କନକ ବ୍ୟୁରୋ: ଦିନ ଥିଲା ମେ’ ୩ ତାରିଖ, ଆଉ ବର୍ଷ ଥିଲା ୧୯୬୯ ମସିହା । ଏହି ଦିନ ଭାରତର ରାଷ୍ଟ୍ରପତି ଥିବା ଡଃ ଜାକିର ହୁସେନଙ୍କର ପରଲୋକ ହୋଇଥିଲା । ଆଉ ଏହାର ଠିକ୍ ପରେ ପରେ ସେତେବେଳେ ଉପରାଷ୍ଟ୍ରପତି ଥିବା ଭି ଭି ଗିରି ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ପାଇଁ ଉପ-ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ । ଏଥିଲା ଏମିତି ଗୋଟିଏ ସମୟ, ଯେତେବେଳେ ଭାରତରେ ଉଭୟ ରାଷ୍ଟ୍ରପତି ଆଉ ଉପ-ରାଷ୍ଟ୍ରପତି ପଦ ଫାଙ୍କା ପଡ଼ିଥିଲା । ଆଉ ସେତେବେଳେ ଦେଖିବାକୁ ମିଳିଥିଲା ଭାରତୀୟ ଗଣତନ୍ତ୍ରର ଏକ ଅଦ୍ଭୁତ ଦୃଶ୍ୟ ।

Advertisment

ଉଭୟ ରାଷ୍ଟ୍ରପତି ଆଉ ଉପ-ରାଷ୍ଟ୍ରପତି ପଦ ଖାଲି ପଡ଼ିଥିବା ସମୟରେ, ସେତେବେଳେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଥିବା ମହମ୍ମଦ ହିଦାୟତୁଲ୍ଲାଙ୍କୁ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଦିଆଯାଇଥିଲା । ଆଉ ତା ପରେ ରାଷ୍ଟ୍ରପତି ନିର୍ବାଚନ ହେବା ସହିତ ଭି ଭି ଗିରି ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ତେବେ ନୂଆ ରାଷ୍ଟ୍ରପତି ନିର୍ବାଚିତ ହୋଇ ଶପଥ ନେବା ପର୍ଯ୍ୟନ୍ତ କିନ୍ତୁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାରତର କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରୁଥିଲେ ।

ଭି ଭି ଗିରି ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରଠୁ ରାଷ୍ଟ୍ରପତି ନିର୍ବାଚିତ ହେବା ପର୍ଯ୍ୟନ୍ତ ଏକ ଅସାମାନ୍ୟ ସ୍ଥିତି ଥିଲା । ସେତେବେଳେ ଦୀର୍ଘ ୧୦୦ ଦିନ ଧରି ଉପ-ରାଷ୍ଟ୍ରପତି ପଦ ଖାଲି ପଡ଼ିଥିଲା । ଭି ଭି ଗିରି ମେ ମାସରୁ ଜୁଲାଇ ମାସ ପର୍ୟ୍ୟନ୍ତ ଉଭୟ କାର୍ୟ୍ୟକାରୀ ରାଷ୍ଟ୍ରପତି ଏବଂ ଉପ-ରାଷ୍ଟ୍ରପତି ପଦ ସମ୍ଭାଳିଥିଲେ । ଏହାପରେ ସେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ପାଇଁ ନିଜ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜୁଲାଇ ୨୦ରୁ ଅଗଷ୍ଟ ୨୪, ୧୯୬୯ ମସିହା ପର୍ୟ୍ୟନ୍ତ ରାଷ୍ଟ୍ରପତି ପଦ ସମ୍ଭାଳିଥିଲେ ।  

ଅଧାରୁ ଇସ୍ତଫା ଦେଇଥିଲେ ଏହି ଉପ-ରାଷ୍ଟ୍ରପତି

କେବଳ ଜଗଦୀପ ଧନଖଡ଼ ନୁହଁନ୍ତି ବରଂ ଏହା ପୂର୍ବରୁ ମଧ୍ୟ ଏମିତି ଏକାଧିକ ଉପ-ରାଷ୍ଟ୍ରପତି ଅଛନ୍ତି ଯେଉଁମାନେ କି ନିଜର କାର୍ଯ୍ୟକାଳ ପୂରଣ ହେବା ପୂର୍ବରୁ ଇସ୍ତଫା ଦେଇଛନ୍ତି । ଏହି ଲିଷ୍ଟର ସବୁଠୁ ଉପରେ ରହିଛନ୍ତି ଭି ଭି ଗିରି (୧୯୬୯) । ତାଙ୍କ ପରେ ରାମାସ୍ୱାମୀ ଭେଙ୍କଟରମଣ (୧୯୮୭) ଏବଂ ଶଙ୍କର ଦୟାଲ ଶର୍ମା (୧୯୯୨) ହେଉଛନ୍ତି ଏମିତି ଜଣେ ଜଣେ ଉପ-ରାଷ୍ଟ୍ରପତି ଯେଉଁମାନେ କି ନିଜର କାର୍ଯ୍ୟକାଳ ମଝିରୁ ଇସ୍ତଫା ଦେଇଥିଲେ । ତେବେ ଏମାନେ ସମସ୍ତେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ପାଇଁ ନିଜ ପଦରୁ ଇସ୍ତଫା ଦେଇଥିବାବେଳେ, ଜଗଦୀପ ଧନଖଡ଼ କିନ୍ତୁ ଅଚାନକ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।