କନକ ବ୍ୟୁରୋ : ଦିଲ୍ଲୀ-ଏନ୍ସିଆର୍ରେ ବଦଳିଲା ପାଗ, ଝଡ଼ତୋଫାନ ସହ ପ୍ରବଳ ବର୍ଷିଲା । ରାଜଧାନୀ ବାସୀଙ୍କ ଜନଜୀବନ ବର୍ଷାରେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ପ୍ରବଳ ବର୍ଷା କାରଣରୁ ଟ୍ରାଫିକ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିବା ବେଳେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି । ଇନ୍ଦିରାଗାନ୍ଧୀ ଏୟାରପୋର୍ଟରେ ୧ନଂ ଟର୍ମିନାଲରେ ପାଣି ଯୋଗୁଁ ବିମାନ ଚଳାଚଳ ପ୍ରଭାବିତ । ଲଗାଣ ବର୍ଷା କାରଣରୁ ମୋଟ ୨୫ଟି ବିମାନର ଗତିପଥକୁ ପରିବର୍ତ୍ତନ କରାଯାଇଥିବା ଜଣାପଡିଛି ।
ସେପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି । କେରଳ ସମେତ କର୍ଣ୍ଣାଟକ, ତାମିଲନାଡୁ ଓ ମିଜୋରାମର କିଛି ଅଞ୍ଚଳକୁ ମଧ୍ୟ ଅଗ୍ରସର ହୋଇଛି ମୌସୁମୀ । ଚଳିତ ବର୍ଷ ୮ ଦିନ ପୂର୍ବରୁ ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳରେ ପ୍ରବେଶ କରିଛି । ୨୦୦୧ ଓ ୨୦୦୯ ମସିହାରେ ମେ’ ୨୩ରେ ମୌସୁମୀ ବାୟୁ କେରଳରେ ପ୍ରବେଶ କରିଥିଲା । ୧୯୯୦ ମସିହାରେ ମେ ମାସ ୧୯ ତାରିଖରେ ମୌସୁମୀ କେରଳରେ ପହଞ୍ଚିଥିଲା । ୨୦୦୦ରୁ ୨୦୨୫ ମଧ୍ୟରେ ୧୪ ଥର ମେ’ ମାସରେ ଓ ୧୨ ଥର ଜୁନ୍ ମାସରେ ମୌସୁମୀ କେରଳ ଛୁଇଁଥିଲା । ଏଥର ମୌସୁମୀ ଶୀଘ୍ର କେରଳ ଛୁଇଁଥିବାରୁ ଆସନ୍ତା ସପ୍ତାହ ମଧ୍ୟରେ ଓଡ଼ିଶାରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହା ମଧ୍ୟରେ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି ।