କନକ ବ୍ୟୁରୋ: କ’ଣ ଏହି ୱକଫ୍ ବିଲ୍ ? ଆସନ୍ତୁ ସହଜରେ ବୁଝିବାକୁ ଚେଷ୍ଟା କରିବା ଏହାର ଅର୍ଥ ଓ ଉତ୍ପତ୍ତି । ଏବଂ ଏହାକୁ ନେଇ ଏତେ ବିବାଦ କାହିଁକି ଏସବୁ ବୁଝିବାକୁ ଚେଷ୍ଟା କରିବା। ସର୍ବପ୍ରଥମେ ବୁଝିବା ୱାକଫ୍ ମାନେ କ’ଣ?
ଆରବ ଭାଷାର ’ୱକୁଫା’ ଶବ୍ଦରୁ ଏହା ଉଦ୍ଧୃତ ହୋଇଛି ଯାହାର ଅର୍ଥ ହେଉଛି ’ରହିବା’। ଏବଂ ୱାକଫ୍ ଅର୍ଥ ଟ୍ରଷ୍ଟ ବା ବିଶ୍ବାସ। ସମ୍ପତ୍ତିକୁ ଜନକଲ୍ୟାଣ ପାଇଁ ସମର୍ପଣ କରିବା । ୱାକଫ୍ ସେହି ସମ୍ପତ୍ତିକୁ ବୁଝାଏ , ଯାହା ଇସ୍ଲାମ ଧର୍ମକୁ ମାନୁଥିବା ବ୍ୟକ୍ତି ବିଶେଷ ଦାନ କରିଥାନ୍ତି । ଏଥିରେ ଉଭୟ ସ୍ଥାବର ଅସ୍ଥାବର ସମ୍ପତ୍ତି ରହିଛି । ଏହି ସମ୍ପତ୍ତିକୁ ୱାକଫ୍ ବୋର୍ଡ ମାଧ୍ୟମରେ ଦାନ କରାଯାଏ । ଏବଂ ଏହାର ରକ୍ଷଣାବେକ୍ଷଣ ହିସାବକିତାବ ସବୁକିଛି ୱାକଫ୍ ବୋର୍ଡ ହିଁ କରିଥାଏ।
କିଏ ଦେଇପାରିବେ ଡୋନେସନ୍?
କୌଣସି ମୁସଲମାନ୍ ଧର୍ମର ବ୍ୟକ୍ତି ସ୍ବଇଚ୍ଛାରେ ନିଜର ସମ୍ପତ୍ତି ଦାନ ସୂତ୍ରରେ ଦେଇପାରିବେ। ଏଥିରେ କୌଣସିଜୋର ଜବରଦସ୍ତି ନଥାଏ। ବର୍ଷକର ପୂରା ଉପାର୍ଜନରୁ ଅଢେଇ ପ୍ରତିଶତ ଲୋକକଲ୍ୟାଣ ପାଇଁ ଦାନ କରାଯାଏ। ଏକ ସମୟରେ ଏହି ବୋର୍ଡ ସ୍ବଚ୍ଛଳଜୀବନ ବିତାଉଥିବା ମୁସଲମାନଙ୍କ ପାଇଁ ପ୍ରଯୁଜ୍ୟ ଥିଲା ।
ୱକଫ୍ ବୋର୍ଡ କିପରି କାର୍ଯ୍ୟ କରେ?
ଅଧିକାଂଶ ରାଜ୍ୟରେ ଉଭୟ ସିଆ ଓ ସୁନି ସମ୍ପ୍ରଦାୟର ୱାକଫ୍ ବୋର୍ଡ ରହିଛି । ଏଥିରେ ଏକାଧିକ ମେମ୍ବର ରହିଥାନ୍ତି । ଏମାନଙ୍କର କାମ ହେଉଛି ଦାନ ସୂତ୍ରରେ ଆସୁଥିବା ସମ୍ପତ୍ତିର ଉଚିତ ରକ୍ଷଣାବେକ୍ଷଣ କରିବା ସହ ତାକୁ ଆବଶ୍ୟକ ାକର୍ଯ୍ୟରେ ବିନିଯୋଗ କରିବା। ଏହି ସମ୍ପତ୍ତିରେ ଗରୀବ, ଅସହାୟଙ୍କୁ ସାହାଯ୍ୟ କରାଯାଏ। ଏହାସହ ଧାର୍ମିକ ସଂସ୍ଥା ଓ ଶିକ୍ଷା ବ୍ୟବସ୍ଥାର ବିକାଶ କରାଯାଏ । କେନ୍ଦ୍ରର ରିପୋର୍ଟ ମୁତାବକ, ଏବେ ଦେଶରେ ୩୨ ଟି ୱାକଫ୍ ବୋର୍ଡ କାମ କରୁଛି ।
ୱକଫ୍ ଆଇନ୍ କ’ଣ?
୧୯୫୪ରେ ଜବାହରଲାଲ ନେହରୁଙ୍କ ସରକାରଙ୍କ ସମୟରେ ୱାକଫ୍ ଆଇନ୍ ପାରିତ ହୋଇଥିଲା । ସେବେଠାରୁ ଆଜିଯାଏଁ ଏହି ଆଇନରେ ଏକାଧିକ ସଂଶୋଧନ ହୋଇସାରିଛି । ୱାକଫ୍ ବୋର୍ଡରେ ଏକ ସର୍ଭେ କମିଶନର ରହିଛି ଯାହା ଦାନ ସମ୍ପତ୍ତିର ପୂରା ହିସାବ ରଖେ । ଏହି ବୋର୍ଡରେ ମୁସ୍ଲିମ ବିଧାୟକ, ମୁସ୍ଲିମ ସାଂସଦ, ମୁସ୍ଲିମ ଆଇଏଏସ୍ ଅଧିକାରୀ, ମୁସ୍ଲିମ ଟାଉନ୍ ପ୍ଲାନର, ଅଧିବକ୍ତା ଏବଂ ବିଶେଷ ବ୍ୟକ୍ତିତ୍ବଙ୍କୁ ସାମିଲ କରାଯାଏ । ୱକଫ୍ ଟ୍ରିବ୍ୟୁନାଲରେ ପ୍ରଶାସନିକ ଅଧିକାରୀ ଥାନ୍ତି । ତେବେ ଟ୍ରିବ୍ୟୁନାଲରେ କିଏ କିଏ ସାମିଲ ହେବେ ତାହା ସମ୍ପୃକ୍ତ ରାଜ୍ୟ ସରକାର ନିର୍ଦ୍ଧାରଣ କରିଥାନ୍ତି ଏବଂ ସରକାର ସବୁବେଳେ ଚେଷ୍ଟା କରିଥାନ୍ତି ଯେପରି ବୋର୍ଡରେ ଅଧିକରୁ ଅଧିକ ମୁସଲମାନ୍ ସମ୍ପ୍ରଦାୟର ବ୍ରକ୍ତିତ୍ବଙ୍କୁ ସାମିଲ କରାଯିବ।
ୱକଫ୍ ବୋର୍ଡକୁ ନେଇ ବିବାଦ କାହିଁକି?
ଅଭିଯୋଗ ହୋଇଆସୁଛି ୟୁପିଏ ସରକାର ୱାକଫ୍ ବୋର୍ଡକୁ ଅସୀମିତ କ୍ଷମତା ଦେଇଛନ୍ତି । ୱାକଫ୍ ସମ୍ପତ୍ତିକୁ ବିଶେଷ ସ୍ଥାନ ଦେଇଛନ୍ତି। କୌଣସି ଟ୍ରଷ୍ଟଠାରୁ ଏହା ଉର୍ଦ୍ଧ୍ବରେ ବୋଲି କହିଥିଲେ ତତ୍କାଳୀନ ସରକାର। ୱକଫ୍ ବୋର୍ଡ ପାଖରେ ଅଧିକାର ଅଛି ଯେ ସେ କୌଣସି ସମ୍ପତ୍ତିର ଯାଞ୍ଚ କରିପାରିବ ଯେ ତାହା ୱକଫର କି ନୁହେଁ । ଯଦି କୌଣସି ସମ୍ପତ୍ତିକୁ ଏହି ବୋର୍ଡ ନିଜର ବୋଲି ଦାବି କରେ ତେବେ ଏହାକୁ ଭୁଲ ପ୍ରମାଣିତ କରିବା ବିପକ୍ଷକୁ ଭାରି କଷ୍ଟକର ହୋଇଯାଏ। ୱାକଫ୍ ଆକ୍ଯର ସକ୍ସନ୍ ୮ଯ୫ ଅନୁସାରେ, ଏହି ବୋର୍ଡର ନିଷ୍ପତ୍ତିକୁ କେହି ହାଇକୋର୍ଟ ବା ସୁପ୍ରମିକେମକାର୍ଟରେ କେହି ଚଜ୍ୟାଲେଞ୍ଜ କରିପାରିବେ ନାହିଁ।
କେଉଁ ପ୍ରସଙ୍ଗକୁ ନେଇ ଅଧିକ ବିବାଦ ରହିଛି?
ୱକଫ୍ ବୋର୍ଡ ଯେଉଁଠାରେ ବି କବ୍ରସ୍ତାନର ଘେରାବନ୍ଦୀ କରେ ତା’ର ଆଖପାଖ ଇଲାକାକୁ ବି ନିଜର ବୋଲି ଦାବି କରିବସେ । ଆଖାପାଖର ସେ ଜମି କୌଣସି ବ୍ୟକ୍ତିଙ୍କର ହୋଇଥିଲେ ବି ଏହାକୁ ନିଜର ବୋଲି କହିବା ମୁସ୍କିଲ ହୋଇପଡେ କାରଣ ୱକଫ୍ ବୋର୍ଡ ଭାରି ପଡେ । ଯାହାକୁ ୱକଫ୍ ଥରେ ନିଜର ସମ୍ପତ୍ତି ବୋଲି ଘୋଷଣା କରେ ଏହାକୁ କେହି ଚ୍ୟାଲେଞ୍ଜ କରିବା ମୁସ୍କିଲ ହୋଇପଡେ। ଅନେକ ସମୟରେ ୱକଫ୍ ବୋର୍ଡର ଦବଦବା ଯୋଗୁଁ ଅନେକ ବ୍ୟକ୍ତିଙ୍କୁ ନିଜର ସମ୍ପତ୍ତିକୁ ହରାଇବାର ନଜିର ରହିଛି ।
ୱକଫ୍ ବୋର୍ଡ ପାଖରେ ସମ୍ପତ୍ତି କେତେ?
ୱାକଫ୍ ମ୍ୟାନେଜମେଣ୍ଟ ସିଷ୍ଟମ ଅଫ୍ ଇଣ୍ଡିଆର ଡାଟା ମୁତାବକ, ଆମ ଦେଶରେ ଥିବା ୱକଫ୍ ବୋର୍ଡ ପାଖରେ ପାଖାପାଖି ୮,୫୫,୦୦୦ ରୁ ଅଧିକ ସମ୍ପତ୍ତି ରହିଛି । ସେନା ଓ ରେଲୱେ ପରେ ୱକଫ୍ ସବୁଠୁ ଅଧିକ ସମ୍ପତ୍ତିର ମାଲିକ। ଦେଶର ସବୁ ରାଜ୍ୟ ମଧ୍ୟରେ ଉତ୍ତରପ୍ରଦେଶ ୱକଫ୍ ପାଖରେ ସବୁଠୁ ଅଧିକ ସମ୍ପତ୍ତି ରହିଛି । ପ୍ରତିବର୍ଷ ହଜାରେରୁ ଅଧିକ ମୁସଲିମ୍ ସମ୍ପ୍ରଦାୟର ବ୍ୟକ୍ତି ସମ୍ପତ୍ତି ଦାନ କରିଥାନ୍ତି।
ଏବେ କିନ୍ତୁ ମୋଦି ସରକାର ୱାକଫ୍ ବୋର୍ଡରେ ସଂଶୋଧନ କରିବାକୁ ଚାହୁଁଛନ୍ତି । ଅର୍ଥ ଏହାର ସୀମା ନିର୍ଦ୍ଧାରଣ କରିବାକୁ ଯାଉଛି। ଏହାର ଅସୀମିତ ଅଧିକାରକୁ ସୀମତି କରଯିବ। ଏହି ଆଧାରରେ ୱକଫ୍ ବୋର୍ଡର ସମ୍ପତ୍ତିର ଭେରିଫିକେସନ୍ ହେବା ସହ ବ୍ୟକ୍ତିଗତ ସମ୍ପତ୍ତିର ମଧ୍ୟ ଭେରିଫିକେସନ୍ ହେବ । ଫଳରେ ନିଜର ସମ୍ପତ୍ତି ହରାଇଥିବା ଲୋକଙ୍କୁ ନ୍ୟାୟ ମିଳିବ । ଯାହାକୁ ନେଇ ଏବେ ମୁସଲମାନ୍ ସମ୍ପ୍ରଦାୟ ବିରୋଧ କରୁଛି ।