କନକ ବ୍ୟୁରୋ : ସରହଦ ସେପଟେ ବଢ଼ୁଛି ଟେନସନ୍। ସୀମାରେ ସମରସଜ୍ଜା, ପ୍ରସ୍ତୁତ ସେନା । ଶତ୍ରୁ ଶିବିରରୁ ଆକ୍ରମଣ ହେଲେ କେମିତି ରହିବେ ସୁରକ୍ଷିତ ? ଏନେଇ ସବୁ ରାଜ୍ୟ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଓଡ଼ିଶାର ୧୨ଟି ସ୍ଥାନ ଉପରେ ଶତ୍ରୁର ଆଖି ପଡ଼ିଥିବାରୁ ମକଡ୍ରିଲ କରି ସତର୍କ କରିବାକୁ ଯୋଜନା କରିଛନ୍ତି ସରକାର । କ୍ୟାଟେଗୋରି-୧ ଅର୍ଥାତ ଅତି ସମ୍ବେଦନଶୀଳ ଅଞ୍ଚଳରେ ଯାଉଛି ଅନୁଗୁଳ ଜିଲ୍ଲାର ତାଳଚେର। କ୍ୟାଟେଗୋରି-୨ରେ ରହିଛି ବାଲେଶ୍ବର, କୋରାପୁଟ, ଭୁବନେଶ୍ବର, ଗୋପାଳପୁର, ହୀରାକୁଦ, ପାରାଦ୍ବୀପ ଓ ରାଉରକେଲା । ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାକୁ କ୍ୟାଟେଗୋରି-୩ରେ ସାମିଲ୍ କରାଯାଇଛି । ଏସବୁ ସିଭିଲ୍ ଡିଫେନ୍ସ ଜିଲ୍ଲାରେ ଆସନ୍ତା ୭ ଦିନ ଧରି ମକଡ୍ରିଲ୍ ହେବ । ୫ ମିନିଟ୍ ଧରି ଏୟାର ରେଡ୍ ସାଇରନ୍ ବାଜିବ । ଯୁଦ୍ଧ ପରିସ୍ଥିତିରେ ଉଦ୍ଧାର, ପ୍ରାଥମିକ ଚିକିତ୍ସା, ଆଇନଶୃଙ୍ଖଳା ଓ ଲୋକଙ୍କୁ କିପରି ସୁରକ୍ଷା ଦିଆଯିବ, ସେନେଇ ଲୋକଙ୍କୁ ସତର୍କ କରାଯିବ।
ସମ୍ଭାବ୍ୟ ଯୁଦ୍ଧକୁ ନେଇ କେନ୍ଦ୍ରର ପ୍ରସ୍ତୁତି ଭିତରେ ରାଜ୍ୟ ବିପର୍ଯ୍ୟ ପରିଚାଳନା କର୍ତ୍ତୃପକ୍ଷ ବି ପୂରା ପ୍ରସ୍ତୁତ । ୧୨ଟି ଜିଲ୍ଲାର ବାତ୍ୟା ଆଶ୍ରୟସ୍ଥଳୀରେ ମକଡ୍ରିଲ ଲାଗି ବ୍ୟବସ୍ଥା ହୋଇଛି । ଟାକ୍ସ ଫୋର୍ସ ଓ ସମସ୍ତ ସଦସ୍ୟ ଏଥିରେ ସାମିଲ ହେବେ । ୪୮୦ କିମି ବେଳାଭୂମିରେ ଯେଉଁ ସାଇରନ୍ ଲାଗିଛି, ତାକୁ ବଜାଇ ଲୋକଙ୍କୁ ସତର୍କ କରାଯିବ । ୪ ହଜାର ଆପଦମିତ୍ର ସ୍ଵେଚ୍ଛାସେବୀ ଏହି ମକଡ୍ରିଲରେ ସାମିଲ ହେବେ । ରାଜ୍ୟ ଓ ଜିଲ୍ଲା ଜରୁରୀକାଳୀନ କେନ୍ଦ୍ର କାର୍ଯ୍ୟକ୍ଷମ ହେବ ବୋଲି ଓସଡମା ପକ୍ଷରୁ କୁହାଯାଇଛି । ସେହିପରି ଆଗକୁ ଗାଁରେ ବି ମକ୍ଡ୍ରିଲ୍ ହେବ ବୋଲି କହିଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ଦିଲ୍ଲୀରେ ବଢ଼ୁଛି ଯୁଦ୍ଧ ତାତି । ଘମାସନ ବୈଠକ କରୁଛନ୍ତି ପ୍ରଧାନମନ୍ତ୍ରୀ । ସାରା ଦେଶ ପହଲଗାମ୍ ପ୍ରତିଶୋଧ ନେବାକୁ ଜିଦ୍ ଧରିଛି । ତେଣୁ କେଉଁ ମୁହୂର୍ତ୍ତରେ ଆତଙ୍କୀସ୍ତାନ ଉପରେ ଭାରତ ହମଲା କରିବ, ତାହା କୁହାଯାଇନପାରେ ।