କନକ ବ୍ୟୁରୋ: ଗୋଦାମରେ ଖତ ଖାଉଛି ଗହମ । କିନ୍ତୁ ଗହମ ପାଉନାହାନ୍ତି ଲୋକ । ଖୋଲା ବଜାରରୁ ଗହମ ଓ ଅଟା କିଣି ଖାଉଛନ୍ତି । ଏବେ ସରକାର କଣ୍ଟ୍ରୋଲରୁ ଗହମ ମିଳିବା ନେଇ ସ୍ପଷ୍ଟ କରିବା ପରେ ଲୋକ ଆଶ୍ବସ୍ତ ହୋଇଥିଲେ। ହେଲେ ମାସମାସ ଧରି ଗୋଦାମରେ ଗଚ୍ଛିତ ଥିବା ଖରାପ ମାନର ଗହମକୁ ନେଇ ଲୋକଙ୍କ ମନରେ ଆଶଙ୍କା ଉପୁଜିଛି । ଦୀର୍ଘ ୮ ମାସ ପରେ ବାଲେଶ୍ବର ଜିଲ୍ଲାରେ ଗୋଦାମ ଘରୁ ବାହାରିଛି ଗହମ । ଏତେ ଦିନ ଧରି ଗହମ ରହିବାରୁ ମାନ ଖରାପ ହୋଇଯାଇଛି ।
ଗହମ ଗୁଣ୍ଡ ହୋଇ ଅଖାରେ ଲାଗିଗଲାଣି । ପୋକ ଲାଗିଲେଣି । କେତେକ ଅଖାକୁ ମୂଷା କାଟିଦେଇଛି। ଆଉ ଏହି ଗହମକୁ ଡିଲର ମାନଙ୍କ ପାଖକୁ ପଠାଯାଇଛି । ସେପଟେ କୋରାପୁଟ ଜିଲ୍ଲାର ଜୟପୁରରୁ ଆସିଛି ସମାନ ଚିତ୍ର । ଭୂପତି ସାହିରେ ଡିଲର ପାଖରେ ଗଦା ହୋଇପଡ଼ିଛି କ୍ବିଣ୍ଟାଲ କ୍ବିଣ୍ଟାଲ ଗହମ ବସ୍ତା । ସରକାରୀ ଆଦେଶ ନଥିବାରୁ ହିତାଧିକାରୀଙ୍କୁ ଗହମ ଦେଇ ହେଉନାହିଁ । ବର୍ଷେ ହେଲାଣି ଗହମ ପଡ଼ିପଡ଼ି ବସ୍ତାରେ ପୋକ ଲାଗିଯାଇଛି ।