କନକ ବ୍ୟୁରୋ: ଚିନ୍ତା ବଢାଇଲା ମଙ୍କି ପକ୍ସ । ଦେଶରେ ପ୍ରଥମ ମଙ୍କି ପକ୍ସ ରୋଗୀ ଚିହ୍ନଟ ହୋଇଛି ।  ସ୍ଥିତିକୁ ଆଖି ଆଗରେ ରଖି କରୋନା ଭଳି ମାର୍ଗଦର୍ଶିକା ଜାରି କରିଛନ୍ତି କେନ୍ଦ୍ର ସରକାର । ସବୁ ରାଜ୍ୟକୁ ମାର୍ଗଦର୍ଶିକା ଜାରି କରାଯାଇଛି ।

Advertisment

ଆଫ୍ରିକା ପରେ ସାରା ବିଶ୍ବରେ ଆତଙ୍କ ଖେଳାଇଥିବା ମଙ୍କିପକ୍ସ ଭାରତର ଚିନ୍ତା ବଢାଇ ଦେଇଛି । ଦିଲ୍ଲୀରେ ବିଦେଶ ଫେରନ୍ତା ଜଣେ ସନ୍ଦିଗ୍ଧ ଚିହ୍ନଟ ହେବା ପରେ ତାଙ୍କୁ ସଙ୍ଗରୋଧରେ ରଖାଯାଇଛି । ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି । ଏଥିସହ କଣ୍ଟାକ୍ଟ ଟ୍ରେସିଂ, ସ୍କ୍ରିନିଂ ଓ ଟ୍ରାଭେଲ ହିଷ୍ଟ୍ରି ଉପରେ ଗୁରୁତ୍ବ ଦିଆଯାଉଛି । ସ୍ଥିତିକୁ ଆଖିରେ ରଖି କରୋନା ଭଳି ମାର୍ଗଦର୍ଶିକା ଜାରି କରିଛନ୍ତି କେନ୍ଦ୍ର ସରକାର । ସବୁ ରାଜ୍ୟକୁ ଆଡଭାଇଜରି ଜାରି କରାଯାଇଛି । ଇଂଟରନେସନାଲ ଏୟାରପୋର୍ଟରେ ଯାଞ୍ଚ କଡ଼ାକଡ଼ି କରାଯାଉଛି। ଏପଟେ ମଙ୍କିପକ୍ସକୁ ନେଇ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ମଙ୍କି ପକ୍ସକୁ ନେଇ ଭୟଭୀତ ନହୋଇ ସତର୍କ ରିହିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । 

ଏମ-ପକ୍ସ ଭୂତାଣୁ ଜନିତ ସଂକ୍ରମଣକୁ ମଙ୍କିପକ୍ସ ବୋଲି କୁହାଯାଇଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା ଏହି ମଙ୍କିପକ୍ସ ରୋଗ ହଠାତ ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟଜଣକୁ ସଂକ୍ରମିତ ହୁଏନାହିଁ । ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଲେ ଏହା ବ୍ୟାପିଥାଏ । 

ମଙ୍କିପକ୍ସ ରୋଗର ଲକ୍ଷଣ 
ଶରୀରରେ ନାଲିନାଲି ଦାଗ ପଡିଯାଏ 
ଶରୀରରେ କଛି ସ୍ଥାନ ଫୁଲିଯିବା ସହ ଦରଜ ହୋଇଥାଏ
ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ଥକ୍କା ଅନୁଭବ ହୁଏ
କାଶ, ଛିଙ୍କ ସହ ଦେହରେ ପ୍ରଥମେ ଫୋଟକ ସୃଷ୍ଟି ହୁଏ 
ପରେ ଫୋଟକା ଘା’ର ରୂପ ନେଇଥାଏ 
କିଛି ଲୋକଙ୍କ କ୍ଷେତ୍ରରେ ହାତ, ଗୋଡ଼, ଗୁପ୍ତାଙ୍ଗରେ ଘା ହୋଇପାରେ 

କୋଭିଡ ସମୟ ଭଳି ନିୟମିତ ବ୍ୟବଧାନରେ ହାତ ଧୋଇବା, ସାନିଟାଇଜର ବ୍ୟବହାର କରିବା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ବ ଦିଆଯାଉଛି । ତେବେ ଭୟଭୀତ ନହୋଇ ସଚେତନ ରହିଲେ ମଙ୍କିପକ୍ସକୁ ଏଡାଇ ହେବ ବୋଲି ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ଡାକ୍ତର ।
ସାରା ବିଶ୍ବରେ ମଙ୍କିପକ୍ସରେ ଆଜି ଯାଏଁ ୮୦ ହଜାର ମାମଲା ଚିହ୍ନଟ ହୋଇଛି । ସେଥିରୁ ମାତ୍ର ୨୨୦ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଯଦିଓ ଏହା ଶୀଘ୍ର ବ୍ୟାପେ ନାହିଁ,କୋଭିଡ ଭଳି ମାରାତ୍ମକ ନୁହେଁ, ତଥାପି ସତର୍କ ରହିବା ଜରୁରୀ ବୋଲି ବିଶେଷଜ୍ଞ କହିଛନ୍ତି ।