କନକ ବ୍ୟୁରୋ : ଜିଏସ୍ଟି ସ୍ଲାବରେ ପରିବର୍ତ୍ତନ ସହ ଦେଶବାସୀଙ୍କୁ ଆଗୁଆ ଦଶହରା ଭେଟି ଦେଇଛନ୍ତି କେନ୍ଦ୍ର ସରକାର । ୨ଟି ସ୍ଲାବରେ ଜିଏସଟି ଲାଗୁ ହେଉଥିବାରୁ କେନ୍ଦ୍ର ସରକାର ପାଖାପାଖି ୪୮ ହଜାର କୋଟି ଟଙ୍କା କ୍ଷତି ସହିବେ । ହେଲେ ମୋଦୀ ସରକାରଙ୍କ ଏହି ନିଷ୍ପତ୍ତି ପାଇଁ ଲାଭବାନ ହେବେ ଓଡ଼ିଶାର କେନ୍ଦୁପତ୍ର ତୋଳାଳୀ ଓ ଚାଷୀ । କେନ୍ଦୁପତ୍ର ଉପରୁ ଜିଏସ୍ଟି ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ ପାଇଛି । ଏହାଦ୍ବାରା ରାଜ୍ୟର ୨୨ ଜିଲ୍ଲାର ୧୦ ଲକ୍ଷ କେନ୍ଦୁପତ୍ର ତୋଳାଳୀଙ୍କୁ ଅଧିକ ଲାଭ ମିଳିବା ସହ ବିକ୍ରି ବଢିବ । କେବଳ କେନ୍ଦୁପତ୍ର ତୋଳାଳୀ ନୁହନ୍ତି ବରଂ ଜିଏସଟି ସ୍ଲାବରେ ପରିବର୍ତ୍ତନର ବଡ ଲାଭ ପାଇବେ ଚାଷୀ । ବିଭିନ୍ନ କୃଷି ଉପକରଣ, ଔଷଧ ସିଞ୍ଚନକାରୀ ଯନ୍ତ୍ର, ଟ୍ରାକ୍ଟର, ସାରରେ ବ୍ୟବହୃତ କଞ୍ଚାମାଲ ଉପରୁ ଜିଏସଟି ହ୍ରାସ ଦ୍ବାରା ଚାଷୀଙ୍କ ଉପରୁ ଆର୍ଥିକ ବୋଝ ହଟିବ ଓ ଆୟ ବୃଦ୍ଧିରେ ସହାୟକ ହେବ । କୋଇଲା ଉତ୍ପାଦନରେ ମଧ୍ୟ ଓଡ଼ିଶାକୁ ଅଧିକ ଲାଭ ମିଳିବ । ସେସ୍ କମିବା ଯୋଗୁ ଅଧିକ ଫାଇଦାରେ ରହିବ ଓଡ଼ିଶା । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ମଧ୍ୟବିତ୍ତ ଓ ନିମ୍ନ ଆୟକାରୀ ପରିବାରର ସଂଚୟ ବଢ଼ିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
କେନ୍ଦୁପତ୍ର ଉପରେ ଜିଏସଟି ୫ ପ୍ରତିଶତକୁ ହ୍ରାସ କରିଥିଲେ ମଧ୍ୟ ଏହାକୁ ନେଇ କେନ୍ଦ୍ରକୁ ଘେରିଛି ବିଜେଡି । ବାରମ୍ବାର ଦାବି ସତ୍ତ୍ବେ ମଧ୍ୟ କାହିଁକି କେନ୍ଦୁପତ୍ର ଉପରେ ଶୂନ ଜିଏସଟି କରାଗଲାନି? ବୋଲି ପ୍ରଶ୍ନ କରିଛି ବିଜେଡ଼ି । ନବରାତ୍ରୀର ପ୍ରଥମ ଦିନରୁ ନୂଆ ଜିଏସଟି ସ୍ଲାବ ଲାଗୁ ହେବ । ନୂଆ ସ୍ଲାବ ଲାଗୁ ହେଲେ ସାଧାରଣ ଲୋକ ଲାଭ ପାଇବେ କିନ୍ତୁ ଓଡ଼ିଶା କିଛି ପରିମାଣର ରାଜସ୍ବ ହରାଇବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/09/04/50-2025-09-04-19-27-13.jpg)