କନକ ବ୍ୟୁରୋ : ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ଗଣଦୁଷ୍କର୍ମକୁ ନେଇ ପଶ୍ଚିମବଙ୍ଗରୁ ଓଡ଼ିଶା କମ୍ପୁଥିବାବେଳେ, କ୍ରାଇମସ୍ପଟରେ ଅପରାଧର ଡେମୋ ଦେଖାଇଛନ୍ତି ଜହ୍ଲାଦ । ମେଡିକାଲ କଲେଜ ବାହାରେ ଓ ଜଂଗଲ ଭିତରେ ଭିଆଇଥିବା ଛାତିଥରା କାଣ୍ଡର ସିନ ରିକ୍ରିଏସନ କରିଛନ୍ତି ସଇତାନ । ଛାତ୍ରୀ ଜଣଙ୍କୁ କେମିତି ଓ କେଉଁବାଟ ଦେଇ ଘୋଷାଡି ଜଂଗଲ ଭିତରକୁ ନେଇଥିଲେ ଗୋଟି ଗୋଟି କରି ଦେଖାଇଛନ୍ତି ଅଭିଯୁକ୍ତ । ଏଥିସହ ଅଭିଯୁକ୍ତଙ୍କ ଘରେ ପହଞ୍ଚି ଅପରାଧ ସମୟରେ ସେମାନେ ବ୍ୟବହାର କରିଥିବା ପୋଷାକକୁ ଜବତ କରିଛି ଏସଆଇଟି ।
ପୀଡିତା ଜଣଙ୍କ ଧିରେ ଧିରେ ସୁସ୍ଥ ହେଉଥିବାବେଳେ ଚିକିତ୍ସା କରୁଥିବା ଡାକ୍ତରଙ୍କୁ କହିଛନ୍ତି ଛାତିଥରା କାହାଣୀ। ସେଦିନ କାଳ ରାତିର କଳା କାହାଣୀକୁ ବଖାଣିଛନ୍ତି । କହିଛନ୍ତି, ଜଣେ ବନ୍ଧୁଙ୍କ ସହ ଡିନର କରିବାକୁ ଯାଇଥିବାବେଳେ କିଛି ଯୁବକ ସେମାନଙ୍କ ଆଡ଼କୁ ମାଡ଼ି ଆସିଥିଲେ । ଏହାକୁ ଦେଖି ସେ ଓ ତାଙ୍କ ବନ୍ଧୁ ଜଙ୍ଗଲ ଆଡ଼କୁ ଦୌଡ଼ିଥିଲେ । ୩ ଜଣ ଯୁବକ ତାଙ୍କୁ ପିଛା କରିଥିଲେ । ତାଙ୍କୁ ଧରିବା ପରେ ଜଙ୍ଗଲ ଭିତରକୁ ଘୋଷାଡ଼ି ନେଇ ମୋବାଇଲ ଫୋନ୍ ଛଡ଼ାଇ ନେଇଥିଲେ । ତା’ପରେ ଯୁବକମାନେ ତାଙ୍କୁ ଜଙ୍ଗଲ ଭିତରକୁ ନେଇ ତଳେ ପକାଇ ଦେଇଥିଲେ । ଚିତ୍କାର କରିବାରୁ ଚୁପ୍ ରହିବାକୁ ଧମକ ଦେଇଥିଲେ । ପାଟି କଲେ ଆଉ କିଛି ଯୁବକଙ୍କୁ ଡାକିବେ ବୋଲି ଧମକ ଦେଇ ଚୁପ୍ ଚାପ୍ ରହ ବୋଲି କହିଥିଲେ। ଏହି ଘଟଣାକୁ ନେଇ ପଶ୍ଚିମବଂଗ ସରକାରକୁ ନିନ୍ଦା କରିଛନ୍ତି ମନମୋହନ ସାମଲ ।
ପଶ୍ଚିମବଂଗରେ ବାରମ୍ବାର ଏଭଳି ଘଟଣା ଘଟୁଥିଲେ ବି ମମତାଙ୍କ ଖାମଖିଆଲ ବୟାନ ନୂଆ ବିବାଦକୁ ଜନ୍ମ ଦେଇଛି ।