କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାକୁ ନେଇ ଉଠୁଛି ପଡୁଛି ସାରାଦେଶ । ଦିଲ୍ଲୀରୁ କୋଲାକାତା ପର୍ଯ୍ୟନ୍ତ ସବୁଠି ଏହି ଘଟଣାକୁ ନିନ୍ଦା କରାଯାଉଛି । ପୀଡ଼ିତାଙ୍କ ସହାୟତା ପାଇଁ ଓଡ଼ିଶାରୁ ସ୍ୱତନ୍ତ୍ର ଟିମ୍ ଯାଇ ପଶ୍ଚିମବଙ୍ଗରେ ଡେରା ପକାଇଛନ୍ତି । ଏସବୁ ଭିତରେ ମମତାଙ୍କ ବୟାନ ନୂଆ ବିବାଦ ସୃଷ୍ଟି କରିଛି ।

Advertisment

ପଶ୍ଚିମବଙ୍ଗ ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ପୀଡିତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ସୁଧାର ଆସୁଥିଲେ ବି ମାନସିକ ସ୍ତରରେ ସେ ସମ୍ପୂର୍ଣ୍ଣ ଭାଙ୍ଗିଛନ୍ତି । ପରିବାର ଲୋକ ବି ଝିଅର ଏଭଳି ଅବସ୍ଥା ଦେଖି କାନ୍ଦୁଛନ୍ତି । ଏହା ଭିତରେ ପୀଡ଼ିତାଙ୍କ ପାଖରେ ପହଞ୍ଚିଛନ୍ତି ଓଡ଼ିଶା ମହିଳା କମିସନ ଅଧ୍ୟକ୍ଷା ସୋଭନା ମହାନ୍ତି ଓ ବିଜେପି ନେତ୍ରୀ । ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ମଧ୍ୟ ପୀଡ଼ିତାଙ୍କ ପରିବାରକୁ ଭେଟିଛନ୍ତି । ଅନ୍ୟପଟେ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ କଲେଜ ଓ ରାଜରାସ୍ତାରେ ଦେଖିବାକୁ ମିଳିଛି ବିକ୍ଷୋଭ । ବ୍ୟାରିକେଡକୁ ଡେଇଁ କଲେଜ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି ବିକ୍ଷୋଭକାରୀ । ମହିଳା ଆଇନଜୀବୀମାନେ ମଧ୍ୟ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

ମମତାଙ୍କ ବୟାନକୁ ନେଇ ରାଜନୀତି ସରଗରମ ହୋଇଛି । ବିଜେପି କର୍ମୀ ମାନେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି । ମମତାଙ୍କ ଏଭଳି ବୟାନ ନିନ୍ଦନୀୟ ବୋଲି କହିଛନ୍ତି । ଓଡ଼ିଶା ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋସିଆଲ ମିଡିଆରେ ପୋଷ୍ଟ କରି ମମତାଙ୍କ ବୟାନକୁ ନିନ୍ଦା କରିଛନ୍ତି । ଅନ୍ୟପଟେ ମମତାଙ୍କ ମିଛ ଧରାପଡ଼ିଯାଇଛି । ଛାତ୍ରୀ ଜଣଙ୍କ ରାତି ୯ଟା ୩୨ରେ ହଷ୍ଟେଲରୁ ଫେରିଥିଲେ ବୋଲି ସିସିଟିଭିରୁ ସ୍ପଷ୍ଟ ହୋଇଛି । ଯାହାକୁ ନେଇ ଅସନ୍ତୋଷ ଝାଡିଛନ୍ତି ପୀଡିତାଙ୍କ ବାପା ।

ଏହି ଘଟଣାରେ ଏପର୍ଯ୍ୟନ୍ତ ୫ଜଣଙ୍କୁ ଗିରଫ କରିଛି ଦୁର୍ଗାପୁର ପୁଲିସ । ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରାଉଚୁରା ଚାଲିଛି । ଏଥିରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ସେ ନେଇ ଖୋଳତାଡ଼ କରୁଛି ପୁଲିସ ।