କନକ ବ୍ୟୁରୋ: ରୋହିତ ଶର୍ମା ଲାଲ ବଲ କ୍ରିକେଟରେ ଲଗାତାର ସଂଘର୍ଷ କରୁଛନ୍ତି । ଗତ ୧୫ ଟି ଟେଷ୍ଟ ଇନିଂସରେ ସେ ୧୦.୯୩ ହାରରେ ମାତ୍ର ୧୬୪ ରନ୍ କରିଛନ୍ତି । ବାଂଲାଦେଶ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଖରାପ ପ୍ରଦର୍ଶନ ପରେ ରୋହିତଙ୍କ ଉପରେ ଉପରେ ପ୍ରଶ୍ନ ଉଠିଥିଲା । ଏହାପରେ ସେ ନିଜର ଫର୍ମ ଫେରିପାଇବା ପାଇଁ ରଣଜୀ କ୍ରିକେଟ ଖେଳିଥିଲେ । ପ୍ରାୟ ୧୦ ବର୍ଷ ପରେ ଭାରତୀୟ ଅଧିନାୟକ ଆଜି ଜମ୍ମୁ-କଶ୍ମୀର ବିପକ୍ଷ ରଣଜୀ ଟ୍ରଫି ମ୍ୟାଚରେ ଓହ୍ଲାଇଥିଲେ । କିନ୍ତୁ ଏଠାରେ ମଧ୍ୟ ତାଙ୍କ ସଂଘର୍ଷ ଜାରି ରହିଥିଲା। ମାତ୍ର ୩ ରନ୍ କରି ରୋହିତ ଆଉଟ୍ ହୋଇଥିଲେ ।
ମୁମ୍ବାଇ ଅଧିନାୟକ ଅଜିଙ୍କ୍ୟ ରାହାଣେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଏହାପରେ ଭାରତର ଓପନିଂ ଯୋଡ଼ି ଯଶସ୍ୱୀ ଜୟସ୍ୱାଲ ଓ ରୋହିତ ଶର୍ମା ମୁମ୍ବାଇରୁ ଇନିଂସ ଆରମ୍ଭ କରିବାକୁ ଆସିଥିଲେ । କିନ୍ତୁ ଜମ୍ମୁ-କଶ୍ମୀର ବୋଲରମାନେ ରୋହିତଙ୍କୁ ସଟଖେଳିବାକୁ ଦେଇନଥିଲେ,ଜାମ୍ମୁର ୬ ଫୁଟ ୪ ଇଞ୍ଚ ଫାଷ୍ଟ ବୋଲର ଉମର ନାଜିରଙ୍କ ସମ୍ମୁଖରେ ରୋହିତ ସମ୍ପୂର୍ଣ୍ଣ ଅସହାୟ ଦେଖାଯାଉଥିଲେ । ରୋହିତ ଉମରଙ୍କ ୧୩ତମ ବଲ୍ ରେ ୧୨ ବଲ୍ ର ଡଟ୍ କରିବାପରେ ଉମର ରୋହିତଙ୍କୁ ଆଉଟ୍ କରିଥିଲେ । ରୋହିତ ଶର୍ମାଙ୍କ ଟେଷ୍ଟ ଦଳରେ ସ୍ଥାନ ଧୀରେ ଧୀରେ ଶେଷ ହେବାରେ ଲାଗୁଛି , ଭାରତକୁ ଜୁନ୍ ମାସରେ ଇଂଲଣ୍ଡ ଗସ୍ତରେ ଯିବାକୁ ପଡ଼ିବ। ଏହି ସମୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ,କିନ୍ତୁ ଏଥିରେ ସ୍ଥାନ ପାଇବାପାଇଁ ରୋହିତଙ୍କ ଆଶା କେବଳ ଘରୋଇ ପ୍ରଦର୍ଶନ ଉପରେ ନିର୍ଭର କରୁଛି । ଏଥିରେ ବିଫଳ ହେଲେ ବୋଧହୁଏ ରୋହିତଙ୍କ ଟେଷ୍ଟ କ୍ୟାରିୟର ଶେଷ ହୋଇଯିବ ।