କନକ ବ୍ୟୁରୋ : ପଶ୍ଚିମବଙ୍ଗ ପରେ ଝାଡ଼ଖଣ୍ଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ ରାଜ୍ୟ ପୁଲିସ ମଧ୍ୟରେ ପୁଣି ମୁହାଁମୁହିଁ ଆରମ୍ଭ ହୋଇଛି। ଜଳ ଯୋଗାଣ ଦୁର୍ନୀତିର ତଦନ୍ତ ଚାଲିଥିବା ବେଳେ ଜଣେ ଅଭିଯୁକ୍ତ ସନ୍ତୋଷ କୁମାରଙ୍କୁ ଇଡି ଅଧିକାରୀମାନେ ପଚରାଉଚରା ସମୟରେ ମାଡ଼ ମାରିଥିଲେ ବୋଲି କୁମାର ପୁଲିସ ଆଗରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ନେଇ ରାଞ୍ଚି ପୁଲିସର ଏକ ଟିମ୍ ଜାନୁଆରି ୧୫ ତାରିଖ ସକାଳେ ବିପୁଳ ସଂଖ୍ୟାରେ ଏୟାରପୋର୍ଟ ରୋଡରେ ଥିବା ଇଡି କାର୍ୟ୍ୟାଳୟରେ ପହଞ୍ଚିଥିଲେ । ରାଞ୍ଚିର ଅପର ଚୁତିଆର ବାସିନ୍ଦା ସନ୍ତୋଷ କୁମାର ଇଡିର ସହକାରୀ ନିର୍ଦ୍ଦେଶକ (ଦ୍ୱିତୀୟ) ପ୍ରତୀକ ଓ ତାଙ୍କ ସହକାରୀ ଶୁଭମଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ତାଙ୍କ ଅଭିଯୋଗ ପରେ ପୁଲିସ ବିମାନବନ୍ଦର ଥାନାରେ ମାମଲା ନମ୍ବର ୦୫/୨୦୨୬ ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଅଧିକ ପଢ଼ନ୍ତୁ : ପଶ୍ଚିମବଙ୍ଗ ଡିଜିପିଙ୍କ ନିଲମ୍ବନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ଇଡି
ଇଡି ଓ ରାଜ୍ୟ ପୁଲିସ ମଧ୍ୟରେ ଏହି ଆଇନଗତ ଓ ପ୍ରଶାସନିକ ବିବାଦ ନୂଆ ନୁହେଁ। ଏହା ପୂର୍ବରୁ ବେଆଇନ ଖଣି ଖନନ ଓ ସାହିବଗଞ୍ଜ ଟୋଲ୍ ଟେଣ୍ଡର ମାମଲାକୁ ନେଇ ଦୁଇ ଏଜେନ୍ସି ମଧ୍ୟରେ ସଂଘର୍ଷ ହୋଇଥିଲା। ଏପରିକି ରାଜ୍ୟ ସରକାର କେନ୍ଦ୍ରୀୟ ଏଜେନ୍ସିମାନଙ୍କ ଦ୍ୱାରା ପଚରାଉଚରା ପାଇଁ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍ଓପି) ପ୍ରସ୍ତୁତ କରିଥିଲେ, ଯାହାକୁ ସଂସଦ ଦ୍ୱାରା ଦିଆଯାଇଥିବା କ୍ଷମତାର ଉଲ୍ଲଂଘନ ବୋଲି ଦର୍ଶାଇ ଇଡି ପ୍ରତ୍ୟାଖ୍ୟାନ କରିଥିଲା। କୁମାରଙ୍କ କହିବା ଅନୁଯାୟୀ, ଆହତ ହେବା ପରେ ତାଙ୍କୁ ସଦର ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କ ମୁଣ୍ଡରେ ଛଅଟି ସିଲେଇ କରାଯାଇଥିଲା। ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଡାକ୍ତରଖାନାରେ ଧମକ ଦିଆଯାଇଥିଲା ଏବଂ ତାଙ୍କ ଆଘାତର ପ୍ରକୃତ କାରଣ ଡାକ୍ତରଙ୍କୁ ପ୍ରକାଶ ନ କରିବାକୁ କୁହାଯାଇଥିଲା।
ଇଡି କାର୍ୟ୍ୟାଳୟକୁ ଫେରାଇ ଅଣାଯିବା ପରେ କୁମାର ଦାବି କରିଛନ୍ତି ଯେ ତାଙ୍କ ରକ୍ତ ଭିଜା ଟି-ସାର୍ଟକୁ ଜବରଦସ୍ତ କାଢ଼ି ଏକ ନୂଆ ସାର୍ଟ ପିନ୍ଧାଯାଇଥିଲା ଏବଂ ପଢ଼ିବାକୁ ଅନୁମତି ନଦେଇ ତାଙ୍କୁ ଏକ କାଗଜରେ ଦସ୍ତଖତ କରିବାକୁ ବାଧ୍ୟ କରାଯାଇଥିଲା। ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ଯଦି ସେ ଏହି ଘଟଣା ବିଷୟରେ ଗଣମାଧ୍ୟମ, ପୁଲିସ କିମ୍ବା ଓକିଲଙ୍କୁ ସୂଚନା ଦିଅନ୍ତି ତେବେ ଅଧିକାରୀମାନେ ତାଙ୍କ ପତ୍ନୀ ଓ ପିଲାମାନଙ୍କୁ ଜେଲକୁ ପଠାଇବେ ବୋଲି ଧମକ ଦେଇଛନ୍ତି।
ଅଧିକ ପଢ଼ନ୍ତୁ : ଟିଏମସିର ଧାରଣା ଓ ବିରୋଧ ପ୍ରଦର୍ଶନରେ ଉଠିଲା ପଡ଼ିଲା ରାଜଧାନୀ ଦିଲ୍ଲୀ: କୋଲକାତା ଆଇପ୍ୟାକ୍ ଅଫିସରେ ଇଡି ଚଢ଼ାଉର ପ୍ରତିବାଦ
ଏହି ଦୁର୍ନୀତିରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମେତ ହାଇପ୍ରୋଫାଇଲ୍ ବ୍ୟକ୍ତିବିଶେଷଙ୍କ ଭୂମିକା ଉପରେ ଇଡି ଅନୁସନ୍ଧାନ କରୁଥିବାବେଳେ ପୁଲିସ ବର୍ତ୍ତମାନ ଇଡି ଅଧିକାରୀଙ୍କ ଆଚରଣର ଅନୁସନ୍ଧାନ କରୁଛି। ଅନ୍ୟପକ୍ଷରେ ଝାଡ଼ଖଣ୍ଡ ପୁଲିସ ସକାଳ ୬ଟାରେ କାର୍ୟ୍ୟାଳୟରେ ପହଞ୍ଚିବା ନେଇ ଇଡି ତୀବ୍ର ଅସନ୍ତୋଷ ପ୍ରକାଶ କରିଛି। ବିରୋଧୀ ଦଳ ନେତା ବାବୁଲାଲ ମାରାଣ୍ଡି ରାଜ୍ୟ ସରକାରଙ୍କ ଆଚରଣ ଉପରେ ତୀବ୍ର ପ୍ରତିକ୍ରିୟା ଦେଇ ଚେତାବନୀ ଦେଇଛନ୍ତି ଯେ ଝାଡ଼ଖଣ୍ଡକୁ ବଙ୍ଗଳା ହେବାକୁ ଦିଆଯିବ ନାହିଁ। ପୁଲିସ ଓ ପ୍ରଶାସନ ସହ ଜଡିତ ହଜାର ହଜାର କୋଟି ଟଙ୍କା ଦୁର୍ନୀତି ମାମଲାରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ରହିଛି। ପୁଲିସର କାର୍ୟ୍ୟାନୁଷ୍ଠାନ ଆଳରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରମାଣକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଇପାରେ ବୋଲି ଆଶଙ୍କା କରାଯାଉଛି ବୋଲି ମାରାଣ୍ଡି ଏକ୍ସରେ ପୋଷ୍ଟ କରିଛନ୍ତି। ସେ ଆହୁରି କହିଛନ୍ତି ଯେ ଝାଡଖଣ୍ଡରେ ଅତୀତରେ ଇଡି ବିରୋଧରେ ମିଥ୍ୟା ମାମଲା ରୁଜୁ କରାଯାଇଥିଲା ଏବଂ ଜେଏମ୍ଏମ୍-କଂଗ୍ରେସ କର୍ମୀମାନେ ଇଡି ଅଧିକାରୀଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ଏଭଳି ଘଟଣା ତଦନ୍ତକାରୀ ଏଜେନ୍ସିଗୁଡ଼ିକର ସ୍ୱାଧୀନ ଓ ନିରପେକ୍ଷ କାର୍ୟ୍ୟକଳାପରେ ବାଧା ସୃଷ୍ଟି କରୁଛି ବୋଲି ସେ କହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/15/15bbs_53_15012026_111-2026-01-15-22-29-59.jpg)