କନକ ବ୍ୟୁରୋ : କଳାହାଣ୍ଡି ଧର୍ମଗଡ଼ ବ୍ଲକ୍‌ର ୯ଟି ପଞ୍ଚାୟତ ଓ କୋକସରା ବ୍ଲକର ୭ଟି ପଞ୍ଚାୟତକୁ ନେଇ ଦଣ୍ଡପାଟ ଅଞ୍ଚଳ । ଏହି ଅଞ୍ଚଳର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରନ୍ତି ।  ପ୍ରାୟ ୩୦% ଲୋକ ନିଜ ଅଞ୍ଚଳରେ କାମ ନପାଇ  ରାଜ୍ୟ ବାହାରକୁ ଦାଦନ ଯାଉଛନ୍ତି । ଦାଦନ ସମସ୍ୟାର ନିରାକରଣ ପାଇଁ ମାସେ ତଳୁ ରାଜ୍ୟ ସରକାର ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠନ କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଓ ବିଭାଗୀୟ ମନ୍ତ୍ରୀ ଏହାର ସଦସ୍ୟ ଥିବା ଜାଣି ଦାଦନ ଶ୍ରମିକଙ୍କ ଦୁଃଖ ଦୂର ହେବ ବୋଲି ଆଶା ଥିଲା । ଦକ୍ଷତା ବିକାଶ, ଋଣ ପ୍ରଦାନ ଓ ଦାରିଦ୍ର୍ୟ ନିରାକରଣ ଯୋଜନାରେ ସବୁ ପରିବାରକୁ ସାମିଲ କରାଯିବ ବୋଲି କୁହାଯାଇଥିଲା । କିନ୍ତୁ ଟାସ୍କ ଫୋର୍ସ ଗଠନ ପରେ ଦାଦନ ସମସ୍ୟା କମିବ କଣ ବଢ଼ିବାରେ ଲାଗିଛି । ଦାଦନ ଶ୍ରମିକଙ୍କ ଶବ ଗାଁକୁ ଫେରିବା ପ୍ରକ୍ରିୟା ଜାରି ରହିଛି ।

Advertisment

୮୦ ଦଶକରେ କଳାହାଣ୍ଡି ଜିଲ୍ଲାକୁ ଭୋକର ଭୂଗୋଳ ଭାବେ ଚିତ୍ରଣ କରାଯାଇଥିଲା । ଇନ୍ଦ୍ରାବତୀ ଉତ୍ପତି ପରେ କଳାହାଣ୍ଡି ଭୋକର ଭୁଗୋଳରୁ ସବୁଜ ହେଲା । କିନ୍ତୁ ଦାଦନ ସମସ୍ୟାରେ ପୂର୍ଣ୍ଣଚ୍ଛେଦ ପଡ଼ିପାରୁନାହିଁ । ଦାଦନଙ୍କ ତାଲିକା କମିବା ବଦଳରେ ବଢ଼ିବାରେ ଲାଗିଛି । ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେଲେ ଆହୁରି କେତେ ଯେ ଦାଦନ ଶବ ଘରକୁ ଫେରିବ ତାହା କହି ହେବ ନାହିଁ । ତୁରନ୍ତ ଦାଦନ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ପ୍ରଶାସନକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି ।