କନକ ବ୍ୟୁରୋ : ପ୍ରତିବର୍ଷ ମେ' ୨୮ ତାରିଖରେ ସାରା ବିଶ୍ୱରେ 'ବିଶ୍ୱ ମାସିକ ଧର୍ମ ସ୍ୱଚ୍ଛତା' ଦିବସ ପାଳନ କରାଯାଏ । ଏହା ପାଳନ କରିବାର ମୂଖ୍ୟ ଉଦ୍ଦେଶ୍ୟ ହେଉଛି ମହିଳାମାନଙ୍କୁ ମାସିକ ଧର୍ମ ସମୟରେ ପରିଷ୍କାର ପରିଚ୍ଛନ୍ନତା ବିଷୟରେ ସଚେତନ କରାଇବା ।
ମହିଳାମାନଙ୍କ କ୍ଷେତ୍ରରେ ମାସିକ ଧର୍ମ ବା ପିରିୟଡ଼ ଏକ ପ୍ରାକୃତିକ ପ୍ରକ୍ରିୟା । ଏକ ନିର୍ଦ୍ଦିଷ୍ଟ ବୟସ ପରେ, ପ୍ରତ୍ୟେକ ଝିଅମାନଙ୍କୁ ଏହି ସମୟ ଦେଇ ଗତି କରିବାକୁ ପଡ଼ିଥାଏ । ଯଦି ଆମେ ମାସିକ ଧର୍ମ ସମୟରେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଯତ୍ନ ନ ନିଅନ୍ତି , ତେବେ ଅନେକ ରୋଗର ଶିକାର ହେବାକୁ ପଡ଼ିପାରେ । ଆଜି ବି ଅନେକ ସ୍ଥାନରେ ଏସବୁ ଦିଗରେ ସଚେତନତାର ଅଭାବ ରହିଛି । ଯଦିଓ ପ୍ରଶାସନ ଏବଂ କିଛି ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରାଯାଏ ତଥାପି ଅନେକାଂଶରେ ଏହାକୁ ନେଇ ଏବେବି ଅଜଣା । ପିରିୟଡ଼ ସମୟରେ ପରିଷ୍କାର ପରିଚ୍ଛନ୍ନତାରେ ଅବହେଳା ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ ।
ଏହାକୁ ଦୃଷ୍ଟିରେ ରଖି ପ୍ରଥମେ ଏହା ୨୦୧୪ ମସିହାରେ ଆରମ୍ଭ ହୋଇଥିଲା । ଯାହା ଏକ ଅଣଲାଭକାରୀ ସଂଗଠନ WASH United ଦ୍ୱାରା ଆରମ୍ଭ କରାଯାଇଥିଲା । ଏହି ପ୍ରତିଷ୍ଠାନ କହିଛି ଯେ ମାସିକ ଋତୁସ୍ରାବ ସମୟରେ ସ୍ୱଚ୍ଛତା ପ୍ରତି ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଋତୁସ୍ରାବ ସମୟରେ ଟିକିଏ ଅସାବଧାନତା ଘାତକ ସାବ୍ୟସ୍ତ ହୋଇପାରେ । ମାସିକ ଋତୁସ୍ରାବ ଚକ୍ର ୨୮ ଦିନର । ଏହି କାରଣରୁ ଏହା ମାସର ୨୮ ତାରିଖରେ ପାଳନ କରାଯାଏ ।
ତେବେ ଋତୁସ୍ରାବକୁ ନେଇ ପରିବାରଠୁ ଆରମ୍ଭ କରି ବିଦ୍ୟାଳୟରେ ମଧ୍ୟ ଶିକ୍ଷା ଦେବା ନିହାତି ଆବଶ୍ୟକ । କାରଣ ଝିଅମାନେ ଏ ବିଷୟରେ ସଠିକ୍ ଶିକ୍ଷା ବା ତଥ୍ୟ ପାଇଲେ ସେମାନେ ନିଜ ପ୍ରତି ଅଧିକ ଧ୍ୟାନ ଦେବା ସହ ଯତ୍ନବାନ୍ ହେବେ । ଏହା ଏକ ଲଜ୍ଜା ବୋଧକ କଥା ନୁହେଁ ବରଂ ପ୍ରକୃତି ପ୍ରଦତ୍ତ ଏକ ପ୍ରାକୃତିକ ପ୍ରକ୍ରିୟା ବୋଲି ସମସ୍ତଙ୍କୁ ବୁଝିବା ଆବଶ୍ୟକ । ତେବେ ଚଳିତ ବର୍ଷର ଋତୁସ୍ରାବ ସ୍ୱଚ୍ଛତା ଦିବସର ଥିମ୍ ହେଉଛି “ଟୁଗେଦର୍ ଫର୍ ଏ ପିରିୟଡ଼ ଫ୍ରେଣ୍ଡ୍ଲି ଡେ ” ।