କନକ ବ୍ୟୁରୋ : ୫ ବର୍ଷରେ ପ୍ରଥମ ଥର ଖସିଲା ରେପୋ ରେଟ୍ । ଆରବିଆଇ ମନିଟାରୀ ପଲିସି ବୈଠକରେ ବଡ଼ ନିଷ୍ପତ୍ତି । ଏନେଇ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା । ୫ ବର୍ଷ ପରେ ରେପୋ ରେଟ୍ ୦.୨୫ ପ୍ରତିଶତ ହ୍ରାସ ହୋଇଛି । ୬.୫ ପ୍ରତିଶତରୁ ୬.୨୫ ପ୍ରତିଶତକୁ ଖସିଛି । ପୂର୍ବରୁ ୨୦୨୦ ମେ ମାସରେ ଆରବିଆଇ ରେପୋ ରେଟ୍ କମାଇଥିଲା । ସେବେଠୁ ପ୍ରାୟ ୫ ବର୍ଷ ହେଲାଣି ରେପୋ ରେଟ୍ ହ୍ରାସ ପାଇନଥିଲା । ସେବେଠୁ ରେପୋ ରେଟ୍ ବଢ଼ି ୨୦୨୩ ଫେବ୍ରୁଆରୀରୁ ୬.୫ ପ୍ରତିଶତରେ ସ୍ଥିର ରହିଥିଲା । ଫେବ୍ରୁଆରୀ ୧ରେ ଆଗତ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକରରେ ରିହାତି ଦେଇଥିଲେ । ଏବେ ରେପୋ ରେଟ୍ ହ୍ରାସ ମଧ୍ୟବିତ୍ତଙ୍କ ଲାଗି ବଡ଼ ଉପହାର ହେବ । ତେବେ କଣ ଏହି ରେପୋ ରେଟ୍ ଓ ରିଜର୍ଭ ରେପୋ ରେଟ୍ ଏବଂ ଏହା ସାଧାରଣ ଲୋକଙ୍କୁ କିପରେ ଆଶ୍ୱସ୍ତି ଦେଇଥାଏ ଆସନ୍ତୁ ଜାଣିବା । 

Advertisment

ରେପୋ ରେଟ୍, ରିଭର୍ସ ରେପୋ ରେଟର ଅର୍ଥ ସାଧାରଣଭାବେ ବୁଝାପଡେନାହିଁ । ଏ ବାବଦରେ ସମସ୍ତଙ୍କୁ ବହୁତ କମ ଜଣାଅଛି । ତେଣୁ ଯେଉଁମାନେ ଏ ବାବଦରେ ଜାଣିନାହାନ୍ତି ସେମାନଙ୍କୁ ଟିକେ ସାଧାରଣ ଭାଷାରେ ଏହାର ଅର୍ଥ ବୁଝାଇ ଦେବାର ଆବଶ୍ୟକତା ଅଛି । ଜାଣିବା ରିଜର୍ଭ ବ୍ୟାଙ୍କର କାମ କଣ, କଣ ଏହି ରେପୋ ରେଟ ଆଉ ରିଭର୍ସ ରେପୋ ରେଟ୍ ।

ରିଜର୍ଭ ବ୍ୟାଙ୍କର କାମ କ'ଣ ? 
ପ୍ରଥମେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ଭାରତୀୟ ରିଜର୍ଭ ବ୍ୟାଙ୍କର କାମ କଣ? ଯେମିତି ଆମ ଦେଶରେ ସାଂସଦ ନିର୍ବାଚିତ ହୁଅନ୍ତି ଆଉ ସେମାନଙ୍କ ମଧ୍ୟରୁ ଜଣେ ନେତା ହୁଅନ୍ତି ପ୍ରଧାନମନ୍ତ୍ରୀ, ସେହିଭଳି ରିଜର୍ଭ ବ୍ୟାଙ୍କ ଆମ ଦେଶର ବ୍ୟାଙ୍କମାନଙ୍କର ପ୍ରଧାନମନ୍ତ୍ରୀ । ଦେଶରେ ଯେଉଁ ସରକାରୀ କିମ୍ବା ବେସରକାରୀ ବ୍ୟାଙ୍କ ଚାଲିଥାଏ ଏମାନଙ୍କ କାମ ଦେଖିବା ରିଜର୍ଭ ବ୍ୟାଙ୍କର କାମ । ରିଜର୍ଭ ବ୍ୟାଙ୍କ ଗୋଟିଏ ନୀତି ପ୍ରସ୍ତୁତ କରି ଏହି ସମସ୍ତ ବ୍ୟାଙ୍କକୁ ପ୍ରଦାନ କରିଥାଏ । ଯେଉଁ ଆଧାରରେ ବ୍ୟାଙ୍କ ଗୁଡିକ କାମ କରିଥାନ୍ତି ।  

ରେପୋ ରେଟ୍ ଆଉ ରିଭର୍ସ ରେପୋ ରେଟ କ'ଣ?
ଏବେ ଆସିବା ଆଜିର ମୁଖ୍ୟ ପ୍ରଶ୍ନ ଉପରକୁ,  ରେପୋ ରେଟ୍ ଆଉ ରିଭର୍ସ ରେପୋ ରେଟ କଣ? ରିଜର୍ଭ ବ୍ୟାଙ୍କର ଅନେକ କାମ ରହିଛି । ଏଥିରୁ ଗୋଟିଏ ପ୍ରମୁଖ କାମ ହେଉଛି ନୀତିଗତ ଦର ଉପରେ ନିଷ୍ପତ୍ତି ନେବା । ପୁଣି ଆଉ ଗୋଟିଏ ନୂଆ ଶବ୍ଧ ଆସିଲା ଯେ ଏହି ନୀତିଗତ ଦର କଣ । ଏହାର ଅର୍ଥ ହେଉଛି ଯେଉଁ ଆଧାରରେ ରିଜର୍ଭ ବ୍ୟାଙ୍କ ସହ ଅନ୍ୟବ୍ୟାଙ୍କର ନେଣଦେଣ ହୋଇଥାଏ । ଏଇ ଯେମିତି ଆପଣ ଗୋଟିଏ ବ୍ୟାଙ୍କ ଖୋଲୁଛନ୍ତି । ନିଜର କାମ ଚଳାଇବା ପାଇଁ ଆପଣଙ୍କୁ ଋଣ ନେବାକୁ ପଡିବ । ଯଦି ଆପଣଙ୍କ କାମ ଭଲ ଚାଲୁଛି ତେବେ ଆପଣ କେଉଁଠି ଟଙ୍କା ରଖିବାକୁ ଚାହିଁବେ । ଏହି ସମୟରେ ସାମ୍ନାକୁ ଆସେ ରିଜର୍ଭ ବ୍ୟାଙ୍କ । ବ୍ୟାଙ୍କ ଗୁଡିକ ଏହି ସମୟରେ ରିଜର୍ଭ ବ୍ୟାଙ୍କ ଠାରୁ ଋଣ ନେଇଥାନ୍ତି । ଏକ ସମୟ ଅବଧି ପାଇଁ ସେମାନେ ଏହି ଋଣ ନେଇଥାନ୍ତି । ଯେଉଁ ସୁଧ ଦେଇ ସେମାନେ ଏହି ଋଣ ନେଇଥାନ୍ତି ତାକୁ ରେପୋ ରେଟ୍ କୁହାଯାଏ । ସେପଟେ ବ୍ୟାଙ୍କକୁ ଯେତେବେଳେ ରିଜର୍ଭ ବ୍ୟାଙ୍କରେ ରଖିବାକୁ ହୋଇଥାଏ ସେତେବେଳେ ଯେଉଁ ସୁଧ ମିଳେ ତାକୁ ରିଭର୍ସ ରେପୋ ରେଟ୍ କୁହାଯାଏ । ରେପୋ ରେଟ୍ ରିଜର୍ଭ ବ୍ୟାଙ୍କ ଅନ୍ୟବ୍ୟାଙ୍କକୁ କେତେ ସୁଧରେ ଋଣ ଦେଇଥାଏ । ରିଭର୍ସ ରେପୋ ରେଟ ହେଉଛି ଯେତେବେଳେ ସେହି ବ୍ୟାଙ୍କ ରିଜର୍ଭ ବ୍ୟାଙ୍କରେ ଯେଉଁ ଟଙ୍କା ରଖିଥାଏ ସେହି ବାବଦରେ ଯେତିକି ସୁଧ ପାଇଥାଏ ।

ରେପୋ ରେଟ୍ ବଢିଲେ କି କମିଲେ କ'ଣ ପ୍ରଭାବ ପଡେ? 
ଆପଣଙ୍କ ମନରେ ସାଧରଣରେ ପ୍ରଶ୍ନ ଆସୁଥିବ ଯେ ରେପୋ ରେଟ କମିଲେ କିମ୍ବା ବଢିଲେ କଣ ପ୍ରଭାବ ପଡିଥାଏ । ବ୍ୟାଙ୍କ ଗୁଡିକ ଋଣ ନେବା ପାଇଁ ରିଜର୍ଭ ବ୍ୟାଙ୍କ ପାଖରେ ସରକାରୀବଣ୍ଡକୁ ବନ୍ଧକ ରଖିଥାନ୍ତି । ଯେଉଁ ସୁଧହାରରେ ଋଣ ମିଳିଥାଏ ତାକୁ ରେପୋ ରେଟ କୁହାଯାଏ । ଆପଣଙ୍କୁ ଫାଇଦା ସେତେବେଳେ ହେବ ଯେତେବେଳେ ରିଜର୍ଭ ବ୍ୟାଙ୍କରୁ ଆପଣଙ୍କ ବ୍ୟାଙ୍କକୁ କମ ସୁଧହାରରେ ଋଣ ମିଳିବ । ରେପୋ ରେଟ୍ ଯେତେ କମିବ ଦେଶର ସାଧାରଣ ଜନତାଙ୍କୁ ସେତିକି ଫାଇଦା ମିଳିବ । ରେପୋ ରେଟ୍ କମ ରହିବା ଅର୍ଥ ବ୍ୟାଙ୍କ ଗୁଡିକ ପାଖରେ ଅଧିକ ଟଙ୍କା କ୍ୟାସ ଆକାରରେ ଉପଲବ୍ଧ ରହିଛି । ତେଣୁ ବ୍ୟାଙ୍କ ଯଦି ମାଲାମାଲ ହୁଏ ତେବେ ଲୋକଙ୍କ ଉପରେ ସେ କମ ଚାପ ପ୍ରୟୋଗ କରିବ । ଅର୍ଥାତ ବ୍ୟାଙ୍କ ଆପଣଙ୍କ ପାଖରୁ କମ ସୁଧ ଆଦାୟ କରିବ । ଋଣ ବି ଶସ୍ତା ହେବ । ଯଦି କମ ସୁଧରେ ଆପଣଙ୍କୁ ଋଣ ମିଳିଲା ତେବେ ଆପଣ ଋଣ ନେଇ କେବେ ଘର କରିବେ ତ ଆଉ କେତେବେଳେ ଗାଡି କିଣିବେ କିମ୍ବା ଅନ୍ୟ କୌଣସି କାମରେ ଏହାକୁ ବ୍ୟବହାର କରିବେ । ଟଙ୍କା ବଜାରରେ ବୁଲିବା ଦ୍ୱାରା ରୋଜଗାର ବୃଦ୍ଧି ହେବ ।