କନକ ବ୍ୟୁରୋ : ଗତ ଅକ୍ଟୋବର ମାସରୁ ରାସନ କାର୍ଡରେ ଖାଉଟିଙ୍କୁ ଗହମ ବଣ୍ଟନ ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ। ଏମିତି କି କିଛି ଡିଲର ପଏଣ୍ଟକୁ ଗହମ ପହଁଚି ଥିବା ମନ୍ତ୍ରୀ କହିଥିଲେ । ହେଲେ ଅଚାନକ ଭାବରେ ଗହମ ବଣ୍ଟନ ନକରିବାକୁ କହିଛି ଯୋଗାଣ ବିଭାଗ । ବିଧିବଦ୍ଧ ଭାବେ କୌଣସି ନିର୍ଦ୍ଦେଶନାମା ଜାରି କରିନଥିଲେ ବି ମୋବାଇଲ ମେସେଜ୍ ଜରିଆରେ ଡିଲରମାନଙ୍କୁ ଗହମ ନ ବାଣ୍ଟିବାକୁ କୁହାଯାଇଛି । ଯଦିଓ କେବେ ଯାଏଁ ଗହମ ମିଳିବ ନାହିଁ ସେ ନେଇ ଉଲ୍ଲେଖ କରି ନାହାଁନ୍ତି, ହେଲେ ଡ଼ିସେମ୍ବର ଯାଏଁ ବନ୍ଦ ରହିବ ଏହା ଏକପ୍ରକାର ସ୍ପଷ୍ଟ ହୋଇଛି । କାରଣ ମଙ୍ଗଳ ବାର ମୁଖ୍ୟମନ୍ତ୍ରୀ ୩ ମାସ ପାଇଁ ଅଗ୍ରୀମ ମୁଣ୍ଡପିଛା ୧୫ କେଜି ଚାଉଳ ଦେବାକୁ ଘୋଷଣା କରିଛନ୍ତି ।
କେବଳ ଏତିକି ନୁହେଁ ଅସ୍ତରଙ୍ଗରେ ଡିଲର ଗହମ ନଦେଇ ରାସନକାର୍ଡରେ ଲେଖିବାକୁ ନେଇ ବିବାଦ ଉପୁଜିଥିଲା । ହିତାଧିକାରୀ ଡିଲରଙ୍କୁ ଏଥିପାଇଁ ଘେରିଥିଲେ । ଇପିଓଏସ ମେସିନ୍ ଦ୍ବାରା ବିଲିଂ କରାଯାଉଥିବାରୁ ଚାଉଳ ସହ ଗହମ ବିଲ୍ ବାହାରୁଥିଲା । ବିଲ୍ ଅନୁସାରେ ଡିଲର ଉଭୟ ଚାଉଳ ଓ ଗହମ ଦିଆଯାଇଥିବା ହିତାଧିକାରୀଙ୍କ ଖାତାରେ ଲେଖୁଥିଲେ । କିନ୍ତୁ ଗହମ ନଦେଇ ଲେଖିବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଆଉ ବିବାଦ ପରେ ଯୋଗାଣ ମନ୍ତ୍ରୀ ସାମନାକୁ ଆସି ୩ମାସ ପରେ ଗହମ ମିଳିବ ବୋଲି ସ୍ପଷ୍ଟ କରିଛନ୍ତି । ବର୍ତ୍ତମାନ ଜିଲ୍ଲାୱାରୀ ହିସାବ ଚାଲିଥିବାରୁ କିଛି ସମୟ ଆବଶ୍ୟକ । ୨୦୨୧ରୁ ରାଜ୍ୟରେ ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଗହମ ଯୋଗାଣ ବନ୍ଦ ଥିଲା । ନୂଆ ସରକାର ଆସିଲା ପରେ ଅକ୍ଟୋବର ମାସରୁ ଗହମ ମିଳିବ ବୋଲି ଯୋଗାଣ ବିଭାଗ କହିଥିଲେ ।