କନକ ବ୍ୟୁରୋ : ଇଲିଶି ପାଇଁ ପ୍ରସିଦ୍ଧ ବାଲେଶ୍ୱର ଜିଲ୍ଲାରେ ଏଥର ସନ୍ତୋଷଜନକ ଉତ୍ପାଦନ ହୋଇନାହିଁ । ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ମୁହାଣରୁ ଯେତିକି ବି ଇଲିଶି ମତ୍ସ୍ୟଜୀବୀମାନେ ଧରୁଛନ୍ତି ତାହାକୁ ପଶ୍ଚିମବଙ୍ଗ ବ୍ୟବସାୟୀମାନେ ତୁରନ୍ତ ଚଢାଦାମରେ କିଣି ନେଉଛନ୍ତି । ଏହି କାରଣରୁ ଓଡିଶାର ଲୋକେ ବାଲେଶ୍ୱର ଇଲିଶି ପାଇବାରୁ ବଂଚିତ ହେଉଛନ୍ତି । ଓଡିଶାରେ ଛୋଟ ଇଲିଶିର ଦାମ ୮୦୦ ରୁ ୯୦୦ ଟଙ୍କା ରହୁଥିବା ବେଳେ ବଡ଼ ଇଲିଶି କିନ୍ତୁ କିଲୋପ୍ରତି ୨ ହଜାର ଟଙ୍କାରେ ବିକ୍ରି ହେଉଛି । ବାଲେଶ୍ୱରରେ ଇଲିଶି ମାଛ ବିକ୍ରିର ବିଶେଷ ସୁବିଧା ନଥିବାରୁ ବ୍ୟବସାୟୀମାନେ ଦୀଘା ବଜାର ଉପରେ ନିର୍ଭର କରୁଛନ୍ତି  । ପୂର୍ବ ସରକାର ସମୟରେ ବସ୍ତା ନିକଟରେ ଏକ ମାଛ ମାର୍କେଟ ଖୋଲାଯିବାର ପ୍ରସ୍ତାବ ରହିଥିଲା । ଏହି ମାର୍କେଟ ମାଧ୍ୟମରେ ମାଛ ବ୍ୟବସାୟକୁ ଅନ୍ତର୍ଜାତୀୟ ସ୍ତରରେ ପହଂଚାଇବାକୁ ଲକ୍ଷ୍ୟ ରଖାଯାଇଥିଲା । ହେଲେ ୧୦୦ କୋଟି ଟଙ୍କାର ଏହି ପ୍ରସ୍ତାବ ଫାଇଲ ଭିତରେ ଚାପି ହୋଇ ରହିଛି ।

ସେପେଟେ ପଶ୍ଚିମବଙ୍ଗ ବ୍ୟବସାୟୀମାନେ ଓଡିଶାରୁ ଇଲିଶି ମାଛ ନେଇଯାଉଥିବା ନେଇ ବାଲେଶ୍ୱରବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାର କାରଣ ହେଉଛି କିଛି ସପ୍ତାହ ଧରି ଓଡିଶାରେ ଆଳୁର ଅଭାବ ଦେଖିବାକୁ ମିଳିଛି । ଆଳୁ ପାଇଁ ଓଡିଶା ବିଶେଷ ଭାବେ ପଶ୍ଚିମବଙ୍ଗ ଉପରେ ନିର୍ଭର କରିଥାଏ । ମାତ୍ର ଓଡିଶାରେ ଆଳୁର ଅଭାବ ରହିଥିବା ବେଳେ ପଶ୍ଚିମବଙ୍ଗ ସରକାର ଓଡିଶାକୁ ଆଳୁ ଯୋଗାଇବାକୁ ମନା କରିଥିଲେ । ଫଳରେ ଓଡିଶାରେ ଆଳୁ କିଲୋପ୍ରତି ୫୦ ରୁ ୬୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା । ହେଲେ ଆଜି ଓଡିଶାରୁ  ଉତ୍ପାଦିତ ଇଲିଶି ପଶ୍ଚିମବଙ୍ଗ ନେଇଯାଉଥିବାରୁ ଆଳୁ ନ ଦେଇ ଇଲିଶି ନେବାକୁ ଠିକ୍ ନୁହେଁ ବୋଲି ବାଲେଶ୍ୱରବାସୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।