କନକ ବ୍ୟୁରୋ: ପଶ୍ଚିମବଙ୍ଗ ବିଧାନସଭାରେ ହଙ୍ଗାମା । ଗୁରୁବାର ଭାରତୀୟ ଜନତା ପାର୍ଟି ଏବଂ ଟିଏମସି କାର୍ଯ୍ୟକର୍ତ୍ତାଙ୍କ ଭିତରେ ଝଗଡ଼ା ଦେଖିବାକୁ ମିଳିଥିଲା । ଯାହାପରେ କି ବିଧାନସଭାରେ ମାର୍ଶଲଙ୍କ ଡକାଇବାକୁ ପଡ଼ିଥିଲା । ତେବେ ଏହି ଝଗଡ଼ା ପରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ବିଧାନସଭାରୁ ନିଲମ୍ବିତ କରିଦିଆଯାଇଛି ।

Advertisment

ବିଧାନସଭାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଜୋରଦାର ଟାର୍ଗେଟ୍ କରିଥିଲେ । ବିଜେପି ବାଙ୍ଗଲା ବିରୋଧୀ ବୋଲି ଗୃହରେ କହିଥିଲେ ମମତା । ଯାହାପରେ ଆରମ୍ଭ ହୋଇଥିଲା ବିଧାନସଭାରେ ହଙ୍ଗାମା ।

ବିଜେପି ଚୋରଙ୍କ ଦଳ: ମମତା

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ଟାର୍ଗେଟ କରି କହିଛନ୍ତି, ବିଜେପି ଦୁର୍ନୀତିଗ୍ରସ୍ତ ଲୋକଙ୍କ ଏବଂ ଭୋଟ ଚୋରମାନଙ୍କର ଦଳ । ଆମେ ସଂସଦରେ ଦେଖିଲୁ ଯେ, ବିଜେପି କିପରି ଆମ ସାଂସଦମାନଙ୍କୁ ହଇରାଣ କରିବା ପାଇଁ CISF ବ୍ୟବହାର କରିଥିଲା । ତେବେ ବଙ୍ଗଳାରେ ନିଶ୍ଚିତ ଭାବରେ ଏପରି ଏକ ଦିନ ଆସିବ ଯେତେବେଳେ ବଙ୍ଗଳା ବିଧାନସଭାରେ ଜଣେ ବି ବିଜେପି ବିଧାୟକ ବସିବେ ନାହିଁ । ଲୋକମାନେ ବିଜେପିକୁ ଭୋଟ ଦେବେ ନାହିଁ ବୋଲି କହିଥିଲେ ମମତା ।

ଖାଲି ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ବାନାର୍ଜୀ କହିଛନ୍ତି ଯେ କେବଳ କିଛି ଦିନ ଅପେକ୍ଷା କରନ୍ତୁ, ଲୋକମାନେ ବିଜେପିକୁ କ୍ଷମତାରୁ ବାହାର କରିଦେବେ । ମୋଦୀ ଏବଂ ଅମିତ ଶାହଙ୍କ ନେତୃତ୍ୱରେ କେନ୍ଦ୍ରରେ ବିଜେପି ସରକାରର ଖୁବଶୀଘ୍ର ପତନ ହେବ ।

ମମତା ଆହୁରି କହିଛନ୍ତି, ବିଜେପି ମୋତେ ବିଧାନସଭାରେ କହିବାକୁ ଦେଉନାହିଁ, ତେଣୁ ପରବର୍ତ୍ତୀ ସମୟରେ ବିଜେପି ଯେତେବେଳେ କହିବ, ସେମାନଙ୍କୁ ଚୋର କହି କହିବାକୁ ଦିଆଯିବ ନାହିଁ । ତେବେ ଏହି ସମୟର ଭିଡିଓକୁ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ତାଙ୍କ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଆଉ ଲେଖିଛନ୍ତି ଯେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତାଙ୍କ ନେତାମାନେ ଆଜି ଗୃହରେ ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ।