କନକ ବ୍ୟୁରୋ: ବହୁଦିନ ଧରି ରାଜନୀତିରୁ ଦୂରରେ ଥିବା ଲୋକପ୍ରିୟ ପୂର୍ବତନ କ୍ରିକେଟ୍ ଖେଳାଳି ତଥା କଂଗ୍ରେସ ନେତା ନବଜୋତ୍ ସିଂ ସିଦ୍ଧୁ ଦଳ ଛାଡ଼ିବାର ସମ୍ଭାବନା ସୃଷ୍ଟି ହୋଇଛି । ତାଙ୍କ ପତ୍ନୀ ପୂର୍ବତନ ବିଧାୟିକା ଡକ୍ଟର ନବଜୋତ୍ କୌର ସିଦ୍ଧୁ କଂଗ୍ରେସରୁ ଇସ୍ତଫା ଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ଏହା ପରେ ତାଙ୍କ ସ୍ବାମୀ ନବଜୋତ ସିଂ ସିଦ୍ଧୁଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି ।
ସିଦ୍ଧୁ ଦମ୍ପତିଙ୍କର ହେବ ଘରବାହୁଡ଼ା?
ସୋସିଆଲ ମିଡିଆ ପୋଷ୍ଟରୁ ଚର୍ଚ୍ଚା
କଂଗ୍ରେସରୁ ଇସ୍ତଫା ଦେବା ପରେ ଡକ୍ଟର ନବଜୋତ୍ କୌର ସିଦ୍ଧୁ ସୋସିଆଲ ମିଡିଆ ଏକ୍ସ’ରେ ଘରବାହୁଡ଼ା ଶବ୍ଦ ବ୍ୟବହାର କରିଛନ୍ତି । ଏକଦା ସେ ଅମୃତସରରୁ ବିଜେପି ଟିକେଟରେ ନିର୍ବାଚିତ ହୋଇଥିଲେ ଓ ପରେ କଂଗ୍ରେସରେ ଯୋଗଦେଇଥିଲେ । ଏବେ ଡକ୍ଟର ନବଜୋତ୍ କୌର ସିଦ୍ଧୁ ଘରବାହୁଡ଼ା ଶବ୍ଦ ବ୍ୟବହାର କରି ପୁଣି ବିଜେପିକୁ ଫେରୁଥିବା ସଂକେତ ଦେଇଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୂରିଭୂରି ପ୍ରଶଂସା କରିଛନ୍ତି ନବଜୋତ କୌର ସିଦ୍ଧୁ ।
ଯଦି ଡକ୍ଟର ନବଜୋତ୍ କୌର ସିଦ୍ଧୁ ବିଜେପିରେ ଯୋଗଦିଅନ୍ତି, ତେବେ ତାଙ୍କ ସ୍ବାମୀ ବରିଷ୍ଠ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ପରବର୍ତ୍ତୀ ପଦକ୍ଷେପ ନେଇ ରାଜନୈତିକ ମହଲର ଜୋରଦାର ଚର୍ଚ୍ଚା ହେଉଛି । ୨୦୨୨ରେ ସିଦ୍ଧୁ ପଞ୍ଜାବ ପ୍ରଦେଶ କଂଗ୍ରେସ ସଭାପତି ଦାୟିତ୍ବରେ ଥିବା ବେଳେ ଦଳର ଶୋଚନୀୟ ପରାଜୟ ହୋଇଥିଲା । ଏହାକୁ ନେଇ ବରିଷ୍ଠ କଂଗ୍ରେସ ନେତାଙ୍କ ସହ କଳହ ଯୋଗୁ ନବଜୋତ୍ ସିଂ ସିଦ୍ଧୁ ପ୍ରତ୍ୟକ୍ଷ ରାଜନୀତିରୁ ଦୂରେଇ ରହୁଛନ୍ତି। ବର୍ଷକ ପରେ ପଞ୍ଜାବ ବିଧାନସଭା ନିର୍ବାଚନ ଥିବାରୁ ସିଦ୍ଧୁ ତାଙ୍କ ପତ୍ନୀଙ୍କ ଜରିଆରେ କୌଣସି ରାଜନୈତିକ ବାର୍ତ୍ତା ଦେବାକୁ ଚାହୁଥିବା ଚର୍ଚ୍ଚା ହେଉଛି ।
କଂଗ୍ରେସରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାକୁ ୫ ଶହ କୋଟି ଟଙ୍କା ଦେବାକୁ ପଡ଼ିଥାଏ ବୋଲି କହି ଗତମାସରେ ନବଜୋତ୍ କୌର ସିଦ୍ଧୁ ଦଳରୁ ନିଲମ୍ବିତ ହୋଇଥିଲେ। ଏବେ ଦଳରୁ ଇସ୍ତଫା ଦେବା ପରେ ପଞ୍ଜାବ କଂଗ୍ରେସ ସଭାପତି ଅମରିନ୍ଦର ସିଂ ରାଜାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ଏଥିରୁ ଏକାନାମ ଥିବା ପତିପତ୍ନୀଙ୍କର କଂଗ୍ରେସ ସହିତ ଆଉ କୌଣସି ବୁଝାମଣାର ସମ୍ଭାବନା ନଥିବା ସ୍ପଷ୍ଟ ହେଉଛି । ଆପ୍ ସରକାରକୁ ମଧ୍ୟ ଏହି ଦମ୍ପତି କଡ଼ା ସମାଲୋଚନା କରୁଛନ୍ତି । ତେଣୁ ସେମାନେ ବିଜେପିକୁ ଫେରିବାର ଏକମାତ୍ର ବିକଳ୍ପ ଅଛି । ସମ୍ଭବତଃ ସେଇଥିପାଇଁ ନବଜୋତ୍ କୌର ସିଦ୍ଧୁ ଏକ୍ସ’ରେ ଘର ବାହୁଡା ଶବ୍ଦ ବ୍ୟବହାର କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/02/navjot-sidhu-2026-02-02-19-56-36.jpg)