କନକ ବ୍ୟୁରୋ : ହିନ୍ଦୁ ଧର୍ମର ପଞ୍ଚାଙ୍ଗ ଅନୁଯାୟୀ, ଆଶ୍ୱିନ ମାସ ଶୁକ୍ଲପକ୍ଷ ଦଶମୀ ତିଥିରେ ଦଶହରା ପାଳନ କରାଯାଏ ଯାହାକୁ ବିଜୟାଦଶମୀ ବୋଲି ମଧ୍ୟ କୁହାଯାଏ । ଏହି ଦିନ ରାବଣ ପୋଡି ଏବଂ ଶସ୍ତ୍ର ପୂଜା ମଧ୍ୟ କରାଯାଏ । ଦଶହରା ଦିନ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମ ରାବଣକୁ ବଧ କରି ଲଙ୍କା ଉପରେ ବିଜୟ ହାସଲ କରିଥିଲେ । ଏହି ଦିନ ଅସ୍ତ୍ରଶସ୍ତ୍ର, ଯାନବାହନ ,ଉପକରଣ, ଖଣ୍ଡା, ବନ୍ଧୁକ ଇତ୍ୟାଦି ପୂଜା କରାଯାଏ । ତେବେ କାହିଁକି ବିଜୟାଦଶମୀରେ ହୁଏ ଶସ୍ତ୍ର ପୂଜା ? ଆସନ୍ତୁ ଜାଣିବା ।
ଧାର୍ମିକ ବିଶ୍ୱାସ ଅନୁଯାୟୀ, ଦେବତାମାନେ ମହିଷାସୁରକୁ ବଧ କରିବା ପାଇଁ ଦେବୀ ଦୁର୍ଗାଙ୍କୁ ସମସ୍ତ ଦିବ୍ୟ ଅସ୍ତ୍ର ପ୍ରଦାନ କରିଥିଲେ । ମା’ ଜଗତଜନନୀ ସେହି ଅସ୍ତ୍ରରେ ମହିଷାସୁରକୁ ବଧ କରିଥିଲେ ଏବଂ ଏହା ପରେ ସେହି ସମସ୍ତ ଦିବ୍ୟ ଅସ୍ତ୍ର ପୂଜା କରାଯାଇଥିଲା । ଏହି ଦିନ ଅସ୍ତ୍ର ପୂଜା ସହିତ ଉପକରଣ, ଯନ୍ତ୍ରପାତି ଏବଂ ଯାନବାହନର ପୂଜା କରାଯାଏ । ଏହି ଦିନ ଭଗବାନ ରାମ ମଧ୍ୟ ରାବଣକୁ ବଧ କରିଥିଲେ । ଶସ୍ତ୍ର ପୂଜାର ମହତ୍ତ୍ୱ ହେଉଛି ଯେଉଁ ଅସ୍ତ୍ର ଆମକୁ ଶକ୍ତି ଏବଂ ସୁରକ୍ଷା ପ୍ରଦାନ କରେ ତାହା ସର୍ବଦା ପୂଜନୀୟ । ଦଶମୀ ତିଥି ଅକ୍ଟୋବର ୧ ତାରିଖ ସନ୍ଧ୍ୟା ୭ ଟା ୦୧ ମିନିଟରେ ଆରମ୍ଭ ହେଉଛି । ଯାହା ଅକ୍ଟୋବର ୨ ତାରିଖ ସନ୍ଧ୍ୟା ୭ଟା ୧୦ ମିନିଟରେ ଶେଷ ହେବ । ସୂର୍ଯ୍ୟ ଉଦୟ ତିଥି ଅନୁଯାୟୀ ଦଶହରା ଅକ୍ଟୋବର ୨ ତାରିଖରେ ପଡୁଛି । ଏହି ଦିନ ଶସ୍ତ୍ର ପୂଜାର ଶୁଭ ମୁହୂର୍ତ୍ତ ଅପରାହ୍ନ ୨ଟା ୦୯ ମିନିଟରୁ ୨ଟା ୫୬ ପର୍ଯ୍ୟନ୍ତ ରହିଛି ।
କିପରି କରିବେ ଶସ୍ତ୍ର ପୂଜନ?
ଶସ୍ତ୍ର ପୂଜା ପାଇଁ ପୂଜା ସ୍ଥାନକୁ ସଫା କରି ଲାଲ୍ କପଡ଼ା ବିଛାନ୍ତୁ । ଏହା ପରେ ଅସ୍ତ୍ର ଏବଂ ଉପକରଣ ରଖନ୍ତୁ । ସେଗୁଡିକ ଉପରେ ଗଙ୍ଗାଜଳ ସିଞ୍ଚି ସିନ୍ଦୂର ଲଗାନ୍ତୁ । ତିଳକ ଲଗାଇ ଧୂପ ଓ ଦୀପ ଜାଳନ୍ତୁ । ଏହା ପରେ ମିଠା ଭୋଗ ଲଗାଇ ଏହାକୁ ପ୍ରସାଦ ଭାବରେ ବାଣ୍ଟନ୍ତୁ ।