କନକ ବ୍ୟୁରୋ: ଏମିତି ଏକ ହ୍ରଦ ଯେଉଁଥିରେ ଭର୍ତ୍ତି ହୋଇ ନର କଙ୍କାର ।  ହ୍ରଦର ସ୍ବଚ୍ଛ ପାଣି ସ୍ପଷ୍ଟ ଦୃଶ୍ୟମାନ ହେଉଛି ଏହି କଙ୍କାଳ ସବୁ ।  ଯାହା ଏକ ଭୟଙ୍କର  ଦୃଶ୍ୟ ସୃଷ୍ଟି କରୁଛି । ଏ ରହସ୍ୟମ ହ୍ରଦର ନାଁ ହେଉଛି  ରୂପକୁଣ୍ଡ ହ୍ରଦ । ହିମାଳୟ କୋଳରେ ଥିବା ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ପ୍ରାୟ ୫,୦୨୯ ମିଟର ଉଚ୍ଚତାରେ ଏହି ହ୍ରଦ ଅବସ୍ଥିତ ।  ଏହି ସ୍ଥାନଟି ଏହାର ସୌନ୍ଦର୍ଯ୍ୟ ପାଇଁ ଯେତିକି ପ୍ରସିଦ୍ଧ, ତା'ଠାରୁ ଅଧିକ ପ୍ରସିଦ୍ଧ ଏଠାରେ ମିଳୁଥିବା ଶହ ଶହ ନର କଙ୍କାଳ ପାଇଁ । ଏହି କାରଣରୁ ଏହାକୁ 'ରହସ୍ୟମୟ ହ୍ରଦ' ବା 'କଙ୍କାଳ ହ୍ରଦ' ମଧ୍ୟ କୁହାଯାଏ । ପ୍ରତିବର୍ଷ ବରଫ ତରଳିବା ପରେ ହ୍ରଦର ସ୍ୱଚ୍ଛ ପାଣିରେ ଏବଂ ଏହାର ଚାରିପାଖରେ ବିଛେଇ ହୋଇ ପଡ଼ିଥିବା ମଣିଷ ହାଡ଼ ଓ ଖପୁରୀ ଦେଖିବାକୁ ମିଳେ, ଯାହା  ଦେଖିବାକୁ ଅତ୍ୟନ୍ତ ଭୟଙ୍କର ଥାଏ ।  

Advertisment

ଆସନ୍ତୁ ଜାଣିବା ରୂପକୁଣ୍ଡ ହ୍ରଦର ରହସ୍ୟମୟ କାହାଣୀ 
୧୯୪୨ ମସିହାରେ ଜଣେ ବ୍ରିଟିଶ୍ ଫରେଷ୍ଟ ଗାର୍ଡ ଏହି ହ୍ରଦ ଏବଂ ଏଥିରେ ଥିବା କଙ୍କାଳଗୁଡ଼ିକୁ ଆବିଷ୍କାର କରିଥିଲେ ।  ସେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଚାଲିଥିବାରୁ,  ଏହି କଙ୍କାଳଗୁଡ଼ିକ ଭାରତ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଥିବା ଜାପାନୀ ସୈନିକମାନଙ୍କର ବୋଲି ଆଶଙ୍କା କରାଯାଇଥିଲା ।  କିନ୍ତୁ ପରୀକ୍ଷଣ ପରେ ଜଣାପଡ଼ିଲା ଯେ ଏହି କଙ୍କାଳଗୁଡ଼ିକ ବହୁତ ପୁରୁଣା ।   ଏହାପରେ, ଏହି କଙ୍କାଳଗୁଡ଼ିକ କାହାର ଏବଂ ଏତେ ସଂଖ୍ୟାରେ ଲୋକ ଏଠାରେ କିପରି ମଲେ ?  ସେନେଇ ଅନେକ ତଥ୍ୟ ସାମ୍ନାକୁ ଆସିଛି । ଏହି ହ୍ରଦକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ କିମ୍ବଦନ୍ତୀ ପ୍ରଚଳିତ ।  କୁହାଯାଏ ଯେ, କନୌଜର ରାଜା ଯଶଧବଳ ନିଜ ଗର୍ଭବତୀ ରାଣୀ ବଲାମ୍ପାଙ୍କ ସହିତ ନନ୍ଦା ଦେବୀଙ୍କ ତୀର୍ଥଯାତ୍ରାରେ ଯାଉଥିଲେ ।  ଯାତ୍ରା ସମୟରେ ରାଜା ଓ ତାଙ୍କ ସହଯାତ୍ରୀମାନେ ଅତ୍ୟଧିକ ଆଡ଼ମ୍ବର ଓ ନାଚଗୀତରେ ମାତିଥିଲେ, ଯାହା ଦେବୀ ନନ୍ଦାଙ୍କୁ କ୍ରୋଧିତ କଲା ।  ଦେବୀଙ୍କ କ୍ରୋଧରୁ ଏକ ଭୟଙ୍କର କୁଆପଥର ମାଡ଼ ହେଲା, ଯେଉଁଥିରେ ରାଜାଙ୍କ ସମେତ ସମସ୍ତେ ପ୍ରାଣ ହରାଇଥିଲେ ।


 କିନ୍ତୁ ବୈଜ୍ଞାନିକ ଅନୁସନ୍ଧାନ ହ୍ରଦର ଏକ  ନୂଆ ରହସ୍ୟ ଖୁଲସା କରିଛି । ବିଭିନ୍ନ ସମୟରେ ବୈଜ୍ଞାନିକମାନେ ଏହି କଙ୍କାଳଗୁଡ଼ିକ ଉପରେ ଗବେଷଣା କରିଛନ୍ତି । ୨୦୦୪ ମସିହାରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଥିଲା ଯେ ଏହି କଙ୍କାଳଗୁଡ଼ିକ ୯ମ ଶତାବ୍ଦୀର ଏବଂ ସେମାନଙ୍କ ମୃତ୍ୟୁ ମୁଣ୍ଡ ଉପରେ କୌଣସି ଗୋଲାକାର ବସ୍ତୁର ଶକ୍ତ ଆଘାତ ଯୋଗୁଁ ହୋଇଥିଲା । ଯାହା କୁଆପଥର ମାଡ଼ ଆଡ଼କୁ ଇଙ୍ଗିତ କରୁଥିଲା ।   କିନ୍ତୁ ୨୦୧୯ ମସିହାରେ ହୋଇଥିବା ଏକ ଅନ୍ତର୍ଜାତୀୟ ଡିଏନ୍ଏ ଅଧ୍ୟୟନ ଏହି ରହସ୍ୟକୁ ଆହୁରି ଜଟିଳ କରିଦେଇଛି । ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ: ରୂପକୁଣ୍ଡରେ ମିଳିଥିବା କଙ୍କାଳଗୁଡ଼ିକ କୌଣସି ଗୋଟିଏ ସମୟର କିମ୍ବା ଗୋଟିଏ ଗୋଷ୍ଠୀର ନୁହେଁ ।


•    ଏଠାରେ ଅତି କମରେ ତିନୋଟି ଭିନ୍ନ ଭିନ୍ନ ଗୋଷ୍ଠୀର ଲୋକଙ୍କର ମୃତ୍ୟୁ ହୋଇଛି, ତାହା ପୁଣି ପ୍ରାୟ ୧୦୦୦ ବର୍ଷର ବ୍ୟବଧାନରେ ।  
•    ପ୍ରଥମ ଗୋଷ୍ଠୀଟି ଭାରତୀୟ ବଂଶୋଦ୍ଭବ ଥିଲେ, ଯେଉଁମାନଙ୍କର ମୃତ୍ୟୁ ୭ମରୁ ୧୦ମ ଶତାବ୍ଦୀ ମଧ୍ୟରେ ହୋଇଥିଲା  । 
•    ଦ୍ୱିତୀୟ ଗୋଷ୍ଠୀଟି ପୂର୍ବ ଭୂମଧ୍ୟସାଗରୀୟ, ସମ୍ଭବତଃ ଗ୍ରୀସ୍‌ର ଥିଲେ, ଯେଉଁମାନଙ୍କ ମୃତ୍ୟୁ ୧୭ରୁ ୨୦ଶ ଶତାବ୍ଦୀ ମଧ୍ୟରେ ହୋଇଥିଲା ।  
•    ଏହାଛଡ଼ା ଦକ୍ଷିଣ-ପୂର୍ବ ଏସିଆର ଜଣେ ବ୍ୟକ୍ତିଙ୍କ କଙ୍କାଳ ମଧ୍ୟ ମିଳିଛି  । 

ଏହି ନୂଆ ତଥ୍ୟ ପରେ ପ୍ରଶ୍ନ ଉଠୁଛି ଯେ, ହଜାର ବର୍ଷର ବ୍ୟବଧାନରେ ଭିନ୍ନ ଭିନ୍ନ ସ୍ଥାନରୁ ଲୋକମାନେ ଏହି ଦୁର୍ଗମ ସ୍ଥାନକୁ କାହିଁକି ଆସିଥିଲେ ଏବଂ ସେମାନଙ୍କର ମୃତ୍ୟୁ କିପରି ହେଲା? ଏହି ପ୍ରଶ୍ନର ଉତ୍ତର ଆଜି ବି ଅସମାହିତ ହୋଇ ରହିଛି । ଯାହା ରୂପକୁଣ୍ଡ ହ୍ରଦକୁ ବିଶ୍ୱର ସବୁଠାରୁ ରହସ୍ୟମୟ ସ୍ଥାନମାନଙ୍କ ମଧ୍ୟରୁ ଗୋଟିଏ କରି ରଖିଛି ।