କନକ ବ୍ୟୁରୋ: ୧୮, ମେ’ ୧୯୭୪ ମସିହା । ଏହି ଦିନକୁ କେହି କେବେ ଭୁଲିପାରିବେନି । କାରଣ ଆଜିର ଦିନରେ ଭାରତ କରିଥିଲା ତାର ପ୍ରଥମ ପରୁମାଣୁ ପରୀକ୍ଷଣ । ଆଜିକୁ ୫୧ ବର୍ଷ ପୂର୍ବେ ହୋଇଥିବା ଏହି ପରମାଣୁ ପରୀକ୍ଷଣରେ ସାରା ଦୁନିଆ ଚକିତ ହୋଇଯାଇଥିଲା । ଏହି ପରମାଣୁ ପରୀକ୍ଷଣ ଭାରତ ରାଜସ୍ଥାନର ପୋଖରାନରେ କରିଥିଲା । ଆଉ ଏଥିରୁ ସାରା ବିଶ୍ୱକୁ ଭାରତ ସନ୍ଦେଶ ଦେଇଥିଲା ଯେ ଏହି ପରମାଣୁ ପରୀକ୍ଷଣ କେବଳ ଶାନ୍ତି ପାଇଁ ଥିଲା । ଚୀନ୍, ଋଷ, ଫ୍ରାନ୍ସ, ଆମେରିକା ଓ ବ୍ରିଟେନର ପରେ ଭାରତ ଏକମାତ୍ର ଦେଶ ଭାବେ ୟୁଏନଏସସିର ସ୍ଥାୟୀ ସଦସ୍ୟ ହୋଇଥିଲା ।
ଭାଭା ପରମାଣୁ ଅନୁସନ୍ଧାନ କେନ୍ଦ୍ରର ତତ୍କାଳୀନ ନିର୍ଦ୍ଦେଶକ ଡକ୍ଟର ରାଜା ରମନ୍ନା ଓ ଦେଶର ଜଣାଶୁଣା ଭୌତିକ ବିଜ୍ଞାନୀ ପିକେ ଅୟେଙ୍ଗର ତତ୍ତ୍ୱାବଧାନରେ ଏହି ପରୀକ୍ଷଣକୁ ସଫଳ କରାଯାଇଥିଲା । ଡକ୍ଟର ରାଜା ରମନ୍ନା ଏହି ପ୍ରୋଜେକ୍ଟର ହେଡ୍ ଥିଲେ ଆଉ ଏହି ପରମାଣୁ ଅସ୍ତ୍ରର ଡିଜାଇନ୍ କରିଥିଲେ ପିକେ ଅୟାଙ୍ଗର । ଦୁନିଆର ନଜରରୁ ବଞ୍ଚାଇବା ପାଇଁ ଏହି ମିଶନକୁ କୋଡ୍ ନେମ୍ ଦିଆଯାଇଥିଲା । ଯାହାର ନାଁ ଥିଲା ସ୍ମାଇଲିଙ୍ଗ୍ ବୁଦ୍ଧ । କାରଣ ସେହିଦିନ ବୁଦ୍ଧ ପୂର୍ଣ୍ଣିମା ପଡ଼ିଥିଲା, ଆଉ ଏହାର ଏପରି ନାମକରଣ ପଛରେ ଆଉ ଏକ କାରଣ ଥିଲା ଏହି ପରୀକ୍ଷଣ କରି ଭାରତ ସାରା ବିଶ୍ୱକୁ ଶାନ୍ତିର ସନ୍ଦେଶ ଦେବାକୁ ଚାହୁଥିଲା । ଯେବେ ଯାଏଁ ଏହି ଅପରେସନ ସଫଳ ନହୋଇଥିଲା ସେବେ ଯାଏଁ ପିକେ ଅୟଙ୍ଗର ଏହାକୁ ଗୋପନୀୟ ରଖିଥିଲେ ।
ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ସମୟରେ ଭାରତ ଏହି ସଫଳତା ହାସଲ କରିଥିଲା । ଏହି ମିଶନ ସଫଳ ହେବା ପରେ ଡକ୍ଟର ରମନ୍ନା ଇନ୍ଦିରା ଗାନ୍ଧୀଙ୍କୁ ଫୋନ କରି କହିଥିଲେ ବୁଦ୍ଧ ହସୁଛନ୍ତି । ଏହି ସିକ୍ରେଟ ମିଶନ ପାଇଁ ୭୫ ବୈଜ୍ଞାନିକ ୧୯୬୭ ମସିହାରୁ ୧୯୭୪ ମସିହା ଯାଏଁ କଡା ପରିଶ୍ରମ କରିଥିଲେ । ଏହି ସଫଳତା ପରେ ଇନ୍ଦିରା ଗାନ୍ଧୀ ସେହି ସ୍ଥାନକୁ ଗସ୍ତ ବି କରିଥିଲେ ।
ଯେବେ ଭାରତ ନିଜକୁ ପରମାଣୁ ଶକ୍ତି ସମ୍ପନ୍ନ ଦେଶ ଘୋଷଣା କରିଥିଲା ସେତେବେଳେ ଆମେରିକା ଚିହିଁକି ଉଠିଥିଲା । ଆମେରିକାକୁ ସେତେବେଳେ ଅଧିକ ଚିନ୍ତା ଏହା ଥିଲା ଯେ ଗୁଇନ୍ଦା ସଂସ୍ଥା ଓ ସାଟେଲାଇଟକୁ ଏହି ବାବଦରେ କେମିତି ସୂଚନା ମିଳିଲା । ଏହାର କାରଣ ସେତେବେଳେ ଏହା ଥିଲା ଯେ ଆମେରିକା ସେହି ସମୟରେ ଭିଏତନାମ୍ ଯୁଦ୍ଧରେ ମାତିଥିଲା । ଏହି ପରୀକ୍ଷଣ ପରେ ଆମେରିକା ଆଉ ଅନ୍ୟ କିଛି ଦେଶ ଭାରତ ଉପରେ ପ୍ରତିବନ୍ଧକ ଲଗାଇଦେଇଥିଲେ । ଅପରେସନ ସ୍ମାଇଲିଂ ବୁଦ୍ଧ ପରେ ଭାରତ ପୁଣି ପରମାଣୁ ପରୀକ୍ଷଣ କରିଥିଲା । ୧୯୯୮ ମେ’ ୧୧ ଓ ୧୩ ତାରିଖରେ ଦୁଇଥର ପରମାଣୁ ପରୀକ୍ଷଣ କରି ଭାରତ ଇତିହାସ ରଚିଥିଲା । ସେତେବେଳେ ଭାରତ ପ୍ରଧାନମନ୍ତ୍ରୀ ଥିଲେ ଅଟଳବିହାରୀ ବାଜପେୟୀ ।
ବର୍ତ୍ତମାନ ଭାରତକୁ ଦୁଇ ପରମାଣୁ ଶକ୍ତି ଦେଶ ଘେରି ରହିଛନ୍ତି । ଭାରତ ୨୦୦୦ ମସିହା ପରେ ୯୨ ପ୍ରତିଶତ ପରମାଣୁ ଅସ୍ତ୍ର ବୃଦ୍ଧି କରିଛି । ଆମେରିକା ସ୍ଥିତ ଏଫଏଏସ ସଂସ୍ଥା ଅନୁସାରେ ଭାରତ ପାଖରେ ୨୦୦୦ ମସିହାରେ ପାଖାପାଖି ୧୩ଟି ପରମାଣୁ ଅସ୍ତ୍ର ରହିଥିଲା । ୨୫ ବର୍ଷ ଭିତରେ ଏହି ସଂଖ୍ୟା ବଢି ଏବେ ୧୮୦ରେ ପହଞ୍ଚିଛି । ଏହାର ଅର୍ଥ ପ୍ରତି ବର୍ଷ ଭାରତ ୭ ନୂଆ ପରମାଣୁ ଅସ୍ତ୍ର ସାମିଲ କରୁଛି । ରିପୋର୍ଟ ଅନୁସାରେ ଭାରତ କୌଣସି ପରମାଣୁ ଅସ୍ତ୍ର ମୁତୟନ କରିନାହିଁ, ସବୁ ପରମାଣୁ ଅସ୍ତ୍ର ରିଜର୍ଭ ରଖିଛି । ବର୍ତ୍ତମାନ ଭାରତ ପରମାଣୁ ଶକ୍ତିରେ ସାରା ବିଶ୍ୱରେ ଷଷ୍ଠ ସ୍ଥାନରେ ରହିଛି ।