କନକ ବ୍ୟୁରୋ: ଆଜି ପଶ୍ଚିମବଙ୍ଗରେ କେଉଁଠି ବିଜେପି ନେତାଙ୍କୁ ଗୁଳିମାଡ଼ ତ ପୁଣି କେଉଁଠି କାର ଉପରକୁ ମରଣାନ୍ତତକ ଆକ୍ରମଣ । ଭାଟପଡାରେ ବିଜେପି ନେତାଙ୍କ ଉପରକୁ ୬ରାଉଣ୍ଡ ଗୁଳିମାଡ କରି ଫେରାର ହୋଇଛି ଦୁବୁର୍ତ୍ତ । କାର ଚୁରମାର ହେବା ସହ ଘଟଣାରେ ଡ୍ରାଇଭର ଆହତ ହୋଇଥିବାବଳେ ଅଳ୍ପକେ ବର୍ତ୍ତିଛନ୍ତି ପ୍ରିୟାଙ୍ଗୁ ପାଣ୍ଡେ । ଦଳ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରୁଥିବାବେଳେ ଟିଏମସି ଜାଣିଶୁଣି ଆକ୍ରମଣ କରିଥିବା ବିଜେପି ଅଭିଯୋଗ ଆଣିଛି । 

ସେପଟେ ବିଜେପିର ବନ୍ଦ ଡାକରାକୁ ଏକ ଷଡଯନ୍ତ୍ରର ନାଁ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାଜ୍ୟ ସରକାର ସୁରଖୁରୁରେ ତଦନ୍ତ କାମ କରୁଥିବାବେଳେ ଏହାକୁ ପଣ୍ଡ କରିବାକୁ, ରାଜ୍ୟ ସରକାରଙ୍କୁ ବଦନାମ କରିବା ପାଇଁ ବିଜେପି ଜାଣିଶୁଣି ଏଭଳି ଉତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରୁଥିବା ମମତାଙ୍କ ପ୍ରତିକ୍ରିୟାରେ ପ୍ରକାଶ ପାଇଛି । ଏଥିସହ ସ୍ବତନ୍ତ୍ର ବିଧାନସଭା ଅଧିବେଶନ ଡାକି ଦୁଷ୍କର୍ମକାରୀଙ୍କ ପାଇଁ ମୃତ୍ୟୁଦଣ୍ଡ ଆଇନ ପାଇଁ ପ୍ରସ୍ତାବ ରାଜ୍ୟପାଳଙ୍କୁ ପଠାଯିବ ବୋଲି ମମତା ଜନତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ଅଧିକାଂଶ ସ୍ଥାନରେ ବିଜେପି ଓ ଟିଏସିକର୍ମୀଙ୍କ ସଂଘର୍ଷର ଚିତ୍ର ସାମ୍ନାକୁ ଆସିଛି । ପ୍ରବଳ ଉତ୍ତେଜନା ଭିତରେ ଉଠିଛି ପଡିଛି କୋଲକାତା । ବିଜେପିର ବନ୍ଦ ଡାକରାର ସବୁଠୁ ଅଧିକ ପ୍ରଭାର କୋଲକାତାରେ ନଜର ଆସିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି ଓ ପୁଲିସର କାର୍ୟ୍ୟାନୁଷ୍ଠାନ ବିରୋଧରେ ଆଜି ପୂରା ରାଜ୍ୟରେ ୧୨ଘଂଟିଆ ବନ୍ଦ ପାଳିଛି ବିଜେପି । ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାରେ ବିଜେପିକର୍ମୀ ପ୍ରଦର୍ଶନ କରିଥିଲେ ଯାହାର ବଡ ପ୍ରଭାବ ଦେଖିବାକୁ ମିଳିଛି । 

ରାସ୍ତାରୋକ ସହ ଯାନବାହାନ ଠପ ହୋଇଛି ଦୋକାନ ବଜାର ବନ୍ଦ ରହିଥିଲା ।କିଛି ସ୍ଥାନରେ ଆନ୍ଦୋଳନକାରୀଙ୍କୁ ଉଠାଇନେଇଛି ପୁଲିସ ।ସେପଟେ ବନ୍ଦ ଭିତରେ ଗଡିଛି ସରକାରୀ ବସ । ସୁରକ୍ଷା ପାଇଁ ଡ୍ରାଇଭରମାନେ ହେଲମେଟ ପିନ୍ଧି ଗାଡି ଚଳାଇବାକୁ ଠିକ ମନେ କରିଥିଲେ । ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ବିଜେପି ୧୨ଘଂଟିଆ ବନ୍ଦ ପାଳନ କରିବା ସମୟରେ ଉଠିଛି ପଡିଛି କୋଲକାତା ।