କନକ ବ୍ୟୁରୋ: ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁ ଠୁ ସହର । ଆଉ ଦିନ କେଇଟା ପରେ ପଶ୍ଚିମ ଓଡ଼ିଶା ର ଗଣ ପର୍ବ ନୂଆଁଖାଇ । ନୁଆଖାଇକୁ ନେଇ ଗାଁ ଠୁ ସହର ରେ ଉତ୍ସାହ ର ମାହୋଲ ଥିବା ବେଳେ ଆରମ୍ଭ ହୋଇଛି ପ୍ରସ୍ତୁତି । ହାଟ ବଜାର ରେ ଚାଲିଛି କିଣା ବିକା ପ୍ରକ୍ରିୟା । ଦେଖିବା କଳାହାଣ୍ଡି ଜିଲ୍ଲାରେ କିଭଳି ଚାଲିଛି ନୂଆଁଖାଇର ଏହି ପ୍ରସ୍ତୁତି ।
ଆଉ ଦିନ କେଇଟା ପରେ ନୂଆଁଖାଇ । ଏନେଇ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳ ବେଶ୍ ଚଳଚଞ୍ଚଳ ହୋଇଉଠିଲାଣି । ଲୋକଙ୍କ ମନରେ ଅନେକ ଉତ୍ସାହ। କୃଷିଭିତ୍ତିକ ଏହି ଗଣପର୍ବ ନୂଆଁଖାଇ ପାଳିବେ । ନୂଆ ଖାଇବେ । ଗାଁଠୁ ଦୂରରେ ଥିବା ଲୋକଙ୍କ ଘରବାହୁଡ଼ା ହେଲାଣି । ଆଉ ଘରେ ଥିବା ଲୋକ ସବୁ ଜିନିଷର ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ଏଥିପାଇଁ ହାଟ ବଜାରରେ ଜମିଲାଣି ଭିଡ଼ । ବଜାରରୁ ହାଣ୍ଡି ମାଠିଆ ସାଙ୍ଗକୁ ନୂଆ ଧାନ, ଚୁଡ଼ା ଓ ନୂଆ ଲୁଗା କିଣୁଛନ୍ତି ଲୋକ । ନୂଆଲୁଗା କିଣିବାକୁ ମଧ୍ୟ ଦୋକାନରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଲାଗିଛି । ଚଳିତ ବର୍ଷ ଭଲ ବର୍ଷା ହୋଇଥିବାରୁ ସମସ୍ତେ ଖୁସି ରହିଛନ୍ତି।
ବର୍ଷର ନୂଆ ଉତ୍ପାଦିତ ଫସଲକୁ ନିଜ ଇଷ୍ଟ ଦେବୀ ପାଖରେ ସମର୍ପଣ ପରେ ନୂଆ ଲୁଗା ପିନ୍ଧି ନବାନ୍ନ ଭକ୍ଷଣ କରିବାର ରହିଛି ପରମ୍ପରା । ଏନେଇ ସମସ୍ତେ ନିଜ ନିଜ କାମରେ ଲାଗିପଡ଼ିଛନ୍ତି । ନାଚ ଗୀତର ଆାସର ବି ଜମିବ । ସେଥିପାଇଁ ଚାଲିଛି କଳାକାରଙ୍କ ଡାଲଖାଇର ଧୁମ୍ ପ୍ରୟାସ । ତେବେ ନୂଆଁଖାଇ ଠାରୁ ଅଧିକ ଗୁରୁତ୍ବ ହେଲା ବାସି ପର୍ବ । ଏହି ଦିନ ସମସ୍ତଙ୍କ ଘରେ ଜମି ଥାଏ ଆସର ।
କିଛି ଦିନର ବର୍ଷା ନୂଆଁଖାଇ ପାଇଁ ଆଶା ସଂଚାର କରିଛି । ଏହି ନୂଆଁଖାଇ ପାଇଁ ଯେତେ ଅଭାବୀ ପରିବାର ହେଉପଛେ ଛୋଟରୁ ବଡ଼ ସଭିଏଁ ଏକାଠି ହୋଇ ପର୍ବ ପାଳିଥାନ୍ତି ।