କନକ ବ୍ୟୁରୋ : ବିହାର ପରେ ଏବେ ପଶ୍ଚିମବଙ୍ଗରେ ରାଜନୈତିକ ମାହୋଲ ସରଗରମ ହୋଇଛି । ନିର୍ବାଚନ ଆୟୋଗଙ୍କ ଏକ ନିର୍ଦ୍ଦେଶକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କେନ୍ଦ୍ର ସରକାର ମୁହାଁମୁହିଁ ହୋଇଛନ୍ତି । ବିହାର ଭଳି ପଶ୍ଚିମବଙ୍ଗରେ ମଧ୍ୟ ଭୋଟର ତାଲିକାର ସଂଶୋଧନ ପାଇଁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି, ଯାହାକୁ ନେଇ ତୃଣମୂଳ କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି ।
କ'ଣ ଏହି SIR ଓ କାହିଁକି ବିବାଦ?
ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ, ୧୯୮୭ ଜୁଲାଇ ୧ରୁ ୨୦୦୪ ଡିସେମ୍ବର ୨ ମଧ୍ୟରେ ଜନ୍ମ ହୋଇଥିବା ଭୋଟରଙ୍କୁ ନିଜର ନାଗରିକତ୍ୱ ପ୍ରମାଣ ପାଇଁ ବାପା-ମା'ଙ୍କ ଜନ୍ମ ପ୍ରମାଣପତ୍ର ଦେବାକୁ ପଡ଼ିପାରେ । ଏହି ପ୍ରକ୍ରିୟାକୁ ଟିଏମସି ଏନଆରସି ଲାଗୁ କରିବାର ଷଡଯନ୍ତ୍ର ବୋଲି ଅଭିଯୋଗ କରିଛି । ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ଏହା ଗଣତନ୍ତ୍ର ପାଇଁ ବିପଦଜ୍ଜନକ ଏବଂ ଏହାଦ୍ୱାରା ଗରିବ ଓ ପ୍ରବାସୀ ଶ୍ରମିକମାନଙ୍କୁ ଭୋଟଦାନ ଅଧିକାରରୁ ବଞ୍ଚିତ କରାଯିବ ।
ମମତା ବାନାର୍ଜୀ ନିର୍ବାଚନ ଆୟୋଗଙ୍କ ଏହି ପଦକ୍ଷେପକୁ ବିଜେପିର ଏକ ଚାଲ୍ ବୋଲି କହିଛନ୍ତି । ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ କେଉଁ ଭୋଟରଙ୍କ ନାମ ଯେପରି ତାଲିକାରୁ ବାଦ୍ ନ ପଡେ । ସେ କହିଛନ୍ତି , ନିର୍ବାଚନ ଘୋଷଣା ହେବା ପରେ ହିଁ ସରକାରୀ କଳ ନିର୍ବାଚନ ଆୟୋଗଙ୍କ ଅଧୀନରେ କାମ କରେ, ତା'ପୂର୍ବରୁ ନୁହେଁ । ଟିଏମସି ପକ୍ଷରୁ କୁହାଯାଇଛି ଯେ ସେମାନେ ପଶ୍ଚିମବଙ୍ଗରେ ଏହି ପ୍ରକ୍ରିୟାକୁ କଦାପି ଅନୁମତି ଦେବେ ନାହିଁ । ଏହି ମାମଲାକୁ ନେଇ ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି ।
ଅନ୍ୟପଟେ, ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ଅଭିଯୋଗ କରିଛନ୍ତି ଯେ ମମତା ବାନାର୍ଜୀ ବୁଥ୍ ସ୍ତରୀୟ ଅଧିକାରୀ ମାନଙ୍କୁ ଧମକାଇ ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ବିଜେପିର ଅଭିଯୋଗ ହେଉଛି ଯେ ଟିଏମସି ନକଲି ଭୋଟରଙ୍କ ସାହାଯ୍ୟରେ ନିର୍ବାଚନ ଜିତିଆସୁଛି ଏବଂ ନିର୍ବାଚନ ଆୟୋଗଙ୍କ ଏହି ପଦକ୍ଷେପ ଦ୍ୱାରା ଏହା ଉପରେ ରୋକ୍ ଲାଗିପାରିବ ।
ନିର୍ବାଚନ ଆୟୋଗଙ୍କ ଏହି ନିର୍ଦ୍ଦେଶ ପରେ ପଶ୍ଚିମବଙ୍ଗର ରାଜନୀତି ଉଷ୍ମ ହୋଇଛି । ୨୦୨୬ରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଏହି ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗ ଏକ ବଡ଼ ରାଜନୈତିକ ପ୍ରସଙ୍ଗ ହେବାର ସମ୍ଭାବନା ରହିଛି । ମମତା ବାନାର୍ଜୀଙ୍କ ସରକାର ଓ ନିର୍ବାଚନ ଆୟୋଗଙ୍କ ମଧ୍ୟରେ ଏହି ବିବାଦ ଆଗକୁ କେଉଁ ମୋଡ଼ ନେଉଛି, ତାହା ଦେଖିବାକୁ ବାକି ରହିଲା ।