kanak News)
କନକ ବ୍ୟୁରୋ: ୧୯୬୩ ମସିହା ଜାନୁଆରି ୨୭ ତାରିଖ । ଦିଲ୍ଲୀର ନ୍ୟାସନାଲ ଷ୍ଟାଡିୟମରେ ପ୍ରବଳ ଶୀତ ସତ୍ତ୍ୱେ ହଜାର ହଜାର ଲୋକଙ୍କ ଭିଡ଼ । ଭାରତ-ଚୀନ ଯୁଦ୍ଧକୁ ମାତ୍ର କିଛି ମାସ ବିତିଥାଏ । ଦେଶବାସୀଙ୍କ ମନରେ ଯୁଦ୍ଧର କ୍ଷତ ଏବଂ ଶହୀଦ ହୋଇଥିବା ଯବାନମାନଙ୍କ ପାଇଁ ଗଭୀର ଶୋକ । ସେହି ସଭାରେ ଉପସ୍ଥିତ ଥାଆନ୍ତି ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ, ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଏବଂ ଅନେକ ବିଶିଷ୍ଟ ବ୍ୟକ୍ତି ।
ସେହି ସମୟରେ ମଞ୍ଚ ଉପରକୁ ଆସିଲେ ଜଣେ ମହିଳା, ଯାହାଙ୍କ କଣ୍ଠରେ ସାରା ଦୁନିଆ ବନ୍ଧା । ସେ ହେଉଛନ୍ତି ଭାରତ ରତ୍ନ ଲତା ମଙ୍ଗେସକର । ଯେତେବେଳେ ସେ ମାଇକ୍ରୋଫୋନ ଧରି ଗାଇବାକୁ ଆରମ୍ଭ କଲେ, "ଏ ମେରେ ୱତନ କେ ଲୋଗୋ, ଜରା ଆଖଁ ମେ ଭରଲୋ ପାନି...", ସେତେବେଳେ ସାରା ଷ୍ଟାଡିୟମରେ ଏକ ଅଦ୍ଭୁତ ନୀରବତା ଖେଳିଗଲା।
କବି ପ୍ରଦୀପଙ୍କ ଦ୍ୱାରା ଲିଖିତ ଏହି ଗୀତର ପ୍ରତିଟି ଶବ୍ଦ ଶହୀଦମାନଙ୍କ ବଳିଦାନର କାହାଣୀ କହୁଥିଲା । ସି. ରାମଚନ୍ଦ୍ରଙ୍କ ମନଛୁଆଁ ସଙ୍ଗୀତ ନିର୍ଦ୍ଦେଶନା ଏବଂ ଲତାଙ୍କ କରୁଣ ସ୍ୱର ସେଦିନ ଏକ ଯାଦୁ ସୃଷ୍ଟି କରିଥିଲା । ଯେତେବେଳେ ଗୀତର ପଦଟି ଥିଲା - "ଜବ୍ ଦେଶ ମେ ଥି ଦିୱାଲି, ୱୋ ଖେଲ୍ ରହେ ଥେ ହୋଲି, ଜବ୍ ହମ୍ ବୈଠେ ଥେ ଘରୋ ମେ, ୱୋ ଝେଲ୍ ରହେ ଥେ ଗୋଲି", ସେତେବେଳେ ଉପସ୍ଥିତ ପ୍ରତିଟି ବ୍ୟକ୍ତିଙ୍କ ଆଖି ଓଦା ହୋଇଯାଇଥିଲା।
ଆହୁରି ପଢ଼ନ୍ତୁ... ଚାଲିଥିଲା ଜନ ଅଭିଯୋଗ ଶୁଣାଣି ; ହଠାତ୍ ତଳେ ବସି ନେହୁରା ହେଲେ ଜଣେ ଚାଷୀ
ସେଦିନ ସବୁଠାରୁ ବଡ଼ ଅନୁଭୂତି ଥିଲା ପ୍ରଧାନମନ୍ତ୍ରୀ ନେହେରୁଙ୍କ ପ୍ରତିକ୍ରିୟା । ଗୀତ ଶେଷ ହେବା ପରେ ଯେତେବେଳେ ଲତା ମଙ୍ଗେସକର ନେହେରୁଙ୍କୁ ଭେଟିଲେ, ସେ ଦେଖିଲେ ଯେ ଦେଶର ପ୍ରଧାନମନ୍ତ୍ରୀଙ୍କ ଆଖି ଛଳଛଳ । ନେହେରୁ କହିଥିଲେ, "ବେଟି, ତୁମ୍ନେ ଆଜ୍ ମୁଝେ ରୁଲା ଦିୟା"। ସେହି ମୁହୂର୍ତ୍ତରେ ହିଁ ସାରା ଦେଶ ଅନୁଭବ କରିଥିଲା ଯେ, ଏହା କେବଳ ଏକ ଗୀତ ନୁହେଁ, ବରଂ ଭାରତୀୟ ସେନାର ଅତୁଳନୀୟ ସାହସ ଓ ତ୍ୟାଗର ଏକ ଅମର ଦସ୍ତାବିଜ ।
ଏହି ଗୀତଟିର ସୃଷ୍ଟି ପଛରେ ମଧ୍ୟ ଏକ କାହାଣୀ ଅଛି । କୁହାଯାଏ, କବି ପ୍ରଦୀପ ମାହିମ ବେଳାଭୂମିରେ ଚାଲୁଥିବା ସମୟରେ ଏହି ଗୀତର ଧାଡ଼ିଗୁଡ଼ିକ ତାଙ୍କ ମନକୁ ଆସିଥିଲା ଏବଂ ସେ ପାଖରେ କାଗଜ ନଥିବାରୁ ଏକ ସିଗାରେଟ୍ ଖୋଳ ଉପରେ ଏହାକୁ ଲେଖିଥିଲେ ।
ଆଜି ଛଅ ଦଶନ୍ଧି ପରେ ବି 'ଏ ମେରେ ୱତନ କେ ଲୋଗୋ' ଶୁଣିଲେ ପ୍ରତିଟି ଭାରତୀୟଙ୍କ ଲୋମ ଟାଙ୍କୁରି ଉଠେ । ଯେତେବେଳେ ବି ଆମେ ସୀମାରେ ଯବାନମାନଙ୍କ ସଂଘର୍ଷ କଥା ଭାବୁ, ସେତେବେଳେ ଏହି ଗୀତ ଆମକୁ ଅନୁଭବ କରାଏ ଯେ, ଆମେ ଆଜି ଯେଉଁ ସ୍ୱାଧୀନତାର ପବନରେ ନିଶ୍ୱାସ ନେଉଛେ, ତାହା ପଛରେ କେତେ ଶହୀଦଙ୍କ ରକ୍ତ ଭିଜା କାହାଣୀ ରହିଛି । ସେଦିନ ନେହେରୁଙ୍କ ଆଖିର ଲୁହ ହିଁ ପ୍ରମାଣିତ କରିଥିଲା ଯେ ସଙ୍ଗୀତରେ ଦେଶକୁ ଏକଜୁଟ କରିବାର କେତେ ବଡ଼ ଶକ୍ତି ରହିଛି । ଏହି ଗୀତ ଆଜି ବି ଭାରତୀୟ ଦେଶପ୍ରେମର ସର୍ବଶ୍ରେଷ୍ଠ ପରିଚୟ ହୋଇ ରହିଛି ।
Follow Us