କନକ ବ୍ୟୁରୋ : ଉତ୍ତରପ୍ରଦେଶ ସମ୍ଭଲରେ ଘଟିଥିବା ହିଂସା ପରେ ସମୀକ୍ଷା ପାଇଁ ଆଜି କଂଗ୍ରେସ କରୁଛି ଗସ୍ତ । ଏଥିପାଇଁ ସମ୍ଭଲରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ଉତ୍ତରପ୍ରଦେଶ କଂଗ୍ରେସ ମୁଖ୍ୟ ଅଜୟ ରାୟ ଆଜି ସମ୍ଭଲ ଗସ୍ତ ପୂର୍ବରୁ ତାଙ୍କୁ ଅଟକ ରଖାଯାଇଥିଲା ସୂଚନା ମିଳିଛି । ପୂର୍ବରୁ ଘଟଣାସ୍ଥଳକୁ ସମାଜବାଦୀ ପାର୍ଟି ନେତା ମାନେ ଯିବାକୁ ଯୋଜନା କରିଥିଲେ । ହେଲେ ସେମାନଙ୍କୁ ମଧ୍ୟ ଅଟକାଇଥିଲା ପ୍ରଶାସନ । ଏବେ କଂଗ୍ରେସ ସହ ମଧ୍ୟ ଅନୂରୁପ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି । 

Advertisment

ସେପଟେ ସମ୍ଭଲରେ ଶାହି ଜାମା ମସଜିଦର ସର୍ଭେ ବେଳେ ନଭେମ୍ବର ୨୪ରେ ଘଟିଥିବା ହିଂସାକାଣ୍ଡର ତଦନ୍ତ ପାଇଁ ନ୍ୟାୟିକ କମିଶନ୍‌ର ସଦସ୍ୟମାନେ ରବିବାର ସେଠାରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । କମିଶନ ରବିବାର ହିଂସାକାଣ୍ଡ ଘଟିଥିବା ସ୍ଥାନ ପରିଦର୍ଶନ କରିଛନ୍ତି । ସେମାନେ ପୁଣିଥରେ ଆସିବେ ବୋଲି ଡିଭିଜନାଲ କମିଶନର ଗଣମାଧ୍ୟମକୁ କହିଛନ୍ତି । ଡିସେମ୍ବର ୧୦ ଯାଏ ସମ୍ଭଲରେ କଟକଣା ଜାରି ହୋଇଥିବାବେଳେ ତଥ୍ୟପ୍ରମାଣ ସଂଗ୍ରହ କରାଯିବା ସହ ବର୍ତ୍ତମାନ ସୁଦ୍ଧା ହିଂସାରେ ସମ୍ପୃକ୍ତ ୪୦୦ ଲୋକଙ୍କୁ ଚିହ୍ନଟ କରାଗଲାଣି । ସେପଟେ ମସଜିଦ ବିବାଦ ନେଇ ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ସମ୍ଭଲ କୋର୍ଟରେ ଜବାବ ଦାଖଲ କରାଯାଇଛି । ଉକ୍ତ ମସଜିଦ ଏକ ସୁରକ୍ଷିତ ଐତିହ୍ୟ ହୋଇଥିବାରୁ ଏହାର ନିୟନ୍ତ୍ରଣ ଏବଂ ପରିଚାଳନା ଦାୟିତ୍ୱ ହାତକୁ ନେବା ପାଇଁ ଏଏସଆଇ କହିଛି।