କନକ ବ୍ୟୁରୋ: ପହଲଗାମଠାରୁ କ୍ରିକେଟ ସବୁର ପ୍ରତିଶୋଧ ନିଆଯିବ । ଏସିଆ କପ ଫାଇନାଲରେ ହେବ ଏଥର ବଡ଼ ଯୁଦ୍ଧ । ପାକିସ୍ତାନକୁ ଧୂଳିଚଟାଇ ଭାରତ ଉଡ଼ାଇବ ବିଜୟର ବାନା । ଶତ୍ରୁ ଦେଶକୁ କଡ଼ା ଜବାବ ଦେବାକୁ ପୂରା ପ୍ରସ୍ତୁତ ହୋଇସାରିଲେଣି ସୂର୍ଯ୍ୟବାହିନୀ ।
ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏସିଆ କପ । ଫାଇନାଲରେ ପହଞ୍ଚିଛନ୍ତି ଭାରତ-ପାକିସ୍ତାନ । ରବିବାର ଦିନ ମୁହାଁମୁହିଁ ହେବେ ଏହି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ । ଏସିଆ କପ ଇତିହାସରେ ଏହି ଘଟଣା ପ୍ରଥମ ଯେତେବେଳେ ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ପାକ୍ । ୪୧ ବର୍ଷ ଭିତରେ କେବେ ବି ଭାରତ ପାକିସ୍ତାନ ଫାଇନାଲ ମ୍ୟାଚ ହୋଇନଥିଲା । ହେଲେ ଏଥର ଫାଇନାଲ ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ ।
ଚଳିତ ବର୍ଷ ଏସିଆ କପରେ ଭାରତ ପାକିସ୍ତାନ ୨ ଥର ମୁହାଁମୁହିଁ ହୋଇଛନ୍ତି । ଯେଉଁଥିରେ ୨ଥର ଯାକ ଭାରତ ପାକିସ୍ତାନକୁ ଧୂଳି ଚଟାଇଛି । ଏକତରଫା ବିଜୟୀ ହୋଇ ଭାରତ ପାକିସ୍ତାନର ମୁହଁ ଚୁପ କରିଦେଇଛି । ତେବେ ପରାଜିତ ହୋଇ ବି ପାକିସ୍ତାନ ପୁଣି ଭାରତକୁ ସାମ୍ନା କରିବ । ପାକିସ୍ତାନ କେବଳ ୨ଥର ଭାରତଠାରୁ ପରାଜିତ ହୋଇନି ବରଂ ବେଜିତ୍ ବି ହୋଇଛି । ଯାହାକୁ ନେଇ ଆଇସିସି ପାଖରେ ଅଭିଯୋଗ ବି ପହଞ୍ଚିଛି । ତେବେ ଏସବୁ ଭିତରେ ଭାରତ-ପାକିସ୍ତାନ ଏସିଆ କପ ଫାଇନାଲ ରୋଚକ ହେବ ।
ପହଲଗାମ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ କ୍ରିକେଟରେ ବି ତିକ୍ତତା ଦେଖିବାକୁ ମିଳିଥିଲା । ଏମିତି ଖେଳ ସମୟରେ ଭାରତୀୟ ଖେଳାଳି ପକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇନଥିଲେ । ଯାହାର ଅଭିଯୋଗ ପାକିସ୍ତାନ ଆଇସିସି ନିକଟରେ କରିବା ସହ ଏସିଆ କପରୁ ଓହରିବାକୁ ଧମକ ଦେଇଥିଲା । ହେଲେ ପାକିସ୍ତାନ କଥା କେହି ଶୁଣିନଥିଲେ । ଏହାପରେ ଉତ୍ତେଜିତ ହୋଇ ସୁପର ୪ ମ୍ୟାଚରେ ପାକିସ୍ତାନ ଖେଳାଳି ଭାରତୀୟ ଖେଳାଳିଙ୍କୁ ଅଶାଳୀନ ଇଙ୍ଗିତ କରିଥିଲେ । ଯାହା ଏବେ ବିବାଦ ସୃଷ୍ଟି କରିଛି ।
ଏସିଆ କପରେ ଭାରତ ୮ଥର ଚାମ୍ପିୟନ ହୋଇଥିବା ବେଳେ ପାକିସ୍ତାନ ୨ଥର ଚାମ୍ପିୟନ ହୋଇଛି । ସେହିପରି ଉଭୟ ଦଳ ୩ଥର ଲେଖାଏଁ ରନର୍ସଅପ ମଧ୍ୟ ହୋଇଛନ୍ତି । ହେଲେ କେବେ ଫାଇନାଲରେ ମୁହାଁମୁହିଁ ହୋଇନଥିଲେ । ତେବେ ଦେଖିବାକୁ ଗଲେ ଏସିଆକପରେ ଭାରତର ପଲ୍ଲା ଭାରି ରହିଛି ।
ଶ୍ରୀଲଙ୍କା ସହିତ କ୍ରିକେଟ ସମ୍ପର୍କ ଭଲ ନଥିବାରୁ ଟିମ୍ ଇଣ୍ଡିଆ ୧୯୮୬ ଏସିଆ କପରେ ଖେଳିନଥିଲା । ସେହିପରି ଭାରତ ସହିତ ରାଜନୈତିକ ସମ୍ପର୍କ ଖରାପ ହେବାରୁ ପାକିସ୍ତାନ ମଧ୍ୟ ୧୯୯୦-୯୧ ଟୁର୍ଣ୍ଣାମେଣ୍ଟକୁ ବୟକଟ କରିଥିଲା । ଫଳରେ ୧୯୯୩ ଏସିଆ କପ ବାତିଲ ହୋଇଥିଲା । ପରେ ଏସୀୟ କ୍ରିକେଟ ପରିଷଦ (ଏସିସି) ନିଷ୍ପତ୍ତି ନେଇଥିଲା ଯେ ୨୦୦୯ ରୁ ପ୍ରତି ଦୁଇ ବର୍ଷରେ ଥରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଆଇସିସି ମଧ୍ୟ ନିଷ୍ପତ୍ତି ନେଇଥିଲା ଯେ ଏସିଆ କପରେ ଖେଳାଯାଉଥିବା ସମସ୍ତ ମ୍ୟାଚକୁ ଦିନିକିଆ ଭାବେ ଖେଳାଯିବ ।
୨୦୧୫ ମସିହାରେ ଏସିସିର ଆକାର ହ୍ରାସ ପରେ ୨୦୨୨ ମସିହାରେ ଏସିଆ କପ୍ ଟି-୨୦ ଫର୍ମାଟରେ ଖେଳାଯାଇଥିଲା । ତେବେ ଦେଖିବାକୁ ଗଲେ ଚଳିତ ବର୍ଷ ଭାରତୀୟ ଟିମ୍ ବେଶ ଶକ୍ତିଶାଳୀ ରହିଛି । ଦଳ ଏଥର ପାକିସ୍ତାନକୁ ହରାଇ ଆଉ ଏକ ଏସିଆ କପ୍ ନିଜ ନାଁରେ କରିବ ।