କନକ ବ୍ୟୁରୋ : ଡ୍ୟାମ୍ ଶବ୍ଦଟି ଚାଷୀଙ୍କ କାନକୁ ଭାରି ଭଲ ଶୁଭେ । ପର୍ଯ୍ୟଟକ ତ ଡ୍ୟାମ୍ ପାଖକୁ ବୁଲାବୁଲି କରିବାକୁ ଆସିଥାନ୍ତି । କିନ୍ତୁ ଚାଷୀଟିଏ, ଡ୍ୟାମ୍କୁ ଭରସା କରେ ପରିବାର ଚଳାଇବା ପାଇଁ, ପିଲାଙ୍କୁ ପାଠ ପଢ଼ାଇବା ପାଇଁ । ଡ୍ୟାମ୍ରେ ସଂରକ୍ଷିତ ହୋଇ ରହୁଥିବା ପାଣିରେ ଚାଷ କରି ରୋଜଗାର କରିବା ପାଇଁ । ଅଣଜଳସେଚିତ ଅଞ୍ଚଳକୁ ଜଳସେଚିତ କରିବା ଉଦ୍ଦେଶ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ।
ଚାଷ ଜମିକୁ ପାଣି ମଡ଼ାଇବା ଲାଗି କେନାଲ ମଧ୍ୟ କରାଯାଉଛି । ପାଣି ପାଇବା ଆଶାରେ ଚାଷୀ ମଧ୍ୟ ନିଜ ଜମିକୁ ପ୍ରଶାସନ ହାତକୁ ଟେକି ଦେଉଛନ୍ତି । ହେଲେ ଅନେକ ସ୍ଥାନରେ ଆବଶ୍ୟକ ସମୟରେ ଚାଷ ଜମିକୁ ପାଣି ପହଞ୍ଚିପାରୁନାହିଁ । ଯେଉଁ ସମୟରେ ଚାଷୀଙ୍କୁ ବର୍ଷା ଧୋକା ଦେଉଛି ସେହି ସମୟରେ ଡ୍ୟାମ୍ ବି ଧୋକା ଦେଇଛି । ରାୟଗଡ଼ାର ବିଷ୍ଣୁଗୁଡ଼ା ଡ୍ୟାମ୍ ଓ କଳାହାଣ୍ଡିରେ ପାର୍ବତୀଗିରି ଉଠା ଜଳସେଚନ ପ୍ରକଳ୍ପ । ଖରାରେ ଧାନ ଗଛ ଜଳିଯାଉଛି । ହେଲେ ଏଠାରେ ଲୋକଙ୍କ ଚାଷ ଜମିରେ ପାଣି ପହଞ୍ଚି ପାରୁନାହିଁ । ଜୟପୁରରେ ଚାଷ ସମୟରେ କେନାଲ କାମ ଚାଲିଛି । ବର୍ଷାଦିନେ କେନାଲ କାମକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି ।
ଜଳସେଚିତ ହେବ କଳାହାଣ୍ଡି ଜିଲ୍ଲାରେ ଅଣଜଳସେଚିତ ଅଞ୍ଚଳ । ସେଥିପାଇଁ କୋଟିକୋଟି ଟଙ୍କା ବ୍ୟୟରେ ହୋଇଥିଲା ପାର୍ବତୀଗିରି ଉଠାଜଳସେଚନ ପ୍ରକଳ୍ପ । ପୂର୍ବ ସରକାରଙ୍କ ଅମଳରେ ହୋଇଥିବା ଏହି ପ୍ରକଳ୍ପ ବର୍ତ୍ତମାନ ସରକାରଙ୍କ ଦୂରଦୃଷ୍ଟିର ଅଭାବ ଓ ପରିଚାଳନାଗତ ତ୍ରୁଟି ପାଇଁ ଅଚଳ ହୋଇପଡ଼ିଛି । ଯାହାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ଚାଷୀ ।