କନକ ବ୍ୟୁରୋ : ହସ୍ତତନ୍ତର ମାଟି ସୁବର୍ଣ୍ଣପୁରର ତନ୍ତଶିଳ୍ପୀମାନେ ସବୁବେଳେ କିଛି ନୂଆ ନୂଆ କରିବାର ପ୍ରଚେଷ୍ଟା କରନ୍ତି । ସରୁ ସୂତାରେ ସୁକ୍ଷ୍ମ କଳାକୃତି କରିବାରେ ସ୍ଥାନୀୟ ତନ୍ତଶିଳ୍ପୀ ମାନଙ୍କର ପ୍ରସିଦ୍ଧି ରହିଛି । କେତେବେଳେ ଲଙ୍କାପୋଡ଼ି ଶାଢ଼ି ତ କେତେବେଳେ ଗଣିତ ଶାଢ଼ି ତ ପୁଣି କେତେବେଳେ ମା’ ଶାଢ଼ି ବୁଣି ସୁନାମ ଅର୍ଜନ କରିଛନ୍ତି କାରିଗର ।
ବର୍ଷେ ପୂର୍ବରୁ ସୋନପୁରର ପ୍ରସିଦ୍ଧ ଖେଳ ଗଞ୍ଜପାକୁ ନେଇ ଏକ ଶାଢ଼ି ବୁଣି ସୁନାମ ଅର୍ଜିଥିବା ସୋନପୁର ପଟାଭାଡିର ପ୍ରସିଦ୍ଧ ତନ୍ତଶିଳ୍ପୀ ପ୍ରହଲ୍ଲାଦ ମେହେର ଏବେ ନୂଆଁଖାଇ ଶାଢି ପ୍ରସ୍ତୁତ କରିଛନ୍ତି । ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇକୁ ପ୍ରହଲ୍ଲାଦ ସରୁ ପାଟ ସୂତାରେ ସ୍ଥାନିତ କରିଛନ୍ତି । ଚଳିତ ନୂଆଁଖାଇରେ ଏହି ନୂଆଁଖାଇ ଶାଢିକୁ ଲୋକେ ନିଶ୍ଚୟ ଆଦର କରିବେ ବୋଲି ପ୍ରହଲ୍ଲାଦ କହିଛନ୍ତି ।
ଚର୍ଚ୍ଚାରେ ଥିବା ଏହି ଶାଢିରେ ନୂଆଁ ଧାନ ସଂଗ୍ରହ ଠାରୁ ଜୁହାର୍ ଭେଟ ପର୍ୟ୍ୟନ୍ତ ନୂଆଁଖାଇର ପ୍ରତ୍ୟେକଟି ସୋପାନ ସ୍ଥାନିତ ହୋଇଛି । ଝାଙ୍କରଙ୍କ ନୂଆ ଧାନ ସଂଗ୍ରହ, ପାହୁର୍ ଯାତ୍ରା, ଇଷ୍ଟ ଦେବାଦେବୀଙ୍କୁ ନବାନ୍ନ ଲାଗି, ଏକାଠି ବସି ନବାନ୍ନ ଭକ୍ଷଣ, ନୂଆଁ ଖାଇଲା ପରେ ଜୁହାର୍ ଭେଟ୍ ଆଦିକୁ ସୁନ୍ଦର ଢଙ୍ଗରେ ପ୍ରଦର୍ଶିତ କରାଯାଇଛି ।
ସବୁଠୁ ଆକର୍ଷଣୀୟ ଲାଗୁଛି ରାତିର ସାଂସ୍କୃତିକ କାର୍ୟ୍ୟକ୍ରମ । ତେବେ ସୋନପୁରର ପ୍ରସିଦ୍ଧ ତନ୍ତଗୁରୁ ପ୍ରଫୁଲ୍ଲ ମେହେର ଏହି ଶାଢ଼ି ବୁଣିବାକୁ ପ୍ରହଲ୍ଲାଦଙ୍କୁ ପ୍ରେରଣା ଯୋଗାଇଥିଲେ । ପ୍ରହଲ୍ଲାଦ ଶାଢିର ବାନ୍ଧ ଏବଂ ବୁଣାଇ କାମ ସମ୍ପନ୍ନ କରିଛନ୍ତି । ପତ୍ନୀ ମମତା, ଦୁଇ ପୁଅ ରୋହନ ଏବଂ ରାହୁଲ ସହଯୋଗ କରିଛନ୍ତି । ଏହି ଶାଢ଼ି ବୁଣିବା ପାଇଁ ୨ ମାସ ସମୟ ଲାଗିଛି । ୬ ଶହ ଗ୍ରାମ ଉତ୍ତମ ପାଟସୂତାରେ ଶାଢ଼ି ବୁଣା ହୋଇଛି । ଶାଢ଼ିରେ କଫି, ରଷ୍ଟ, ଲାଲ ଓ କଳା ରଙ୍ଗ ବ୍ୟବହାର ହୋଇଛି । ତେବେ ସ୍ଥାନୀୟ ବଜାରରେ ଶାଢିର ଦାମ୍ ରହିଛି ୨୦ ହଜାର ଟଙ୍କା ।
ପଶ୍ଚିମ ଓଡିଶାର ଗଣପର୍ବକୁ ପାଟ ସୂତାରେ ବୁଣି ନିଜକୁ ଖୁବ୍ ଗର୍ବିତ ଲାଗୁଛି ବୋଲି ପ୍ରହଲ୍ଲାଦ କହିଛନ୍ତି ଓ ଆଗକୁ ସେ ଏମିତି ନୂତନ ଡିଜାଇନ ଶାଢ଼ି ତିଆରି କରିବାର ଲକ୍ଷ୍ୟ ରଖିଛନ୍ତି ।