କନକ ବ୍ୟୁରୋ: ୨୦୨୪-୨୫ ଶିକ୍ଷା ବର୍ଷ, ଅଧାରୁ ଅଧିକ ସରିଲାଣି। ଆଉ ମାସ କେଇଟା ପରେ ମାଟ୍ରିକ ପରୀକ୍ଷା। ହେଲେ ବିଡମ୍ବନା, ବିଦ୍ୟାଳୟରେ ସବୁ ବିଷୟରେ ପାଠ ପଢ଼ାଇବା ପାଇଁ ଶିକ୍ଷକ ନାହାନ୍ତି। ସରକାରୀ ତହବିଲରୁ ଟଙ୍କା ଖର୍ଚ୍ଚ କରି ବିଦ୍ୟାଳୟର ରଙ୍ଗ ବଦଳିଛି। ସ୍କୁଲ ସ୍ମାର୍ଟ ହୋଇଛି କିନ୍ତୁ ଶିକ୍ଷା ବ୍ୟବସ୍ଥା ଆଣ୍ଠେଇ ପଡ଼ିଛି। ଆମେ କହୁଛେ, ଗଜପତି ଜିଲ୍ଲା ମୋହନା ବ୍ଲକ ବିରିକୋଟ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟ କଥା।
ମୋହନା ବ୍ଲକ ବିରିକୋଟର ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟ। ପୂର୍ବ ସରକାରଙ୍କ ଫାଇଭ-ଟି କାର୍ଯ୍ୟକ୍ରମରେ ବିଦ୍ୟାଳୟର ରୂପ ବଦଳିଛି। କିନ୍ତୁ ଏଠି ଶିକ୍ଷାଦାନ ପ୍ରକ୍ରିୟା ପୁରା ଆଣ୍ଠେଇ ପଡ଼ିଛି। ନବମ ଓ ଦଶମ ଶ୍ରେଣୀର ୧୯୦ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି ମାତ୍ର ୩ ଜଣ ଶିକ୍ଷକ। ହିନ୍ଦୀ, ପିଇଟି ଓ ସଂସ୍କୃତ ଶିକ୍ଷକଙ୍କ ଭରସାରେ ଶିକ୍ଷାର ଆଲୋକ ଖୋଜୁଛନ୍ତି ଛାତ୍ରଛାତ୍ରୀ। ବିଜ୍ଞାନ କାରାଗାର ଅଛି କିନ୍ତୁ ଶିକ୍ଷକ ଅଭାବରୁ ପ୍ରାକ୍ଟିକାଲ ହେଉନାହିଁ। ସେହିପରି କମ୍ପ୍ୟୁଟର ରୁମରେ କମ୍ପ୍ୟୁଟର ଅଛି, ଆଜି ପର୍ୟ୍ୟନ୍ତ ଛାତ୍ରଛାତ୍ରୀ କମ୍ପ୍ୟୁଟର କି-ବୋର୍ଡ ମଧ୍ୟ କଣ ଜାଣି ନାହାନ୍ତି।
୨୦୨୩ ମସିହା ମେ' ମାସରେ ସ୍ମାର୍ଟ ସ୍କୁଲ ପିଲାଙ୍କ ପାଇଁ ଆବଶ୍ୟକୀୟ ଉପକରଣ ଯୋଗାଇ ଦିଆଯାଇଛି । କିନ୍ତୁ ଯାହା ଛାତ୍ରଛାତ୍ରୀଙ୍କ ପାଇଁ ନିହାତି ଆବଶ୍ୟକ ତାହା ଯୋଗାଇ ଦେଉନାହାନ୍ତି। ଶିକ୍ଷକ ଅଭାବରୁ ସ୍ମାର୍ଟ୍ ବୋର୍ଡ, କମ୍ପ୍ୟୁଟର ଓ ବିଜ୍ଞାନଗାରରେ ଥିବା ଉପକରଣ ଖତ ଖାଉଛି କହିଲେ ଚଳେ। ଆଉ ତିନି ମାସ ପରେ ଦଶମ ପରୀକ୍ଷା । ଏତିକି ସମୟରେ ଛାତ୍ରଛାତ୍ରୀ କିଭଳି ସବୁ ବିଷୟର କୋର୍ସ କମ୍ପିଲ୍ କରିବେ ତାକୁ ନେଇ ପ୍ରଶ୍ନ ଉଠିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/11/12/l8T6TsFDtWbHhrZ5JnZ6.jpg)