କନକ ବ୍ୟୁରୋ : ଭାରତରେ ପ୍ରତିଟି ଶୁଭ କାର୍ଯ୍ୟ ଆରମ୍ଭ ପୂର୍ବରୁ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଏ । ଯାହାଦ୍ବାରା ଉକ୍ତ କାମଟି ଯେମିତି ସୁରୁଖୁରୁରେ ସମ୍ପନ୍ନ ହେବ । ଗୃହପ୍ରବେଶ ପୂଜାରୁ ଆରମ୍ଭ କରି ନୂଆ ଗାଡ଼ି କିଣିଲେ ମଧ୍ୟ ପୂଜା କରି ଆମେ ଏହାକୁ ବ୍ୟବହାର କରୁ । ତେବେ ଏହା ଭାରତରେ ସାଧାରଣ କଥା , କାରଣ ପ୍ରତିଦିନ ଏମିତି ପୂଜା କେଉଁଠି ନା କେଉଁଠି କାହା ଘରେ ଚାଲିଥାଏ । କିନ୍ତୁ ଏହା ସେତେବେଳେ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଲାଗିବ ଯେତେବେଳେ ଏହି ପରମ୍ପରାକୁ କୌଣସି ବିଦେଶୀ ପାଳନ କରିବେ । ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି । ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଇଣ୍ଟରନେଟରେ ଜଣେ ଆଫ୍ରିକୀୟ ପୂଜାରୀ ନିଜ କାରର ପୂଜା ପାଇଁ ସଂସ୍କୃତ ଶ୍ଲୋକ ପଢୁଥିବାର ଏକ ଭିଡିଓ ଭାଇରାଲ ହେଉଛି । 

Advertisment

ସୋସିଆଲ ମିଡିଆ ସାଇଟ୍ ‘ଏକ୍ସ’ ରେ Ramu GSV ନାମକ ଆଇଡିରୁ ଏହି ଭିଡିଓ ସେୟାର କରାଯାଇଛି । ଏହାକୁ ଅପଲୋଡ୍ କରାଯିବା ପରଠାରୁ ୧୦ ଲକ୍ଷରୁ ଅଧିକ ଲୋକ ଭିଡିଓ ଦେଖିସାରିଲେଣି । ଏହି ଭିଡିଓରେ ଜଣେ ଆଫ୍ରିକୀୟ ପଣ୍ଡିତ କାରର ପୂଜା କରୁଛନ୍ତି । ଏହି ସମୟରେ ସେ ହିନ୍ଦୁ ରୀତିନୀତି ଅନୁସାରେ ପୂଜା କରିବା ସହିତ ସଠିକ୍ ଉଚ୍ଚାରଣ କରି ସଂସ୍କୃତ ଶ୍ଲୋକ ମଧ୍ୟ ପାଠ କରୁଛନ୍ତି । ସେ ତାଙ୍କର ନୂଆ କାରର ସୁରକ୍ଷା ପାଇଁ ଭଗବାନଙ୍କଠାରୁ ଆଶୀର୍ବାଦ ମାଗୁଛନ୍ତି । ଭିଡିଓରେ ଦେଖାଯାଉଛି ଯେ ଯେତେବେଳେ ସେ ଭଗବାନଙ୍କୁ ଧ୍ୟାନ କରୁଛନ୍ତି, ସେତେବେଳେ କାରର ସାମ୍ନା ହୁଡ୍ ଖୋଲିଯାଉଛି । ଆଫ୍ରିକୀୟ ବ୍ୟକ୍ତି ଜଣକ ଭାରତୀୟ ପଣ୍ଡିତଙ୍କ ଭଳି ପାଞ୍ଚି ପିନ୍ଧି ମନ୍ତ୍ର ଉଚ୍ଚାରଣ କରିବା ସହ ହାତର ମୁଦ୍ରାକୁ ମଧ୍ୟ ସଠିକ ଢ଼ଙ୍ଗରେ ବ୍ୟବହାର କରୁଛନ୍ତି । ଭିଡିଓରେ କ୍ୟାପସନ ଲେଖାଯାଇଛି ଯେ “ଆଫ୍ରିକୀୟ ହିନ୍ଦୁ ପଣ୍ଡିତ ନୂଆ କାରର ପୂଜା କରୁଛନ୍ତି ।” ଭିଡିଓ ପୋଷ୍ଟ ହେବା ପରେ ଏକ୍ସରେ ୟୁଜରମାନେ ଆଫ୍ରିକୀୟ ବ୍ୟକ୍ତି ଜଣଙ୍କୁ ପ୍ରଶଂସା କରିବା ସହ ଭାରତୀୟ ସଂସ୍କୃତିକୁ ସଲାମ କରିଛନ୍ତି । ଭିଡିଓଟି ଭାଇରାଲ ହେବା ପରେ ଲୋକମାନେ କମେଣ୍ଟ କରିବାରେ ଲାଗିଛନ୍ତି । ଜଣେ ୟୁଜର ଲେଖିଛନ୍ତି, “ସେ ଭାରତର ସହରୀ ଲୋକଙ୍କଠାରୁ ଭଲ ଉଚ୍ଚାରଣ କରୁଛନ୍ତି ।” ଅନ୍ୟ ଜଣେ ଲେଖିଛନ୍ତି, “ଆଜି ଟ୍ୱିଟରରେ ସବୁଠାରୁ ସୁନ୍ଦର ଦୃଶ୍ୟ ଦେଖିଲି ।” ଅନେକ ବର୍ଷ ଧରି ଲାଗୋସରେ ରହୁଥିଲି, ସେଠାରେ ମନ୍ଦିରର ପୂଜାରୀ ଜଣେ ଆଫ୍ରିକୀୟ ଥିଲେ, ପ୍ରତି ପୂର୍ଣ୍ଣିମାରେ ଆମେ ସତ୍ୟନାରାୟଣ ପୂଜା କରୁଥିଲୁ, ଅନେକ ସ୍ଥାନୀୟ ଲୋକ ମଧ୍ୟ ଆସୁଥିଲେ । ଆମେ ସମସ୍ତ ପର୍ବ ଏହିଭଳି ଭାବେ ମନ୍ତ୍ର ଉଚ୍ଚାରଣ କରି ପାଳୁଥିଲୁ ।”