କନକ ବ୍ୟୁରୋ: ଆଇପିଏଲ ଭିତରେ ସାମ୍ନାକୁ ଆସିଛି ବଡ଼ ଖବର । ଯାହା କ୍ରିକେଟ ଜଗତକୁ ଚକିତ କରିଦେଇଛି । ଭାରତୀୟ କ୍ରିକେଟ ଇତିହାସରେ ଏମିତି ପ୍ରଥମ କି କିଛି କୋଚିଂ ଷ୍ଟାଫଙ୍କୁ ବିଦା କରିଦିଆଯାଇଛି । ତେବେ ଏହାର କାରଣ କଣ? କାହିଁକି ଏତେ ବଡ଼ ଆକ୍ସନ ନେଲା ବିସିସିଆଇ? ତେବେ ଏହାରି ଭିତରେ ସୂଚନା ମିଳିଛି କି ବିଜିଟି ସମୟରେ ଭାରତର ପ୍ରଦର୍ଶନ ଆଉ ଡ୍ରେସିଂ ରୁମ କଥା ଲିକ୍ ହେବା । ତେବେ କଣ ଟିମ ଇଣ୍ଡିଆର ଆସିଷ୍ଟାଣ୍ଟ କୋଚ୍ ଅଭିଷେକ ନାୟର, ଫିଲ୍ଡିଂ କୋଚ ଟି. ଦିଲ୍ଲିପ ଓ ଫିଟନେସ୍ କୋଚ ସୋହମ ଦେଶାଇ ଡ୍ରେସିଂ ରୁମ୍ କଥାକୁ ଲିକ୍ କରିଥିଲେ ? 

Advertisment

ତେବେ ଏହି ଚର୍ଚ୍ଚା ଭିତରେ କୁହାଯାଉଛି କି, ଅଭିଷେକ ନାୟରଙ୍କ ସହଯୋଗୀ ଷ୍ଟାଫର ଜଣେ ହାଇପ୍ରୋଫାଇଲ ମେମ୍ୱରଙ୍କ ସହ କଥା କଟାକଟି ହୋଇଥିଲା । ଆଉ ଏହି ଆକ୍ସନର କାରଣ ଏହି ଘଟଣା ହୋଇଥାଏ ବୋଲି କୁହାଯାଉଛି । ସୂତ୍ର ଅନୁସାରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ସିରିଜରେ ପରାଜୟ ପରେ ସହଯୋଗୀ ଷ୍ଟାଫଙ୍କୁ ନେଇ ଏକ ମାନସମନ୍ଥନ ଚାଲିଥିଲା । ତେବେ ବିସିସିଆଇରେ ଏହା ଅନୁଭବ ହୋଇଥିଲା ଯେ ସହଯୋଗୀ ଷ୍ଟାଫର ଜଣେ ମହତ୍ୱପୂର୍ଣ୍ଣ ସଦସ୍ୟ ଆଉ ବରିଷ୍ଠ ଖେଳାଳିଙ୍କ ଭିତରେ ଲଢ଼େଇ ପାଇଁ ବଳି ପଡିଗଲେ ଅଭିଷେକ ନାୟର । 

ଗତ ବର୍ଷ ଆଇସିସି ଟି-୨୦ ବିଶ୍ୱକପ ଜିତିବା ପରେ ରାହୁଲ ଦ୍ରାବିଡଙ୍କ ସ୍ଥାନରେ ଗୌତମ ଗମ୍ଭୀରଙ୍କୁ ମୁଖ୍ୟ କୋଚ ଦାୟିତ୍ୱ ଦିଆଯାଇଥିଲା । ଏହାପରେ ଗୌତମ ଗମ୍ଭୀର ନିଜ ମନ ପସନ୍ଦର କୋଚିଂ ଷ୍ଟାଫ ଗଠନ କରିଥିଲେ । ଆଉ ଆସିଷ୍ଟାଣ୍ଟ କୋଚ ଭାବେ ଅଭିଷେକ ନାୟର ଓ ବୋଲିଂ କୋଚ ଭାବେ ମର୍ନି ମୋର୍କେଲଙ୍କୁ ଦାୟିତ୍ୱ ମିଳିଥିଲା । ହେଲେ ଏବେ ୩ ଜଣ କୋଚିଂ ଷ୍ଟାଫଙ୍କ ଉପରେ ଛାଟ ନିଶ୍ଚିନ୍ତ ଭାବେ ବିସିସିଆଇରେ ଗୌତମ ଗମ୍ଭୀରଙ୍କ ସ୍ଥାନକୁ ଦୁର୍ବଳ କରିଦେଇଛି । କାରଣ ଗୌତମ ଗମ୍ଭୀରଙ୍କ ଫେଭରେଟ୍ ଥିଲେ ନାୟର । 

ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ପରାସ୍ତ ଆଉ ଏହା ପରେ ବର୍ଡର ଗାଭାସ୍କର ଟ୍ରଫିରେ ସଂଘର୍ଷ ଭାରତୀୟ କୋଚିଂ ଉପରେ ପ୍ରଶ୍ନ ଉଠାଇଥିଲା । ଆଉ ପରାଜୟ ପରେ ଗୌତମ ଗମ୍ଭୀରଙ୍କ କୋଚ ଛାଡିବା ନେଇ ଚର୍ଚ୍ଚା ହୋଇଥିଲା । କୁହାଯାଉଥିଲା ଯଦି ଚାମ୍ପିୟନ୍ସ ଟ୍ରଫିରେ ଭାରତ ହାରେ ତେବେ ଗୌତମ ଗମ୍ଭୀରଙ୍କ ସମେତ ଅନେକ ବରିଷ୍ଠ ଖେଳାଳି ବିଦା ହୋଇପାରନ୍ତି । ହେଲେ ଏମିତି ହୋଇନଥିଲା, କାରଣ ଗୌତମ ଗମ୍ଭୀରଙ୍କ କୋଚିଂରେ ଜବରଦସ୍ତ କମବ୍ୟାକ କରିଥିଲା ଟିମ ଇଣ୍ଡିଆ । ଆଉ ଚାମ୍ପିୟନ୍ସ ଟ୍ରଫି ଜିତି ନିଜକୁ ପ୍ରମାଣିତ କରିଥିଲେ ଗମ୍ଭୀର । 

ବର୍ତ୍ତମାନ ଏହା ସତ୍ତ୍ୱେ ବି ଗମ୍ଭୀରଙ୍କ ଏହି କୋଚିଂ ଷ୍ଟାଫ୍ ଉପରେ ବିସିସିଆଇର ଛାଟ ଏନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । କାହିଁକି ବିସିସିଆଇ, କୋଚିଂ ଷ୍ଟାଫଙ୍କ ଉପରେ ଆକ୍ସନ ନେଲା? ଡ୍ରେସିଂ ରୁମ୍ କଥା ଲିକ ନା ଆଉ କଣ? ମ୍ୟାନେଜମେଣ୍ଟ ଟାର୍ଗେଟରେ ନାହାନ୍ତି ତ ଗମ୍ଭୀର?