କନକ ବ୍ୟୁରୋ: କେନ୍ଦ୍ରର ଏନଡିଏ ସରକାର ଆଜି ଲୋକସଭାରେ ୱକଫ୍ ସଂଶୋଧନ ବିଲ୍ ଆଗତ କରିଛନ୍ତି । ଯାହା ଉପରେ ମଧ୍ୟାହ୍ନ ୧୨ଟାରୁ ଆରମ୍ଭ ହୋଇଛି ଆଲୋଚନା । ତେବେ ବିଜେପି ସମେତ ସମସ୍ତ ଏନଡିଏ ସହଯୋଗୀ ସାଂସଦମାନଙ୍କ ପାଇଁ ହ୍ୱିପ୍ ଜାରି କରିଛନ୍ତି । ବିତର୍କ ସମୟରେ ଲୋକସଭାରେ ପ୍ରବଳ ହଟ୍ଟଗୋଳ ଜାରି ରହିଛି । ଅନ୍ୟପଟେ ବିରୋଧୀ ଦଳ ଏହି ବିଲ୍ ବିରୋଧରେ ଏକଜୁଟ୍ ହୋଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ୱକଫ୍ ବିଲ୍ ପାସ୍ ହେଇ ଆଇନରେ ପରିଣତ ହେଲେ କ’ଣ ପରିବର୍ତ୍ତନ ହେବ? ଏହାସହିତ ଏହି ବିଲ୍ର ସମର୍ଥନ ଏବଂ ବିରୋଧ ପାଇଁ କେଉଁ ଯୁକ୍ତି ଉପସ୍ଥାପନ କରାଯାଉଛି, ଏବଂ ଆଗକୁ କ’ଣ ହେବ?
ବିଲ୍ ପାସ୍ ହେବା ପରେ କ’ଣ ପରିବର୍ତ୍ତନ ହେବ?
- ଯଦି ଏହି ବିଲ୍ ପାରିତ ହୁଏ ତେବେ ୱକଫ୍ ଆଇନରେ ବଡ଼ ପରିବର୍ତ୍ତନ ଆସିବ। ୱକଫ୍ ବୋର୍ଡର ଗଠନରେ ମଧ୍ୟ ପରିବର୍ତ୍ତନ ଦେଖାଯିବ। ବୋର୍ଡ ସଦସ୍ୟ ଭାବରେ ଅଣ-ମୁସଲମାନମାନଙ୍କୁ ସାମିଲ କରିବା ବାଧ୍ୟତାମୂଳକ ହୋଇଯିବ। ଆଇନ କାର୍ଯ୍ୟକାରୀ ହେବାର ଛଅ ମାସ ମଧ୍ୟରେ ପ୍ରତ୍ୟେକ ୱକଫ୍ ସମ୍ପତ୍ତିକୁ ଏକ କେନ୍ଦ୍ରୀୟ ଡାଟାବେସରେ ପଞ୍ଜୀକୃତ କରିବା ବାଧ୍ୟତାମୂଳକ କରିଛି। ତଥାପି, ଏହା ୱକଫ୍ ଟ୍ରିବ୍ୟୁନାଲକୁ କିଛି ପରିସ୍ଥିତିରେ ସମୟ ସୀମା ବୃଦ୍ଧି କରିବାର କ୍ଷମତା ପ୍ରଦାନ କରିବ । ବିବାଦ କ୍ଷେତ୍ରରେ, ରାଜ୍ୟ ସରକାରଙ୍କ ଅଧିକାରୀ ସମ୍ପତ୍ତି ୱକଫର ନା ସରକାରଙ୍କର ତାହା ନିର୍ଣ୍ଣୟ କରିବାର ଅଧିକାର ରହିବ । ତେବେ ମୁସଲିମ ସଂଗଠନଗୁଡ଼ିକର ଯୁକ୍ତି ହେଉଛି ଯେ, ଅଧିକାରୀ ଜଣକ ସରକାରଙ୍କ ସପକ୍ଷରେ ନିଷ୍ପତ୍ତି ଦେବାର ସମ୍ଭାବନା ଅଛି ।
- ସଂଶୋଧନ ବିଲ୍ ଅନୁଯାୟୀ, ଏବେ କେବଳ ଦାନ ଭାବରେ ପ୍ରାପ୍ତ ସମ୍ପତ୍ତି ୱକଫର ହେବ । ଓ୍ୱକଫ୍ ବୋର୍ଡରେ ଦୁଇଜଣ ମହିଳା ଏବଂ ଅନ୍ୟ ଧର୍ମର ଦୁଇଜଣ ବ୍ୟକ୍ତି ଯୋଗ ଦେଇପାରିବେ। ତେବେ ଜମି ଉପରେ ଦାବି କରୁଥିବା ବ୍ୟକ୍ତି ଆବେଦନ କରିପାରିବେ। ଟ୍ରିବ୍ୟୁନାଲ, ରାଜସ୍ୱ ଅଦାଲତରେ ସେ ଆବେଦନ କରିପାରିବେ। ଏହାସହ ସିଭିଲ୍ କୋର୍ଟ କିମ୍ବା ହାଇକୋର୍ଟରେ ମଧ୍ୟ ଆବେଦନ କରାଯାଇପାରିବ। ଟ୍ରିବ୍ୟୁନାଲର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ ମଧ୍ୟ କରାଯାଇପାରିବ।
- ଏହାବ୍ୟତୀତ, ଯେକୌଣସି ବ୍ୟକ୍ତି କେବଳ ସେହି ଜମି ଦାନ କରିପାରିବେ ଯାହା ତାଙ୍କ ନାମରେ ପଞ୍ଜିକୃତ। ଯଦି ଜଣେ ବ୍ୟକ୍ତି ଅନ୍ୟ କାହା ନାମରେ ପଞ୍ଜିକୃତ ଜମି ଦାନ କରନ୍ତି, ତେବେ ଏହାକୁ ବେଆଇନ ବୋଲି ବିବେଚନା କରାଯିବ। ଏପରି ସମ୍ପତ୍ତି ଉପରେ ଓ୍ୱକଫ୍ ମଧ୍ୟ ନିଜର ଅଧିକାର ଦାବି କରିପାରିବ ନାହିଁ। 'ଓ୍ୱକଫ୍-ଅଲ-ଔଲାଦ' ଅଧୀନରେ, ମହିଳାମାନଙ୍କୁ ମଧ୍ୟ ଓ୍ୱକଫ୍ ଜମିର ଉତ୍ତରାଧିକାରୀ ଭାବରେ ବିବେଚନା କରାଯିବ। ଏହାର ଅର୍ଥ ହେଉଛି ଯେଉଁ ପରିବାର 'ଓ୍ୱକଫ୍-ଅଲ- ଔଲାଦ' ପାଇଁ ଓ୍ୱକଫ୍ ଜମି ଦାନ କରିଛନ୍ତି, ସେହି ଜମିରୁ ହେଉଥିବା ଆୟ କେବଳ ସେହି ପରିବାରର ପୁରୁଷମାନଙ୍କୁ ଯିବ ନାହିଁ, ବରଂ ମହିଳାମାନଙ୍କର ମଧ୍ୟ ଏଥିରେ ଅଂଶ ରହିବ।
ଏନଡିଏ ସହଯୋଗୀଙ୍କ ମତ କ'ଣ?
ଗତକାଲି ପର୍ଯ୍ୟନ୍ତ, ଓ୍ୱକଫ୍ ସଂଶୋଧନ ବିଲ୍ ଉପରେ ଜେଡିୟୁ, ଟିଡିପି ଏବଂ ଏଲଜେପି (ଆର)ର ମତକୁ ନେଇ କଳ୍ପନାଜଳ୍ପନା ଚାଲିଥିଲା। କିନ୍ତୁ ଏହି ତିନି ଦଳ ସେମାନଙ୍କ ସାଂସଦମାନଙ୍କୁ ବିଲ୍ ସମର୍ଥନ କରିବାକୁ ହ୍ୱିପ୍ ଜାରି କରିଛନ୍ତି। ଏହାର ଅର୍ଥ ହେଉଛି ଲୋକସଭାରେ ସଂଖ୍ୟାକୁ ନେଇ ସରକାରଙ୍କର ପ୍ରମୁଖ ଚିନ୍ତା ଦୂର ହୋଇଛି।
ବିରୋଧୀଙ୍କ ଦାବି କ’ଣ?
ବିରୋଧୀ ନେତାମାନେ ଦାବି କରିଥିଲେ ଯେ, ଏହି ବିଲ୍ ଉପରେ ଲୋକସଭାରେ ୧୨ ଘଣ୍ଟା ଆଲୋଚନା ହେବା ଉଚିତ ଏବଂ ସମସ୍ତ ସଦସ୍ୟଙ୍କୁ ସେମାନଙ୍କର ମତାମତ ଦେବା ପାଇଁ ସର୍ବାଧିକ ସମୟ ମିଳିବା ଉଚିତ, କିନ୍ତୁ କମିଟି ଏହି ଦାବିକୁ ଗ୍ରହଣ କରିନଥିଲା ଏବଂ ମୋଟ ୮ ଘଣ୍ଟା ଆଲୋଚନା ପାଇଁ ରାଜି ହୋଇଥିଲା। ପ୍ରକୃତରେ, କମିଟି କହିଛି ଯେ କିଛି ସଦସ୍ୟ ବିତର୍କ ପାଇଁ ୪ ରୁ ୫ ଘଣ୍ଟା ସମୟ ଦାବି କରୁଛନ୍ତି। ତେଣୁ, ଉଭୟ ପକ୍ଷଙ୍କୁ ଶୁଣିବା ପରେ, ବିତର୍କ ପାଇଁ ଆଠ ଘଣ୍ଟା ସମୟ ଦେବା ଉପଯୁକ୍ତ ହେବ।
ବିଲ୍ ଉପରେ ବିବାଦ କ’ଣ?
କେନ୍ଦ୍ର ସରକାର କହିଛନ୍ତି ଯେ, ଓ୍ୱକଫ୍ ସଂଶୋଧନ ବିଲର ଉଦ୍ଦେଶ୍ୟ ହେଉଛି ଦେଶରେ ଓ୍ୱକଫ୍ ସମ୍ପତ୍ତିର ପରିଚାଳନା ଏବଂ ପ୍ରଶାସନକୁ ଉନ୍ନତ କରିବା। ଓ୍ୱକଫ୍୍ ଆଇନ ୧୯୯୫ ମୁସଲମାନମାନଙ୍କ ଦ୍ୱାରା ଦାନ କରାଯାଇଥିବା ସମ୍ପତ୍ତିର ପରିଚାଳନାକୁ ନିୟନ୍ତ୍ରଣ କରେ। ଓ୍ୱକଫ୍ ବିଲ୍ ଉପରେ ବିରୋଧୀ ଦଳ ପକ୍ଷରୁ ସ୍ୱର ଉତ୍ତୋଳନ କରୁଥିବା ଇଓଗଓଗ ସାଂସଦ ଅସଦୁଦ୍ଦିନ ଓୱେସି ଦାବି କରିଛନ୍ତି ଯେ, ପ୍ରସ୍ତାବିତ ବିଲ୍ ମୁସଲମାନମାନଙ୍କ ଧାର୍ମିକ ସ୍ୱାଧୀନତାକୁ କ୍ଷୁର୍ଣ୍ଣ କରିବା ପାଇଁ ଉଦ୍ଦିଷ୍ଟ। ମୁସଲିମ ସଂଗଠନଗୁଡ଼ିକ ଦାବି କରୁଛନ୍ତି ଯେ ନୂତନ ସଂଶୋଧନ ଗୃହୀତ ହେବା ପରେ କଲେକ୍ଟର ରାଜ୍ ଆସିବ ଏବଂ କେଉଁ ସମ୍ପତ୍ତି ଓ୍ୱକଫ୍୍ ଏବଂ କେଉଁଟି ନୁହେଁ ସେ ବିଷୟରେ ଓ୍ୱକଫ୍୍ ଟ୍ରିବ୍ୟୁନାଲର ନିଷ୍ପତ୍ତି ଚୂଡ଼ାନ୍ତ ହେବ ନାହିଁ। ମାଲିକାନା ସମ୍ପର୍କରେ କଲେକ୍ଟରଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ହେବ।
ମୁସଲିମ ସଂଗଠନଗୁଡ଼ିକ କହିଛନ୍ତି ଯେ, ଏପର୍ଯ୍ୟନ୍ତ ଏହି ଅଧିକାର ଓ୍ୱକଫ୍ ଟ୍ରିବ୍ୟୁନାଲ ପାଖରେ ଅଛି। ଓ୍ୱକଫ୍ ଆଇନରେ ପ୍ରସ୍ତାବିତ ସଂଶୋଧନ ସମ୍ବିଧାନ ଦ୍ୱାରା ସୁନିଶ୍ଚିତ ଧାର୍ମିକ ସ୍ୱାଧୀନତାର ମଧ୍ୟ ବିରୁଦ୍ଧ ଏବଂ ସମ୍ବିଧାନର ଧାରା ୧୪, ୧୫ ଏବଂ ୨୫କୁ ଉଲ୍ଲଂଘନ କରୁଛି। ତଥାପି, ସରକାର କହିଛନ୍ତି ଯେ ବିରୋଧୀ ଦଳ ଦ୍ୱାରା ଭ୍ରମ ପ୍ରସାର କରାଯାଉଛି। ଯଦି ବିଲ୍କୁ ବିରୋଧ କରିବାକୁ ହୁଏ, ତେବେ ଯୁକ୍ତି ହେବା ଉଚିତ। ବର୍ତ୍ତମାନ ଆମକୁ କେବଳ ଭ୍ରମିତ କରାଯାଉଛି। ଏଥିରେ କ’ଣ ଅସାମ୍ବିଧାନିକ ତାହା ମଧ୍ୟ କୁହାଯିବା ଉଚିତ।
ସଂଶୋଧନ ବିଲ୍ କେବେ ଆସିଥିଲା?
ଗତ ବର୍ଷ ଅଗଷ୍ଟ ମାସରେ ସଂସଦରେ ଓ୍ୱକଫ୍ ବିଲ୍ ସଂଶୋଧନ ପାଇଁ ଏକ ବିଲ୍ ଆଗତ କରାଯାଇଥିଲା। ତଥାପି, ବିଭିନ୍ନ ମୁସଲିମ ସଂଗଠନର ବିରୋଧ ମଧ୍ୟରେ, ବିଲ୍ଟିକୁ ଯୁଗ୍ମ ସଂସଦୀୟ କମିଟି (JPC) ନିକଟକୁ ପଠାଯାଇଥିଲା। ଆଲୋଚନା କିଛି ସପ୍ତାହ ଧରି ଜାରି ରହିଲା ଏବଂ ଉଷ୍ମ ବିତର୍କ ହୋଇଥିଲା। JPC ବିଲରେ ୧୪ଟି ସଂଶୋଧନକୁ ଅନୁମୋଦନ କରିଛି। ବିରୋଧୀ ସାଂସଦମାନଙ୍କ ଦ୍ୱାରା ପ୍ରସ୍ତାବିତ ୪୪ଟି ସଂଶୋଧନକୁ ଜଗଦମ୍ବିକା ପାଲଙ୍କ ନେତୃତ୍ୱାଧୀନ କମିଟି ପ୍ରତ୍ୟାଖ୍ୟାନ କରିଥିଲା। ଶେଷରେ ଫେବୃଆରୀ ମାସରେ କେନ୍ଦ୍ର କ୍ୟାବିନେଟ ଦ୍ୱାରା ବିଲକୁ ଅନୁମୋଦନ ମିଳିଥିଲା।
ଲୋକସଭା ଏବଂ ରାଜ୍ୟସଭାରେ ସଂଖ୍ୟା ଖେଳ?
ଲୋକସଭାରେ NDAର ୨୯୩ ଜଣ ସାଂସଦ ଅଛନ୍ତି। ଇଣ୍ଡିଆ ମେଣ୍ଟର ୨୩୫ ଜଣ ସାଂସଦ ଅଛନ୍ତି। ଯଦି ଆମେ ଅନ୍ୟମାନଙ୍କୁ ମଧ୍ୟ ଯୋଡିବା ତେବେ ଏହି ସଂଖ୍ୟା କେବଳ ୨୪୯ ପର୍ଯ୍ୟନ୍ତ ପହଞ୍ଚିବ। ଯେତେବେଳେ ବହୁମତ ସଂଖ୍ୟା ହେଉଛି ୨୭୨। ବିରୋଧୀ ଦଳ ଅନୁଭବ କରିଥିଲେ ଯେ, ଯଦି ୧୬ ଜଣ ସାଂସଦଙ୍କ ସହିତ ଟିଡିପି ଏବଂ ୧୨ ଜଣ ସାଂସଦଙ୍କ ସହିତ ଜେଡିୟୁ ଓ୍ୱକଫ୍ ବିଲ୍କୁ ବିରୋଧ କରନ୍ତି, ତେବେ ଖେଳ ପରିବର୍ତ୍ତନ ହୋଇପାରେ କାରଣ ତା’ପରେ ଏନଡିଏର ସଂଖ୍ୟା ୨୬୫କୁ ହ୍ରାସ ପାଇବ ଏବଂ ବିଲ୍କୁ ବିରୋଧ କରୁଥିବା ଲୋକଙ୍କ ସଂଖ୍ୟା ୨୭୭ରେ ପହଞ୍ଚିଯିବ। କିନ୍ତୁ ଟିଡିପି ହେଉ କିମ୍ବା ଜେଡିୟୁ, ଉଭୟ ସରକାରଙ୍କ ସହିତ ଦୃଢ଼ ଭାବରେ ଅଛନ୍ତି। ଏହାର ଅର୍ଥ ହେଉଛି ଲୋକସଭାରେ ଓ୍ୱକଫ୍ ସଂଶୋଧନ ବିଲ୍ ପାସ୍ ହେବାର ପଥ ସଫା।
ରାଜ୍ୟସଭାରେ ମଧ୍ୟ NDAର ସଂଖ୍ୟାଗରିଷ୍ଠତା
ରାଜ୍ୟସଭାରେ ମୋଟ ୨୪୫ ଜଣ ସଦସ୍ୟ ଅଛନ୍ତି। ଏନଡିଏର ୧୨୫ ଜଣ ସାଂସଦ ଅଛନ୍ତି। ଏଥିମଧ୍ୟରୁ ୯୮ ଜଣ ସାଂସଦ ବିଜେପିର । ଏପରି ପରିସ୍ଥିତିରେ, ବିଲ୍ ପାସ୍ କରିବା ପାଇଁ NDAକୁ ୧୧୮ ଜଣ ସାଂସଦଙ୍କ ସମର୍ଥନ ଆବଶ୍ୟକ। ଏହାର ଅର୍ଥ ହେଉଛି, ରାଜ୍ୟସଭାରେ NDAର ସଂଖ୍ୟା ଅଧିକ। ରାଜ୍ୟସଭାରେ ବିରୋଧୀ ଦଳଗୁଡ଼ିକର ୮୫ ଜଣ ସାଂସଦ ଅଛନ୍ତି। କଂଗ୍ରେସ ପାଖରେ କେବଳ ୨୭ ଜଣ ସାଂସଦ ଅଛନ୍ତି ଏବଂ ୩୦ ଜଣ ସାଂସଦ ଅଛନ୍ତି ଯେଉଁମାନେ ଦୁଇଟି ମେଣ୍ଟରୁ ନୁହଁନ୍ତି।