କନକ ବ୍ୟୁରୋ : ଆଉ ଦିନ କେଇଟା ପରେ ନୂଆଁଖାଇ । ଗଣପର୍ବ ପାଳନ ପାଇଁ ପଶ୍ଚିମ ଓଡ଼ିଶାର ଗାଁଠୁ ସହର ସବୁଠି ଉତ୍ସାହର ମାହୋଲ । ଆରମ୍ଭ ହୋଇଛି ପ୍ରସ୍ତୁତି । ହାଟ ବଜାରରେ ଚାଲିଛି କିଣା ବିକା ।
ନୂଆଁଖାଇ ପାଇଁ ପ୍ରସ୍ତୁତି । ଚଳଚଞ୍ଚଳ ହାଟ ବଜାର । ବଜାରରୁ ହାଣ୍ଡି ମାଠିଆ ସାଙ୍ଗକୁ ନୂଆଧାନଚୁଡ଼ା ଓ ନୂଆ ଲୁଗା କିଣୁଛନ୍ତି ଲୋକେ । ପରିବାରର ସମସ୍ତ ସଦସ୍ୟ ନୂଆ ପିନ୍ଧିବେ। ସେଥିପାଇଁ କଳାହାଣ୍ଡିର କପଡ଼ା ଦୋକାନରେ ବି ଗ୍ରାହକଙ୍କ ପ୍ରବଳ ଭିଡ଼ ଜମୁଛି ।
ପରମ୍ପରା ଅନୁସାରେ ପ୍ରତିବର୍ଷ ଭାଦ୍ରବ ମାସ ୠଷି ପଞ୍ଚମୀରେ ପାଳିତ ହୁଏ କୃଷିଭିତ୍ତିକ ପର୍ବ ନୂଆଁଖାଇ । ଯିଏ ଯେଉଁଠି ଥିଲେ ବି ଘରକୁ ଆସିଥାନ୍ତି । ବର୍ଷର ନୂଆ ଉତ୍ପାଦିତ ଶସ୍ୟକୁ ଇଷ୍ଟଦେବୀ ପାଖରେ ସମର୍ପଣ କରିବା ପରେ ନୂଆ ଲୁଗା ପିନ୍ଧି ନବାନ୍ନ ଭକ୍ଷଣ କରିଥାନ୍ତି ।
ନୂଆଁଖାଇ ଠାରୁ ଅଧିକ ଆନନ୍ଦ ଦିଏ ନୂଆଁଖାଇ ଭେଟଘାଟ । ଏହି ଦିନ ସମସ୍ତଙ୍କ ଘରେ ଜମେ ଭୋଜିଭାତ । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହୁଏ ସାଂସ୍କୃତିକ କାର୍ଯ୍ୟକ୍ରମ । ଏଥିପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି । କଳାକାରମାନେ ନିଜକୁ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି । ଅଭାବୀ ମଣିଷ ହୁଅନ୍ତୁ କି ମରୁଡ଼ି ହେଉ । ଭାଇଚାରାର ପର୍ବ ନୂଆଁଖାଇକୁ ବ୍ୟୟ ବହୁଳ ଭାବରେ ପାଳନ କରନ୍ତି ସମସ୍ତେ । ରାଗ ଅଭିମାନ ଭୁଲି ଏକତ୍ରିତ ହୋଇଥାନ୍ତି । ପରସ୍ପର ମଧ୍ୟରେ ଥିବା ତିକ୍ତତାକୁ ଭୂଲି ଯାଆନ୍ତି ।