କନକ ବ୍ୟୁରୋ: ପ୍ରୟାଗରାଜ ମହାକୁମ୍ଭମେଳାରେ ବଡ଼ ଅଘଟଣ ଘଟିଛି । ସାହିସ୍ନାନ ବେଳେ ଦଳାଚକଟା ଯୋଗୁଁ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି। ତେବେ ମହାକୁମ୍ଭ ମେଳାର ଏମିତି ଏକ ସ୍ଥାନ ଯାହାକୁ ମହାକୁମ୍ଭର ’ନାକ’ ବୋଲି କୁହାଯାଉଛି, ସେଠାରେ ହିଁ ପ୍ରବଳ ଭିଡ଼ ଜମୁଛି ଏବଂ ଅତ୍ୟଧିକ ଭିଡ଼ ଯୋଗୁଁ ଦଳାଚକଟା ହେଉଛି । ମହାକୁମ୍ଭର ନାକ କ’ଣ ? ଏହା ପ୍ରକୃତରେ ମହାକୁମ୍ଭର କେଉଁ ସ୍ଥାନକୁ କୁହାଯାଏ, ଏହାର ମହତ୍ବ କ’ଣ ଏନେଇ କ’ଣ କହୁଛନ୍ତି ସାଧୁସନ୍ଥ ସେ ବାବଦରେ ସାମ୍ନାକୁ ଆସିଛି କିଛି ରୋଚକ ତଥ୍ୟ । 

Advertisment

ମହାକୁମ୍ଭର ସଙ୍ଗମ ନାକ କ’ଣ?

ପ୍ରୟାଗରାଜ ମହାକୁମ୍ଭର ସଙ୍ଗମ ଆକାର ଏକ ସ୍ଥାନ ନାକ ଭଳି ଦିଶୁଥିବାରୁ ଏହାର ନାଁ ସଙ୍ଗମ ନାକ ବୋଲି ବିବେଚନା କରାଯାଏ । ଏପରିକି ଏହି ସଙ୍ଗମ ନାକରେ ହିଁ ଗାଧୋଇବାକୁ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି, କାରଣ କୁମ୍ଭମେଳାର ଏହି ସ୍ଥାନ ହିଁ ସବୁଠାରୁ ମହତ୍ତ୍ବପୂର୍ଣ୍ଣ ବୋଲି ସାଧୁ ସନ୍ଥ ମାନେ କୁହନ୍ତି। କିମ୍ବନ୍ଦନ୍ତୀ କୁହେ, ଏହିଠାରେ ହିଁ ଯମୁନା ଏବଂ ସରସ୍ବତୀ ନଦୀ ପବିତ୍ର ଗଙ୍ଗା ନଦୀ ସହ ସଙ୍ଗମ  ହୋଇଥାଏ । ତେଣୁ ଏଠାରେ ସାଧୁ ସନ୍ଥମାନେ ଦେବସ୍ନାନ ବା ସହି ସ୍ନାନ କରନ୍ତି । ଏଥର ପୂର୍ଣ୍ଣ କୁମ୍ଭମେଳା ହୋଇଥିବାରୁ ଶ୍ରଦ୍ଧାଳୁ ମାନେ ବୁଡ଼ ପକାଇବା ପାଇଁ ଏଠି ଭିଡ଼ କରୁଛନ୍ତି । ପ୍ରତିଥର ଏହି ସଙ୍ଗମ ନାକର କ୍ଷେତ୍ରକୁ ବୃଦ୍ଧି ମଧ୍ୟ କରାଯାଏ । ୨୦୧୯ ଅପେକ୍ଷା ଏଥର ଭିଡ଼କୁ ନଜରରେ ରଖି ଏହି ସ୍ଥାନରକୁ ଅଧିକ ସମ୍ପ୍ରସାରଣ କରାଯାଇଛି । ପୂର୍ବରୁ ଘଣ୍ଟାକ ଭିତରେ ୫୦ ହଜାର ଶ୍ରଦ୍ଧାଳୁ ସ୍ନାନ କରିବାକୁ ବ୍ୟବସ୍ଥା ହେଉଥିବାବେଳେ ଏଥର ପ୍ରତିଘଣ୍ଟାରେ ୨ ଲକ୍ଷ ଶ୍ରଦ୍ଧାଳୁଙ୍କ ସ୍ନାନ ପାଇଁ ବ୍ୟବସ୍ଥା କରାଯାଇଛି ।

କାହିଁକି ହେଲା କୁମ୍ଭରେ ଦଳାଚକଟା ?

ସ୍ଥାନୀୟ ପୋଲିସ ଏବଂ କୁମ୍ଭମେଳାର ଆୟୋଜକଙ୍କ କହିବା ମୁତାବକ, ଆଜି ସାହି ସ୍ନାନ ଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ସଙ୍ଗମ ନାକ ସ୍ଥାନରେ ହିଁ ବୁଡ଼ ପକାଇବା ପାଇଁ ଭିଡ଼ ବଢ଼ି ଚାଲିଲା, ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଗଲା ଏବଂ ଦଳାଚକଟା ହୋଇ ଏକାଧିକଙ୍କ ମୃତ୍ୟୁ ହେଲା । ଦଳାଚକଟା ପରେ ୧୩ଟି ଆଖଡାର ସାହିସ୍ନାନ ରଦ୍ଦ କରାଯାଇଛି। ହେଲେ ଶ୍ରଦ୍ଧାଳୁଙ୍କ ସ୍ନାନ ଜାରି ରହିବ । ଆଜି ମୌନୀ ଅମାବାସ୍ୟା ପାଇଁ ପ୍ରୟାଗରାଜରେ ୧୦ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଆଶା କରାଯାଇଥିଲା । ଭୋର ୪ଟାରୁ ଅମୃତ ସ୍ନାନ ଆରମ୍ଭ ହୋଇଥିଲା। ଏହା ପୂର୍ବରୁ ବୁଡ଼ ପକାଇବା ପାଇଁ ଶ୍ରଦ୍ଧାଳୁମାନେ ଏକାଠି ହୋଇଥିଲେ । ଏହି ସମୟରେ ବ୍ୟାରିକେଡ୍ ଭାଙ୍ଗିଯିବାରୁ ଦଳାଚକଟା ହୋଇଛି । ସ୍ଥିତି ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଘଣ୍ଟାଏ ଭିତରେ ଦୁଇ ଥର କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । ସ୍ଥିତି ଉପରେ ପୂରାପୁରି ନଜର ରଖିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।