କନକ ବ୍ୟୁରୋ: ଅନୁଗୋଳ ଜିଲ୍ଲାରେ ଶିକ୍ଷାର ବିକାଶ ହେବ । ସେଥିପାଇଁ ତତ୍କାଳୀନ ହିନ୍ଦୋଳ ରାଜା କୁମୁଦଚନ୍ଦ୍ର ସିଂହଦେଓ ଜମି ଯୋଗାଇ ଦେଇଥିଲେ। ସ୍ବାଧୀନ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ହରେକୃଷ୍ଣ ମହତାବ ୧୯୫୭ରେ କଲେଜର ଉଦଘାଟନ କରିଥିଲେ । ସର୍ବ ପୁରାତନ ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବି ଏବୋ ଜୋରଦାର ହୋଇଛି । ସମସ୍ତ ଭିତ୍ତିଭୂମି ଥାଇ ମଧ୍ୟ ମାନ୍ୟତା ଦିଆଯାଉନଥିବା ଅଭିଯୋଗ ହୋଇଛି । ନୂଆ ସରକାର ମଧ୍ୟ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରସଙ୍ଗକୁ ପ୍ରାଥମିକତା ଦେଉନଥିବା ଅନୁଗୋଳବାସୀ କହିଛନ୍ତି ।

Advertisment

ଶିଳ୍ପନଗରୀ ଅନୁଗୋଳର ଚାରିପଟେ ରହିଛି ରାଷ୍ଟ୍ରାୟତ୍ତ ଉଦ୍ୟୋଗ । ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ ୧୯୫୭ରେ ପ୍ରତିଷ୍ଠା ହୋଇଥିଲା ମହାବିଦ୍ୟାଳୟ । ୨୦୦୫ରେ ଅନୁଗୋଳ ସରକାରୀ ମହାବିଦ୍ୟାଳୟ ସ୍ୱୟଂଶାସିତ ମହାବିଦ୍ୟାଳୟର ମାନ୍ୟତା ପାଇଥିଲା।  ସହର ମଧ୍ୟଭାଗରେ ୪୨ ଏକର ଜମିରେ ଥିବା ଶିକ୍ଷାନୁଷ୍ଠାନରେ ସବୁ ପ୍ରକାର ଭିତ୍ତିଭୂମି ରହିଛି । ଜାତୀୟ ରାଜପଥ ଓ ଟ୍ରେନ ଯୋଗାଯୋଗ ସୁବିଧା ଅଛି । ବିଭିନ୍ନ ବିଭାଗରେ ୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ୧୫ଟି ବିଭାଗରେ ସ୍ନାତକୋତ୍ତର ପାଠ୍ୟକ୍ରମ ରହିଛି । ଛାତ୍ରାବାସ, ଉତ୍ତମ ଶୈକ୍ଷିକ ବାତାବରଣ, ଆବଶ୍ୟକ ଅଧ୍ୟାପକ ଓ ଉପକରଣ ରହିଛି । ତଥାପି ମହାବିଦ୍ୟାଳୟକୁ ମିଳୁନାହିଁ ବିଶ୍ବବିଦ୍ୟାଳୟ ମାନ୍ୟତା । ଛାତ୍ରଛାତ୍ରୀ ପାଉନାହାନ୍ତି ବିଶ୍ବ ବିଦ୍ୟାଳୟ ସ୍ତରୀୟ ସୁବିଧା ।  

ଅନୁଗୋଳ, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ ଜିଲ୍ଲାର ଛାତ୍ରଛାତ୍ରୀ ପଢ଼ୁଛନ୍ତି । ଦୀର୍ଘବର୍ଷ ହେବ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବି ହେଉଛି । ସବୁ ଭିତ୍ତିଭୂମି ଥାଇ ବି କାହିଁକି ବିଶ୍ବବିଦ୍ୟାଳୟ ମାନ୍ୟତା ଦିଆଯାଉନାହିଁ ବୋଲି ପୁରାତନ ଛାତ୍ରଛାତ୍ରୀ ପ୍ରଶ୍ନ କରିଛନ୍ତି।