କନକ ବ୍ୟୁରୋ: ବିଜେପିର ଆଗାମୀ ରାଷ୍ଟ୍ରୀୟ ଅଧ୍ୟକ୍ଷ କିଏ ହେବ, ତାକୁ ନେଇ ଏବେ ବି ଚର୍ଚ୍ଚା ଲାଗି ରହିଛି । ଖାସ୍ କରି କାହା ନେତୃତ୍ୱରେ ଦଳ ଆଗକୁ ବଢିବ, ତାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି । ଅନ୍ୟପଟେ କିଛି ରାଜ୍ୟରେ ମଧ୍ୟ ସଭାପତି ଚୟନ କରିଛି ଭାରତୀୟ ଜନତା ପାର୍ଟି । ତେବେ ଏହି ରାଜ୍ୟମାନଙ୍କରେ ସଭାପତି ଚୟନ ବେଳେ ରାଜନୀତିର କିଛି ଗୁମର କଥା ସାମ୍ନାକୁ ଆସିଛି । ବିଚାରଧାରା ସହ ଜଡିତ ଏବଂ ଆରଏସଏସ୍ ସହ ଜଡ଼ିତ ଥିବା ଲୋକଙ୍କୁ ନେତୃତ୍ୱ ଦେଇଛି ବିଜେପି ।

Advertisment

ଚଣ୍ଡୀଗଡ଼ ଓ ଛତିଶଗଡ଼ରେ ବିଜେପି ପୁରୁଣା ନେତୃତ୍ୱ ଉପରେ ପୁଣିଥରେ ଭରସା ଦେଖାଇଥିବାବେଳେ । ଆସାମ, ଗୋଆ ଏବଂ ମହାରାଷ୍ଟ୍ରରେ ପରିବର୍ତ୍ତନର ବିକଳ୍ପ ବାଛିଛି ଦଳ । ଜତିନ୍ଦର ପାଲ ମଲହୋତ୍ରାଙ୍କୁ ଦଳ ଚଣ୍ଡୀଗଡ଼ରେ ନେତୃତ୍ୱ ଦେଇଥିବାବେଳେ, କିରଣ ସିଂହ ଦେବଙ୍କୁ ଛତିଶଗଡ଼ରେ ଦାୟିତ୍ୱ ଦେଇଛି ବିଜେପି । ଏହାସହ ଗୋଆରେ ଦଳ ଦାମୁ ଜୀ ନାଇକ, ଆସାମରେ ଦିଲ୍ଲୀପ ସୌକିଆଙ୍କୁ ନୂଆ ରାଜ୍ୟ ଅଧ୍ୟକ୍ଷ ବଛାଯାଇଛି । ଯେଉଁମାନେ କି ଲମ୍ବା ସମୟ ଧରି ଆରଏସଏସ ସହିତ ଜଡ଼ିତ ଥିଲେ । 

ଦୁଇ ଦୁଇ ଥର ବିଧାୟକ ରହିଥିବା ଦାମୁ ଜୀ ନାଇକ ଛାତ୍ର ଜୀବନରୁ ହିଁ ସଂଘ ସହିତ ଜଡ଼ିତ ଥିଲେ । ଅନ୍ୟପଟେ ଆସାମ ଅଧ୍ୟକ୍ଷ ଦିଲ୍ଲୀପ ସୌକିୟାଙ୍କ ରାଜନୈତିକ କ୍ୟାରିୟର ଛାତ୍ର ଜୀବନରୁ ହିଁ ଏବିଭିପିରୁ ଆରମ୍ଭ ହେଇଥିଲା ।

ମିଳିଥିବା ସୂଚନା ମୁତାବକ, ଦଳ ଅଧ୍ୟକ୍ଷ ନିର୍ବାଚନ କରିବା ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ ଦିଗକୁ ନଜରରେ ରଖି ସଭାପତି ଚୟନ କରିଛି । ରାଷ୍ଟ୍ର, ସଙ୍ଗଠନ ଏବଂ ବିଚାରଧାରାକୁ ଆଖି ଆଗରେ ରଖି ଦଳ ସଭାପତି ଚୟନ କରିଛି । ତେଣୁ ଆଗାମୀ ଦିନରେ ଦଳ ଯେଉଁଠି ଯେଉଁଠି ସଭାପତି ବାଛିବ, ସେଠାରେ ମଧ୍ୟ ଏହି ସବୁ ଦିଗକୁ ନଜରରେ ରଖି, ସଭାପତି ଚୟନ ହେଇପାରେ ବୋଲି ଚର୍ଚ୍ଚା ହେଉଛି ।