କନକ ବ୍ୟୁରୋ : ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା ଟଙ୍କା ଚଳୁ କରୁଛନ୍ତି ଶିକ୍ଷକ । ବିଇଓ, ଡିଇଓ ଏବଂ ପ୍ରଧାନଶିକ୍ଷକଙ୍କ ମିଳିତ ଉଦ୍ୟମରେ ଟଙ୍କା ହରିଲୁଟ୍ କରାଯାଉଛି । ପିଏମ୍‌ ପୋଷଣର ରାଜ୍ୟ ନୋଡାଲ ଅଧିକାରୀ ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି । ବିଶେଷ କରି ନେତାଜୀ ଜୟନ୍ତୀ, ସ୍ବାଧୀନତା ଦିବସ, ଗାନ୍ଧୀ ଜୟନ୍ତୀ ଭଳି ଦିନ ଗୁଡିକରେ ଯେଉଁଦିନ ପିଲାମାନେ ସ୍କୁଲ ଆସୁଛନ୍ତି କିନ୍ତୁ ମଧ୍ୟାହ୍ନ ଭୋଜନ ରନ୍ଧା ହେଉନି ସେହିଦିନ ଏଭଳି ମିଥ୍ୟା ବିଲ୍ କରି ଟଙ୍କା ହଡପ୍ କରାଯାଉଛି । 

Advertisment
several-students
several-students Photograph: (google)

ବିଇଓ, ଡିଇଓମାନେ ଏହାକୁ ଠିକ୍ ଭାବେ ମନିଟରିଂ କରୁନାହାନ୍ତି । ତେଣୁ ବର୍ଷକରେ ଏହି ୭ ଦିନ ସ୍କୁଲ ଗୁଡ଼ିକରେ ମଧ୍ୟାହ୍ନ ଭୋଜନ ରାନ୍ଧିବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ଏହାଦ୍ବାରା କେବଳ ଜାତୀୟ ଖାଦ୍ୟ ନିରାପତ୍ତା ଆଇନର ଉଲଂଘନ ହେଉଛି ତା ନୁହେଁ ପିଲାମାନେ ସେମାନଙ୍କ ଅଧିକାରରୁ ବଞ୍ଚିତ ହେଉଥିବା ପିଏମ୍ ପୋଷଣର ରାଜ୍ୟ ନୋଡାଲ ଅଧିକାରୀ କହିଛନ୍ତି । ଆଗାମୀ ଦିନରେ ଏହି ୭ ଦିନ ଯେଭଳି ପିଲାମାନେ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ନହେବେ ତା’ ଉପରେ ଧ୍ୟାନ ଦେବାକୁ କୁହାଯାଇଛି । ଏପରିକି ଏହାକୁ ଠିକ୍ ଭାବେ କିଭଳି ମନିଟର ଓ ଯାଞ୍ଚ କରାଯିବ ତା’ଉପରେ ଗୁରୁତ୍ବ ଦେବାକୁ ଚିଠିରେ ଉଲ୍ଲେଖ ରହିଛି ।