କନକ ବ୍ୟୁରୋ: ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହଲ ହୋଇପଡିଛି ଉତ୍ତର ଓଡ଼ିଶା । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଦେଓ ନଦୀର ଜଳସ୍ତର ବଢ଼ିଛି । ଅତ୍ୟଧିକ ବନ୍ୟାଜଳ ଆସି ଜାମଘାଟ ପୋଲକୁ ଧୋଇ ନେଇଛି । ସେପଟେ ବାଲେଶ୍ୱରର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି ।
ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଦେଓ ନଦୀରେ ବନ୍ୟା ଜଳ ମାଡ଼ି ଆସିଛି । ହଠାତ୍ ଆସିଥିବା ବନ୍ୟା ଜଳ ଜାମୁଘାଟ ପୋଲକୁ ବୁଡ଼ାଇ ଦେଇଥିଲା । ଲଗାଣ ବର୍ଷା ଜାରି ରହିବାରୁ ପାଣିର ତୀବ୍ରତା ଏତେ ଅଧିକ ଥିଲା ଯେ ଜାମୁଘାଟ ପୋଲ ଧୋଇ ହୋଇଯାଇଛି । ପୋଲର ଅଧା ଅଂଶ ଭାଙ୍ଗି ଯାଇଛି । ପୋଲ ଉପରେ ଏବେ ୨ ଫୁଟ ଉଚ୍ଚର ପାଣି । ଫଳରେ ଉଦଳା- ବାଲେଶ୍ୱର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପୋଲ ଧୋଇଯିବାରୁ ଉଭୟ ପାର୍ଶ୍ଵରେ ଲୋକେ ଅଟକି ରହିଛନ୍ତି ।
ଲଗାଣ ବର୍ଷାରେ ଉବୁଟୁବବୁ ବାଲେଶ୍ୱର ସହର । ରାସ୍ତା ଉପରେ ଚାଲୁଛି ଆଣ୍ଠୁଏ ଉଚ୍ଚର ପାଣି । ଗଳି କନ୍ଦି ହେଉ କି ରାଜରାସ୍ତା କେଉଁଠି ବି ଦେଖା ଯାଉନି ରାସ୍ତା କି ଭୂଇଁ । ସବୁଠି ମାଡ଼ିଯାଇଛି ବର୍ଷା ପାଣି । ବର୍ଷା ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ବାଲେଶ୍ୱର ଜଳବନ୍ଦୀ ହୋଇପଡ଼ିଛି । ରାସ୍ତାରେ ପାଣି ଜମିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଦାଣ୍ଡ ଦୁଆର ଡେଇଁ ଘରେ ପଶିଛି ବର୍ଷା ପାଣି । ଆସବାବପତ୍ର ଭାସୁଛି । ଶୋଇବା ଘରେ ବର୍ଷା ପାଣି ଲହଡ଼ି ମାରୁଛି । ଏ ହେଉଛି ସୋର ବ୍ଲକ ଗୋପୀନାଥପୁର, ଭଇଁରା ଓ ଦିଗି ଗାଁର ଦୃଶ୍ୟ । ଗାଁ ନିକଟରେ ନିର୍ମାଣାଧିନ ଥିବା ସାଳନ୍ଦୀ କେନାଲରେ ଜଳନିଷ୍କାସନ ବ୍ୟବସ୍ଥା ନଥିବାରୁ ଘରେ ପାଣି ପଶିଛି, ରବି ଫସଲ ବି ନଷ୍ଟ ହୋଇଛି । ସମ୍ପୃକ୍ତ ଠିକା ସଂସ୍ଥାର ମନମାନି ବିରୋଧରେ ଲୋକ ଧାରଣା ଦେବା ପରେ ତହସିଲଦାର ପହଞ୍ଚି ପାଣି ନିଷ୍କାସନର ବ୍ୟବସ୍ଥା କରିଛନ୍ତି ।
ସେପଟେ ସମ୍ଭାବ୍ୟ ଲଘୁଚାପକୁ ନେଇ ଭୋଗରାଇ ମତ୍ସ୍ୟ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ସମୁଦ୍ର ଭିତରକୁ ନଯିବା ପାଇଁ ସଚେତନ କରାଯାଇଛି । ନିଜ ନିଜର ଡଙ୍ଗା ଓ ଜାଲ ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ ଦିଆଯାଇଛି ।