କନକ ବ୍ୟୁରୋ : ବର୍ତ୍ତମାନର ଯୁବପିଢ଼ିଙ୍କ ମଧ୍ୟରୁ ଅଧିକାଂଶ କିପରି ସ୍ଲିମ୍ ଏବଂ ଫିଟ୍ ରହିବେ ସେ ଦିଗରେ ଅଧିକ ଧ୍ୟାନ ଦେଉଛନ୍ତି । ସେ ପୁରୁଷ ହୁଅନ୍ତୁ ଅବା ମହିଳା ସମସ୍ତଙ୍କୁ ମୋଟାପା ବଢ଼ିଯିବାର ଡର ଘାରିଛି । ସେଥିପାଇଁ ସମସ୍ତେ ଡାଇଟିଂ କକିବାରେ ଲାଗି ପଡୁଛନ୍ତି । ଅନେକ ଜଣ ପତଳା ହେବା ବା ଫିଟ୍ ରହିବା ଚକ୍କରରେ ସକାଳ ଜଳଖିଆ ମଧ୍ୟ ଛାଡ଼ି ଦିଅନ୍ତି । କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ମୁତାବକ , ସକାଳର ଉପଯୁକ୍ତ ଜଳଖିଆ ଖାଇବା ଓଜନ କମାଇବା ପାଇଁ ସେତିକି ଜରୁରୀ , ଯେତେକି ୱାର୍କ ଆଉଟ୍ ।
ପୋଷକ ତତ୍ତ୍ୱରେ ଭରପୂର ଜଳଖିଆ ଅଧିକ ସମୟ ଧରି ଭୋକକୁ ନିୟନ୍ତ୍ରଣ କରେ । ଏହା ଭୋକକୁ ହ୍ରାସ କରେ , ଯାହା ଯୋଗୁଁ ଅସ୍ୱାସ୍ଥ୍ୟକର ଜିନିଷ ଖାଇବାକୁ ଇଚ୍ଛା ହୁଏ ନାହିଁ । ଜାଣନ୍ତୁ ଏପରି କିଛି ଖାଦ୍ୟ , ଯାହା ଖାଇବା ଦ୍ୱାରା ଓଜନ ବୃଦ୍ଧି ହୁଏ ନାହିଁ ବରଂ ସାରା ଦିନ ଏନର୍ଜେଟିକ୍ ଲାଗେ । ତେବେ ଆସନ୍ତୁ ଜାଣିବା ଓଜନ ହ୍ରାସ କରିବା ପାଇଁ ଆମକୁ ସକାଳ ଜଳଖିଆରେ କ’ଣ ଖାଇବା ଉଚିତ ?
ପ୍ରୋଟିନ୍ ଯୁକ୍ତ ଜଳଖିଆ
ସକାଳ ଜଳଖିଆରେ ସିଝା ଅଣ୍ଡା , ଫ୍ରୁଟ୍ସ ଏବଂ ପନିର ଭଳି ଜିନିଷ ଖାଇବା ଦ୍ୱାରା ପେଟ ବହୁତ ସମୟ ପର୍ଯ୍ୟନ୍ତ ଫୁଲ୍ ରହିଥାଏ । ଏଥିରେ ପ୍ରୋଟିନ୍ ଥାଏ, ଯାହା ଭୋକକୁ ନିୟନ୍ତ୍ରଣ କରେ ଏବଂ ମାଂସପେଶୀକୁ ମଜଭୁତ କରିବାରେ ସାହାଯ୍ୟ କରେ ।
ଫାଇବରଯୁକ୍ତ ଜଳଖିଆ
ଓଟ୍ସ, ଟୋଷ୍ଟ , ସେଓ ଏବଂ ଷ୍ଟ୍ରବେରୀ ଭଳି ତାଜା ଫଳଗୁଡ଼ିକରେ ଫାଇବର ଅଧିକ ଥାଏ । ଫାଇବର ଖାଦ୍ୟକୁ ଧୀରେ ଧୀରେ ହଜମ କରିଥାଏ , ସେଥିପାଇଁ ଅଧିକ ସମୟ ଧରି ପେଟ ଫୁଲ୍ ରହିଥାଏ । ଫାଇବର ଯୁକ୍ତ ଖାଇବା ଓଜମ ହ୍ରାସ କରିବାରେ ସାହାଯ୍ୟ କରେ ।
ଏହା ସହ ସକାଳ ଜଳଖିଆରେ ବାଦାମ , ସିଡ୍ସ , ପିନଟ ବଟର କିମ୍ବା ଆଭୋକାଡୋ ଖାଇବା ସ୍ୱାସ୍ଥ ପକ୍ଷେ ହିତକର , କାରଣ ଏଥିରେ ହେଲ୍ଦି ଫ୍ୟାଟ୍ସ ଥାଏ । ଏହା ଶରୀରକୁ ଦିନସାରା ଏନର୍ଜେଟିକ୍ ରଖିଥାଏ । ବିଶେଷଜ୍ଞଙ୍କ ମତରେ ଓଜନ ହ୍ରାସ କରିବା ପାଇଁ ସବୁଠୁ ଭଲ ଜଳଖିଆ ହେଉଛି ହେଉଛି ପ୍ରୋଟିନ୍, ଫାଇବର ଏବଂ ହେଲ୍ଦି ଫ୍ୟାଟ୍ସର ଉତ୍ତମ ମିଶ୍ରଣ । ସେଥିପାଇଁ ସିଝା ଅଣ୍ଡା , ଟୋଷ୍ଟ, ଗଜା ମୁଗ , ଗଜା ବୁଟ , ଓଟ୍ସ ଖିଚଡି , ଦଲିଆ ଏବଂ ବାଦାମ ସାଲାଡ ଖାଇପାରିବେ । ସେଥିପାଇଁ ଓଜନ ହ୍ରାସ ନିମନ୍ତେ ସକାଳ ଖାଇବାକୁ ବନ୍ଦ ନକରି ଉପଯୁକ୍ତ ଖାଦ୍ୟ ଖାଆନ୍ତୁ । ସୁସ୍ଥ ଶରୀର ସହ ଜୀବନଯାପନ କରନ୍ତୁ ।