କନକ ବ୍ୟୁରୋ : ବହୁଚର୍ଚ୍ଚିତ କୋଲକାତା ଆର.ଜି କର ହସ୍ପିଟାଲର ଟ୍ରେନିଂ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟକୁ ଆଜୀବନ କାରାଦଣ୍ଡାଦେଶ । ଦଣ୍ଡାଦେଶ ଶୁଣାଇଛନ୍ତି ସିଆଲଦା କୋର୍ଟ ଏହି ରାୟ ଶୁଣାଇଛନ୍ତି । ଅଭିଯୁକ୍ତ ସଞ୍ଜୟକୁ ଆଜୀବନ ଦଣ୍ଡାଦେଶ ସହ ୫୦ହଜାର ଟଙ୍କାର ଜୋରିମାନା ଲଗାଇଛନ୍ତି କୋର୍ଟ । ଏହି ମାମଲାରେ ପୀଡ଼ିତା ଡାକ୍ତରଙ୍କ ପରିବାର ଓ ସିବିଆଇ ଫାଶୀ ଦଣ୍ଡାଦେଶ ପାଇଁ ଆବେଦନ କରିଥିଲେ । ହେଲେ କୋର୍ଟ ଫାଶୀ ବଦଳରେ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି । ସେହିପରି ପୀଡ଼ିତାଙ୍କ ପରିବାରକୁ ୧୭ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, କୋର୍ଟ ଏହାକୁ ସାଧାରଣ ଘଟଣା କହିନଥିଲେ ବି ଏହାକୁ ବିରଳରୁ ଅତି ବିରଳତମ ଘଟଣା ମଧ୍ୟ କହିନାହାନ୍ତି । ଜାନୁଆରୀ ୧୮ ତାରିଖରେ ସିଆଲଦା କୋର୍ଟ ସଞ୍ଜୟ ରୟକୁ ଦୋଷୀ ସାବ୍ୟସ୍ତ କରିଥିଲେ । ଦଣ୍ଡାଦେଶ ଶୁଣାଣି ବେଳେ ଜଜଙ୍କ ଆଗରେ ନେହୁରା ହୋଇଥିଲା ସଂଜୟ । କୋର୍ଟଙ୍କ ଆଗରେ କହିଥିଲା ଯେ ସେ ଦୋଷୀ ନୁହେଁ । ସେ କିଛି ବି ଦୋଷ କରିନାହାନ୍ତି । ତାକୁ ଫସାଇ ଦିଆଯାଇଛି । ଦୋଷ ସ୍ବୀକାର କରିବାକୁ ତା’ ଉପରେ ଚାପ ପକାଯାଇଥିବା କହିଛି ସଂଜୟ ।
କ’ଣ କହିଲେ କୋର୍ଟ?
- ସଞ୍ଜୟଙ୍କ ବିରୋଧରେ ଲାଗିଥିବା ସବୁ ଅପରାଧ ପ୍ରମାଣିତ ହୋଇସାରିଛି
- ଅଭିଯୁକ୍ତ, ପ୍ରମାଣ, ତଥ୍ୟ, ସାକ୍ଷ୍ୟ ଆଧାରରେ ଦୋଷୀ ସାବ୍ୟସ୍ତ
- ଏ ଘଟଣା କୌଣସି ସାଧାରଣ ଅପରାଧ ନୁହେଁ
- ଏହା ବିରଳରୁ ଅତି ବିରଳତମ ଘଟଣା ନୁହେଁ
- ଏହା ଜଘନ୍ୟ ଅପରାଧ ଶ୍ରେଣୀରେ ଯାଉନାହିଁ
- ସେଥିପାଇଁ ମୃତ୍ୟୁ ଦଣ୍ଡାଦେଶର ଆବଶ୍ୟକତା ନାହିଁ
- ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଛି
କ’ଣ କହିଲା ସଞ୍ଜୟ?
- ମୁଁ ଦୋଷୀ ନୁହେଁ, ମୋତେ ଫସାଇ ଦିଆଯାଇଛି
- ବହୁତ କିଛି ବର୍ବାଦ ହୋଇଗଲା
- ମୁଁ କିଛି ଅପରାଧ କରିନାହିଁ
- ଦୋଷ ସ୍ବୀକାର ପାଇଁ ମୋ ଉପରେ ଚାପ ପକାଯାଇଛି
- ମୁଁ ରୁଦ୍ରାକ୍ଷ ମାଳ ପିନ୍ଧିଥିଲି
- ଯଦି ମୁଁ କିଛି ଅପରାଧ କରିଛି, ତାହେଲେ ମୋ ରୁଦ୍ରାକ୍ଷ ମାଲା ଫାଟିଯାଇଥାନ୍ତା
- ଯିଏ ଅପରାଧ କରିନାହିଁ, ତାକୁ ଦଣ୍ଡ ଦିଆଯାଉଛି