କନକ ବ୍ୟୁରୋ: ପିପିଲିରେ ମହିଳା ଆରଆଇଙ୍କୁ ଯୌନ ନିର୍ଯାତନା ମାମଲାକୁ ବିତିଲାଣି ୭୨ ଘଣ୍ଟା । ହେଲେ ଏଯାଏ ହୋଇନି ପୀଡ଼ିତାଙ୍କ ବୟାନ ରେକର୍ଡ । ୭୨ ଘଣ୍ଟା ବିତିଥିଲେ ବି ପୁଲିସ ହାତ ବାନ୍ଧି ବସିଛି । ଏହାରି ଭିତରେ ସାମ୍ନାକୁ ଆସିଛି ତହସିଲଦାର କାର୍ଯ୍ୟାଳୟର ସିସିଟିଭି ଦୃଶ୍ୟ । ସିସିଟିଭିରେ ସଫା ସଫା ଦେଖିବାକୁ ମିଳିଛି , ଅତିରିକ୍ତ ତହସିଲଦାର ପ୍ରବୋଧ ମହାନ୍ତି, ମହିଳା ଆରଆଇଙ୍କ ହାତ ଧରି ନିଜ କକ୍ଷକୁ ଟାଣୁଛନ୍ତି । ମାତ୍ର ମହିଳା ଆରଆଇ ଜଣକ ହାତ ଛାଟି ସେଠାରୁ ଚାଲିଯାଉଛନ୍ତି । ସିସିଟିଭି ଦୃଶ୍ୟ ବୟାନ କରୁଛି ଅତିରିକ୍ତ ତହସିଲଦାର ପ୍ରବୋଧ ମହାନ୍ତିଙ୍କ ହୀନ ମନୋଭାବ ।
ଗତ ୨୪ ତାରିଖ ଅପରାହ୍ନରୁ ଅତିରିକ୍ତ ତହସିଲଦାର ପ୍ରବୋଧ ମହାନ୍ତିଙ୍କ ବିରୋଧରେ ଅଭିଯୋଗ ହୋଇଥିଲେ ବି ବର୍ତ୍ତମାନ ଯାଏ ତାଙ୍କୁ ପଚରାଉଚୁରା କରାଯାଇନାହିଁ । ୭୨ ଘଣ୍ଟାରୁ ଅଧିକ ସମୟ ହେବ ଘଟଣା ଘଟିଲାଣି । କିନ୍ତୁ ଏଯାଏ ଅଭିଯୁକ୍ତ ଅତିରିକ୍ତ ତହସିଲଦାର ପ୍ରବୋଧ ମହାନ୍ତିଙ୍କୁ ଗିରଫ କରିବାକୁ ହାତ ଯାଉନି । କାହା ଚାପରେ ପିପିଲି ପୁଲିସ ଚେପା ବୋଲି ପ୍ରଶ୍ନ ଉଠିଛି । ବଡ଼ କଥା ହେଉଛି, ଜଣେ ମହିଳା ଆରଆଇ ନିଜ ଅଫିସରେ ସୁରକ୍ଷିତ ନାହାନ୍ତି । ମିଟିଂକୁ ଆସିଥିବା ମହିଳା ଆରଆଇଙ୍କୁ ଏ ବାବୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି ।
ସେପଟେ ଅଭିଯୋଗ ପରେ ବିନା ତଦନ୍ତରେ ଅଭିଯୁକ୍ତ ଅତିରିକ୍ତ ତହସିଲଦାରଙ୍କୁ ବ୍ରହ୍ମଗିରି ବଦଳି କରି ଦିଆଯାଇଛି । ମୁଖ୍ୟାଳୟରେ ନରଖି ଜିଲ୍ଲାପାଳ ତାଙ୍କୁ ନୂଆ ସ୍ଥାନରେ ନିଯୁକ୍ତି ଦେବା ବି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପୁଲିସ ୩ ଦିନ ହେଲାଣି ମାମଲା ରୁଜୁ କରି ଚୁପ୍ ବସିଛି । ଆଉ କାହା ନିର୍ଦ୍ଦେଶକୁ ପୁଲିସ ଅପେକ୍ଷା କରୁଛି କି ? କାହିଁକି ଅଧିକାରୀଙ୍କୁ ଗିରଫ କରିବାକୁ ସାହସ ଜୁଟାଇ ପାରୁନି ? ପୀଡ଼ିତାଙ୍କ ଅଭିଯୋଗ ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କାହିଁକି ନିଆଯାଉନି ? ପୀଡ଼ିତାଙ୍କ ବୟାନ ରେକର୍ଡ ହୋଇନି କ’ଣ ପାଇଁ ?