କନକ ବ୍ୟୁରୋ : ସକ୍ରିୟ ରହିଛି ରାଜ୍ୟରେ ଲଘୁଚାପ । ଏହାର ପ୍ରଭାବରେ ବାଦଲଫଟା ବର୍ଷା ପରି ମୟୂରଭଞ୍ଜରେ ୩ଶହ ମିଲିମିଟରରୁ ଅଧିକ ଢ଼ାଳିଛି ବର୍ଷା । ଆଜି ବି ଉତ୍ତର ଓଡ଼ିଶାରେ ଛେଚୁଛି ପ୍ରବଳ ବର୍ଷା । ଆଗାମି ୨୪ଘଣ୍ଟା ପାଇଁ ମୟୂରଭଞ୍ଜ, କେନ୍ଦୁଝର,ସମ୍ବଲପୁର, ସୁନ୍ଦରଗଡ଼, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟରେ ଅତିପ୍ରବଳ ବର୍ଷା ନେଇ ସତର୍କ କରାଯାଇଛି । ଆସନ୍ତାକାଲି ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁରରେ ଅତିପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ୨ ଜୁଲାଇ ପାଇଁ ସୁନ୍ଦରଗଡ଼, ଝାରସୁଗୁଡାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ୩ ଜୁଲାଇରେ ମୟୂରଭଞ୍ଜ ଓ କେନ୍ଦୁଝରରେ ଅତିପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି । ଅନ୍ୟ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସମୁଦ୍ର ଅଶାନ୍ତ ଥିବାରୁ ମସ୍ୟଜୀବୀଙ୍କୁ ସମୁଦ୍ର ନ ଯିବାକୁ ସତର୍କ କରାଯାଇଛି ।
ଝାଡ଼ଖଣ୍ଡ ଛାଡ଼ୁଛି ପାଣି
ଫୁଲୁଛି ସୁବର୍ଣ୍ଣରେଖା, ବଢୁଛି ବନ୍ୟା ଆଶଙ୍କା
ଝାଡଖଣ୍ଡ ପାଣି ଛାଡିବା ଫଳରେ ଉତ୍ତର ଓଡ଼ିଶାରେ ବଡ଼ ବନ୍ୟା ଆଶଙ୍କା କରାଯାଉଛି । ଆସନ୍ତା ୨୪ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହାପରେ ବର୍ଷା ଉପରେ ନିର୍ଭର କରିବ ବନ୍ୟାର ସ୍ଥିତି । ଉତ୍ତର ଓଡ଼ିଶା ଓ ଝାଡ଼ଖଣ୍ଡରେ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା, ବୁଢାବଳଙ୍ଗା ଓ ଜଳକାରେ ଜଳସ୍ତର ବଢିଛି । ଏହି ତିନି ନଦୀରେ ବନ୍ୟା ସ୍ଥିତି ଅଛି । ଉପରମୁଣ୍ଡ ଝାଡ଼ଖଣ୍ଡରେ ଆଉ ବର୍ଷା ହେଲେ ଉତ୍ତର ଓଡ଼ିଶାର ନଦୀ ଗୁଡିକରେ ଜଳସ୍ତର ବୃଦ୍ଧି ପାଇବ । ଝାଡ଼ଖଣ୍ଡ କେତେ ଜଳ ଛାଡିବ, ତା ଉପରେ ନିର୍ଭର କରୁଛି ସୁବର୍ଣ୍ଣରେଖାରେ ବନ୍ୟା ସ୍ଥିତି ।
ଦୁର୍ଦ୍ଦଶା କମିନଥିବାବେଳେ ଚିନ୍ତା ବଢ଼ାଉଛି ସୃଷ୍ଟି ହେବାକୁ ଯାଉଥିବା ଆଉ ଏକ ଲଘୁଚାପ । ୨ ଜୁଲାଇରୁ ଧୀରେଧୀରେ ବର୍ଷା କମିବ କିନ୍ତୁ ଫୁଣି ୪ ଜୁଲାଇରୁ ବର୍ଷା ବଢିବ । ଜୁଲାଇ ୬ ସୁଦ୍ଧା ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟିର ସମ୍ଭାବନା ରହୁଛି । ଯାହାର ପ୍ରଭାବ ଉତ୍ତର ଓଡ଼ିଶାରେ ଜୁଲାଇ ୯ପର୍ଯ୍ୟନ୍ତ ଲାଗି ରହିବ ବର୍ଷା ।