କନକ ବ୍ୟୁରୋ: ଆଜିକାଲି ପ୍ରାୟ ସମସ୍ତଙ୍କ ଘରେ ଗ୍ୟାସ ସିଲିଣ୍ଡର ରହିଛି । ବିନା ଗ୍ୟାସରେ ରୋଷେଇ ହେଉଥିବା ଘର ବୋଧହୁଏ କାଁ ଭାଁ ଥିବ । ପୂର୍ବ ଅପେକ୍ଷା ବିଜେପି ସରକାର ଦେଶରେ ଆସିବା ପରେ ଉଜ୍ଜ୍ବଳା ଯୋଜନାରେ କୋଟି କୋଟି ଗରିବ ହିତାଧିକାରୀ ଗ୍ୟାସ କନେକ୍ସନ ନେଇଛନ୍ତି । ଅନଲାଇନ୍ରେ ବୁକିଂ ଓ ପେମେଣ୍ଟ ହେବା ପରେ ଘରେ ପହଞ୍ଚିଯାଉଛି ସିଲିଣ୍ଡର । କିନ୍ତୁ ସେହି ସିଲିଣ୍ଡରରେ ଲେଖାଥିବା ବି-୧୩ର ଅର୍ଥ କଣ ? କାହିଁକି ଏହା ଲେଖାଯାଏ ? ସେନେଇ କାହା ପାଖରେ ବି କିଛି ଉତ୍ତର ନଥାଏ । ହେଲେ ଏହା ପଛରେ ରହିଛି ବଡ଼ କାରଣ…
ଗ୍ୟାସ ସିଲିଣ୍ଡରରେ ଲେଖାଥିବା ବି-୧୩ର ଅର୍ଥ କଣ ?
କାହିଁକି ସିଲିଣ୍ଡରରେ ଲେଖାଯାଏ ଏମିତି ?
ପ୍ରତି ସିଲିଣ୍ଡରରେ ଲେଖାଯାଏ କିଛି ନା କିଛି
ଘରେ ସିଲିଣ୍ଡର ଡେଲିଭରି ହେବା ପରେ ଆପଣ କେବେ ନା କେବେ ଦେଖିଥିବେ ସିଲିଣ୍ଡରରେ କିଛି ଲେଖାଥିବ । ଏହି ଲେଖା ପଛର ଉଦ୍ଦେଶ୍ୟ ହେଉଛି, ଗ୍ୟାସର ଜୀବନ କେତେ ଦିନ ଅର୍ଥାତ୍ ଏହା କେତେଦିନ ସୁରକ୍ଷିତ ଭାବରେ ବ୍ୟବହାର କରାଯାଇପାରିବ । ଏକ ରିପୋର୍ଟରେ କୁହାଯାଇଛି, ସାଧାରଣତଃ ସିଲିଣ୍ଡର ୧୫ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରାଯାଏ । କିନ୍ତୁ ଏହି ସମୟରେ ସିଲିଣ୍ଡରରେ ଲିକ୍ ଭଳି ସମସ୍ୟା ଦେଖାଯାଇପାରେ । ତେଣୁ ୧୫ ବର୍ଷ ଭିତରେ ସିଲିଣ୍ଡରକୁ ଦୁଇଥର ଟେଷ୍ଟ କରାଯାଇଥାଏ ।
ସିଲିଣ୍ଡର ତିଆରି ହେବା ପରେ
ଦୁଇଦୁଇ ଥର ଟେଷ୍ଟ ହୁଏ
ଆପଣମାନେ ବ୍ୟବହାର କରୁଥିବା ଗ୍ୟାସ ସିଲିଣ୍ଡର ଥରେ ତିଆରି ହେବା ପରେ ୧୦ ବର୍ଷ ପର୍ଯ୍ୟନ୍ତ ଟେଷ୍ଟ ହୋଇନଥାଏ । ଅର୍ଥାତ୍ ୧୦ ବର୍ଷ ହେବା ପରେ କମ୍ପାନୀ ପକ୍ଷରୁ ଚେକିଂ କରାଯାଇଥାଏ ଏହି ବ୍ୟବହାର ଉପଯୋଗୀ କି ନାହିଁ । ଅବଶ୍ୟ ୧୦ ବର୍ଷ ଭିତରେ ଯଦି କୌଣସି କାରଣରୁ ସିଲିଣ୍ଡର ଲିକ୍ ହେଲା ତାହାଲେ ମଧ୍ୟ କମ୍ପାନୀ ପକ୍ଷରୁ ଚେକିଂ କରାଯାଏ ସିଲିଣ୍ଡର । ୧୦ ବର୍ଷ ପରେ ପୁଣି ଥରେ ଆଉ ୫ ବର୍ଷ ପରେ ସିଲିଣ୍ଡର ଚେକ୍ କରାଯାଏ ।
ସିଲିଣ୍ଡରରେ ଲେଖାଥାଏ A,B,C,D
ସିଲିଣ୍ଡର ଡେଲିଭରି ପରେ ଆପଣ ଦେଖିପାରିବେ କି ଏ ବି ସି କିମ୍ବା ଡି ଲେଖାଯାଇଥିବ । ଏହି ଲେଖାରୁ କମ୍ପାନୀ ଜାଣିପାରେ କେବେ ତିଆରି ହୋଇଥିଲା ଏହି ସିଲିଣ୍ଡର । କୁହାଯାଏ କି, ସିଲିଣ୍ଡରରେ ଲେଖାଥିବା ଶେଷ ଦୁଇ ଅଙ୍କ ସିଲିଣ୍ଡରର ଜୀବନକାଳକୁ ଦର୍ଶାଏ । ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ବର୍ଷକୁ ସାଧାରଣତଃ ୪ଟି କ୍ବାର୍ଟରରେ ବିଭକ୍ତ କରାଯାଇଛି । ଯଥାକ୍ରମେ ଏ ବି ସି ଓ ଡି । ପ୍ରତି କ୍ବାର୍ଟରରେ ୩ ମାସ ରହିଛି । ଧରିନିଅନ୍ତୁ ଆପଣଙ୍କ ଗ୍ୟାସରେ ଏ-୨୫ ଲେଖାଯାଇଛି । ଏହାର ଅର୍ଥ ହେଉଛି ସିଲିଣ୍ଡରଟି ୨୦୨୫ ମସିହା ଜାନୁଆରୀରୁ ମାର୍ଚ୍ଚ ମାସରେ ତିଆରି ହୋଇଛି । ଠିକ୍ ସେହିପରି ବି-୨୫ର ଅର୍ଥ ୨୦୨୫ ଏପ୍ରିଲରୁ ଜୁନ୍, ସି-୨୫ର ଅର୍ଥ ୨୦୨୫ ଜୁଲାଇରୁ ସେପ୍ଟେମ୍ବର ଓ ଡି-୨୫ର ଅର୍ଥ ୨୦୨୫ ଅକ୍ଟୋବରରୁ ନଭେମ୍ବର ମାସରେ ତିଆରି ହୋଇଛି । ଅବଶ୍ୟ ୨୦୨୫ ମସିହାର ଏହା ଜାନୁଆରୀ ମାସ ଚାଲିଛି । କେବଳ ଉଦାହରଣ ଲାଗି ଆମେ ଏହାକୁ ଦର୍ଶାଉଛୁ ।
ଅନେକ ସମୟରେ ଆପଣ ଦେଖିଥିବେ କି ସିଲିଣ୍ଡର ଲିକ୍ ହୋଇ ନିଆଁ ଲାଗିଯାଉଛି । ଭୟଙ୍କର ଦୁର୍ଘଟଣା ବି ହେଉଛି । କୋଟି କୋଟି ଟଙ୍କାର ସମ୍ପତ୍ତି ବି ନଷ୍ଟ ହେଉଛି । ତେଣୁ ଆପଣଙ୍କ ଘରେ ଥିବା ସିଲିଣ୍ଡର କେବେ ତିଆରି ହୋଇଥିବା ଏବେ ହିଁ ପରଖି ନିଅନ୍ତୁ । ନଚେତ୍ ହଇରାଣରେ ପଡ଼ିପାରନ୍ତି ଆପଣ । ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ, ଆପଣଙ୍କୁ ଭୟଭୀତ କରିବାର କୌଣସି ଉଦ୍ଦେଶ୍ୟ ଆମର ନାହିଁ କେବଳ ସଚେତନତା ଲାଗି ସିଲିଣ୍ଡର ଚେକ୍ କରିବାକୁ ପରାମର୍ଶ ଦେଉଛୁ ।