କନକ ବ୍ୟୁରୋ: ଆପଣଙ୍କ ଘରକୁ ଗ୍ୟାସ ସିଲିଣ୍ଡର ଆସୁଛି କି ? ଘରେ ଗ୍ୟାସ ରଖିବା ପୂର୍ବରୁ ଏହାର ଓଜନ ମାପୁଛନ୍ତି କି ? ଯଦି ଏମିତି କରୁନାହାନ୍ତି ତେବେ ଠକେଇର ଶିକାର ହେଉଥିବା ଜାଣିନିଅନ୍ତୁ । କାହିଁକି ନା ଗ୍ୟାସ ବିତରକ ସଂସ୍ଥାମାନେ ଏବେ ଆଖିରେ ଆଙ୍ଗୁଠି ଗେଞ୍ଜି ଲୁଟ୍ କରୁଛନ୍ତି I ଯେଉଁ ଚୋରିକୁ ଧରିଛନ୍ତି ଭୁବନେଶ୍ବରର ରଞ୍ଜନ କୁମାର କର ।
ଗତ ୩୦ ଜୁନ୍ରେ ଟୋଲ ଫ୍ରି ନମ୍ବରରେ କଲ କରି ଏଲପିଜି ଗ୍ୟାସ ବୁକ୍ କରିଥିଲେ ରଞ୍ଜନ । ୨ ଦିନ ପରେ ଗ୍ୟାସ୍ ସିଲିଣ୍ଡର ଠିକଣାରେ ପହଞ୍ଚିଥିଲା। ସୋସିଆଲ ମିଡ଼ିଆରେ ସିଲ୍ ସିଲିଣ୍ଡରରୁ ଗ୍ୟାସ୍ ଚୋରି ହେଉଥିବା ଜାଣିବା ପରେ ତୁରନ୍ତ ଆସିଥିବା ଗ୍ୟାସ୍ ସିଲିଣ୍ଡରକୁ ଓଜନ କରିଥିଲେ । କିନ୍ତୁ ଓଜନ କରିବା ବେଳକୁ ସିଲିଣ୍ଡରର ଧାର୍ଯ୍ୟ ଓଜନ ଠାରୁ ଅଢେଇ କିଲୋ କମ୍ ଥିଲା । ଏନେଇ କେନ୍ଦ୍ର ଖାଉଟି କଲ୍ୟାଣ ବିଭାଗକୁ ଗ୍ୟାସ୍ ସଂସ୍ଥାର ଗଫଲତି ବାବଦରେ ଅବଗତ କରିଛନ୍ତି ।
ଏ ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ଘରେ ପୁରୁଣା ସିଲିଣ୍ଡରରେ ଗ୍ୟାସ୍ ପହଞ୍ଚୁଛି । ସିଲିଣ୍ଡର ସୁରକ୍ଷିତ କି ନାହିଁ ତାହାର ଯାଞ୍ଚ ହେଉଛି କି ନାହିଁ, ସେ ବାବଦରେ ବିତରକ ସଂସ୍ଥା ନିରୁତ୍ତର। ନିୟମ ଅନୁସାରେ, ବିନ୍ଦୁ ବିନ୍ଦୁ ମିଶି ସମୁଦ୍ର । ଗ୍ୟାସ୍ ଠକେଇ ବି ଠିକ୍ ସେହିପରି । ଅଧିକାଂଶ ସିଲିଣ୍ଡରରୁ ଗରମ ପାଣି ସାହାଯ୍ୟରେ ସିଲକୁ ହୁଗୁଳା କରାଯାଉଛି । ନୋଜଲ ସହାୟତାରେ ଗ୍ୟାସ କାଢ଼ିବା ପରେ ପୁଣି ସିଲ୍ କରାଯାଉଛି । ନିୟମିତ ଚଢ଼ାଉ ଅଭାବରୁ ଏଭଳି ଠକେଇ ପାଇଁ ସାହସ ପାଉଛନ୍ତି ଠକ ।