କନକ ବ୍ୟୁରୋ : ଆମ୍ବଟାକୁଆ ପୁଣି ଆଣିଲା ଅପବାଦ । କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡିର ମାଣ୍ଡିପଙ୍କାରେ ଆମ୍ବଟାକୁଆ ଜାଉ ଖାଇ ଦୁଇଜଣଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ । କୃଷ୍ଣ ପାତ୍ର କହିଛନ୍ତି, ଚାଉଳର କୌଣସି ଅଭାବ ନାହିଁ । ବାସି ଖାଦ୍ୟ ଖାଇ ୨ଜଣଙ୍କ ମୃତ୍ୟୁ ହୋଇଛି ।

Advertisment

କନ୍ଧମାଳ ମାଣ୍ଡିପଙ୍କା ଗାଁରେ ଆମ୍ୱଟାକୁଆ ଜାଉ ଖାଇ ଦୁଇଜଣଙ୍କ ମୃତ୍ୟୁ ହେବା ଓ ୬ଜଣ ଗୁରୁତର ଘଟଣାରେ ନୂଆ ସରକାରକୁ କାଠଗଡାକୁ ଟାଣିଛି । ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଏକ ସ୍ୱତନ୍ତ୍ର ଟିମ୍ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛି । ଜିଲ୍ଲାପାଳ ବି ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଅଭିଯୋଗ ହୋଇଥିଲା, ଚାଉଳ ଅଭାବ ଯୋଗୁଁ  ସେମାନଙ୍କ ମୃତ୍ୟୁ ହୋଇଛି ।

କିନ୍ତୁ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଛି । ରିପୋର୍ଟ ବି ମିଳିଛି । ଚାଉଳର କୌଣସି ଅଭାବ ନାହିଁ । ଅକ୍ଟୋବରରୁ ଡିସେମ୍ବର ଚାଉଳ ଉଠାଯାଇଛି । ଆମ୍ବଟାକୁଆ ସେମାନଙ୍କ ପାରମ୍ପରିକ ଖାଦ୍ୟ ଓ ବାସି ଖାଦ୍ୟ ଖାଇବା ଯୋଗୁଁ ମୃତ୍ୟୁ ହୋଇଛି ।

ଆମ୍ବଟାକୁଆ ମୃତ୍ୟୁର ଅପବାଦ ଭିତରେ ମାଣ୍ଡିପଙ୍କାରେ ପହଞ୍ଚିଥିଲା କନକ ନ୍ୟୁଜ । ଆଉ ସ୍ଥାନୀୟ ଲୋକେ ଯାହା କହିଥିଲେ ତାହା ନିଶ୍ଚିତରୂପେ ଚିନ୍ତାଜନକ । ସ୍ଥାନୀୟ ଲୋକଙ୍କ କହିବା କଥା ହେଲା, ସରକାରୀ ଚାଉଳ ଯଥେଷ୍ଟ ନୁହେଁ । ଆମ୍ବଟାକୁଆ ହେଉଛି ପ୍ରଧାନଖାଦ୍ୟ । ଖାଇବାରେ କିଛି ବିଷାକ୍ତ ଜିନିଷ ମିଶିଥାଇପାରେ । ଅଙ୍ଗନବାଡି ଦିଦି କହିଛନ୍ତି, ଗାଁ ଲୋକଙ୍କୁ ୩-୪ ମାସ ହେଲା ଚାଉଳ ମିଳିନି । ଆଉ ଖାଦ୍ୟ ଅଭାବରୁ ସେମାନେ ଆମ୍ୱଟାକୁଆ ଖାଇଛନ୍ତି ।

ଆଜି ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀ ପହଞ୍ଚି ମୃତକଙ୍କ ପରିବାରକୁ ୧୦ ହଜାର ଓ ହରିଶ୍ଚନ୍ଦ୍ର ଯୋଜନାରୁ ୩ ହଜାର ଟଙ୍କା ଲେଖାଁଏ ଦେଇଛନ୍ତି । ଆହତ ୬ ଜଣଙ୍କ ଚିକିତ୍ସା ବ୍ରହ୍ମପୁର ମେଡିକାଲରେ ଚାଲିଛି । ବର୍ତ୍ତମାନ ସମୟରେ ଚାଉଳ ନ ମିଳିବା ଓ ଆମ୍ୱଟାକୁଆ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି । ସେପଟେ ଆମ୍ବଟାକୁଆ ଜାଉ ଖାଇ ୨ ଜଣ ମୃତ୍ୟୁ ନେଇ ସରକାରଙ୍କୁ ଘେରିଛି ବିଜେଡି । ଆଉ ଜବାବରେ ତତକାଳୀନ ବିଜେଡି ସରକାରକୁ ଦାୟୀ କରିଛି ବିଜେପି ।